ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଲାଗି ବାଟ ଫିଟିବାକୁ ଯାଉଛି। ରତ୍ନଭଣ୍ଡାର ଖୋଲି ଏଠାରେ ଗଚ୍ଛିତ ଥିବା ଅଳଙ୍କାରର ହିସାବ କରିବା ପାଇଁ ୪ ସପ୍ତାହ ମଧ୍ୟରେ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ୪ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ।

ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ ନିଯୁକ୍ତି ଦେବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧ୍ୟକ୍ଷ ନିଯୁକ୍ତି ହେବା ପରେ ତାଙ୍କ ସହମତିରେ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରିବା ପରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି।

ପୂର୍ବରୁ ସମୀର ମହାନ୍ତିଙ୍କ ମୂଳ ଆବେଦନର ଶୁଣାଣି କରି ୮ ସପ୍ତାହ ମଧ୍ୟରେ ରତ୍ନଭଣ୍ଡାର ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଗତବର୍ଷ ସେପ୍ଟେମ୍ବର ମାସରେ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ୮ ସପ୍ତାହ ହେବା ପରେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ସମୀର ମହାନ୍ତି ଏହି ଅନ୍ତରୀଣ ଆବେଦନ କରିଥିଲେ। ଏହା ସହ ଏକ ଅଦାଲତ ଅବମାନନା ମାମଲା ମଧ୍ୟ ରୁଜୁ କରିଥିଲେ। ଶୁକ୍ରବାର ଦିନ କେବଳ ଅନ୍ତରୀଣ ଆବେଦନ ଉପରେ ଶୁଣାଣି କରାଯାଇଥିଲା।

Tags: #PuriSrimandirRatnaBhandar #RatnaBhandarOpeningIssue #OdishaHighCourt #Odisha

Comment