ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବହୁ ଚର୍ଚ୍ଚିତ ବ୍ଲାକମେଲିଂ ଓ ହନିଟ୍ରାପ୍ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ତାଙ୍କୁ ଇଡି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିବାପରେ ସେ ମଙ୍ଗଳବାର ଜେଲରୁ ମୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଥିଲା।

ମଙ୍ଗଳବାର ସକାଳେ ଅର୍ଚ୍ଚନାଙ୍କୁ ନେବା ପାଇଁ ତାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଯାଇଥିଲେ। ଜେଲରୁ ବାହାରିବା ପରେ ସେ ପୋଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ଡିସେମ୍ବର ୪ ତାରିଖରେ ଅର୍ଚ୍ଚନାଙ୍କୁ ଇଡି ମାମଲାରେ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପୂର୍ବରୁ ବ୍ଲାକମେଲିଂ ଓ ହନିଟ୍ରାପ୍ ଅଭିଯୋଗରେ ନୟାପଲ୍ଲୀ ଥାନା ଏବଂ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରେ ରହିଥିଲେ। ଶେଷରେ ଇଡି ମାମଲାରେ ଜାମିନ ମଞ୍ଜୁର ହେବାପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।

ଅର୍ଚ୍ଚନା ନାଗଙ୍କ ବିରୋଧରେ ବ୍ଲକମେଲିଂର ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଜଣେ ଯୁବତୀଙ୍କୁ ମୋହରା କରି ଅର୍ଚ୍ଚନା ତାଙ୍କୁ ବ୍ଲକମେଲ କରି ୩ କୋଟି ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ ଅକ୍ଷୟ ପରିଜା।

ସେହିପରି ହନିଟ୍ରାପିଂ ଘଟଣାରେ ନିଜକୁ ପୀଡ଼ିତା ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଗଙ୍କ ବିରୋଧରେ ଏତଲା ଦେଇଥିଲେ। ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ ଓ ଅନ୍ୟ ସହଯୋଗୀ ଖଗେଶ୍ଵର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହାପରେ ଖଣ୍ଡଗିରି ପୋଲିସ ୨୦୨୨ ଅକ୍ଟୋବର ୬ ତାରିଖରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ଭୁବନେଶ୍ଵରସ୍ଥିତ ଦୌରା ଜଜଙ୍କ ଅଦାଲତରେ ତାଙ୍କ ଜାମିନ ଖାରଜ ହୋଇଥିଲା। ସେହିପରି ୨୦୨୨ ଡିସେମ୍ବର ୧୩ ତାରିଖରେ ଅର୍ଚ୍ଚନାଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗରେ ଇଡିରେ ମାମଲା ରୁଜୁ ହୋଇଥିଲା। ଶେଷରେ ସେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: #ArchanaNaag #HoneytrapCase #Bail #OdishaHighCourt #EDCase #Odisha

LEAVE A REPLY

Please enter your comment!
Please enter your name here