ଓଡ଼ିଶାଲାଇଭ୍ ବ୍ୟୁରୋ

ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ରାତି ପାହିଲେ ୬ ମାସ ପୂରିବ। ଶୁକ୍ରବାର ଦିନ ଆସିଛି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ପଲିଗ୍ରାଫ ରିପୋର୍ଟ। ନବ ଦାସଙ୍କ ହତ୍ୟାକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଏହି ରିପୋର୍ଟରେ ରହିଛି। ଏହି ରିପୋର୍ଟ ଆସିବା ପରେ ନବ ଦାସ ହତ୍ୟାକାଣ୍ଡରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ ବୋଲି ଆଶଙ୍କା କରାଯାଉଛି।

ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଗୋପାଳଙ୍କ ଉପରେ ନବ ଦାସ ରାଗି ଥିବା କଥା ମନୋଜ ବରିହା ନାମକ ଜଣେ ବ୍ୟକ୍ତି ଗୋପାଳଙ୍କୁ କହିଥିଲେ। ନିଜ ବଡ଼ ଭାଇଙ୍କ ସହ ବସିଥିବାବେଳେ ମନୋଜ ଏହି କଥା କହିଥିବା ପଲିଗ୍ରାଫ ଟେଷ୍ଟ ସମୟରେ କହିଥିଲେ ଗୋପାଳ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ନବ ଦାସଙ୍କ ଗାଡ଼ି ଅଟକାଇବା ଏବଂ ତାଙ୍କ ସମର୍ଥକଙ୍କୁ ତାଗିଦ୍ କରିବାକୁ ନେଇ ନବ ଦାସ ରାଗି ଥିବା ଗୋପାଳ ଭାବିଥିଲେ। ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେ ନବ ଦାସଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଗୋପାଳ ପୂର୍ବରୁ ଦୁଇଥର ହତ୍ୟା ପାଇଁ ଉଦ୍ୟମ କରି ବିଫଳ ହୋଇଥିବା କଥା ପଲିଗ୍ରାଫ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପଲିଗ୍ରାଫ ଟେଷ୍ଟ ସମୟରେ ମୋଟ ୨୬ଟି ପ୍ରଶ୍ନ କରାଯାଇଥିଲା ବେଳେ ୧୩ଟି ପ୍ରଶ୍ନର ଉତ୍ତର ଦେଇଥିଲେ ଗୋପାଳ।

ଏପଟେ ପଲିଗ୍ରାଫ ଟେଷ୍ଟ ରିପୋର୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେଁ ବୋଲି କହିଛନ୍ତି ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ। ଗୋପାଳଙ୍କର ମାନସିକ ସ୍ଥିତି ଭଲ ନଥିବା ସେ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ପଲିଗ୍ରାଫ ରିପୋର୍ଟରେ ଉଲ୍ଲେଖ ରହିଥିବା ମନୋଜ ବରିହା କାହିଁକି ଗୋପାଳଙ୍କୁ ନବ ଦାସ ରାଗି ଥିବା କହିଥିଲେ ଏବଂ କାହା ନିର୍ଦେଶରେ କହିଥିଲେ ତା’ର ତଦନ୍ତ କରାଯିବା ଆବଶ୍ୟକ ବୋଲି ଗୋପାଳଙ୍କ ଓକିଲ କହିଛନ୍ତି।

ଗତ ଜାନୁଆରି ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ନବ ଦାସଙ୍କୁ ଗୁଳି କରିଥିଲେ ଫାଣ୍ଡି ଏଏସଆଇ ଗୋପାଳ ଦାସ। ପରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ନବ ଦାସଙ୍କୁ ହତ୍ୟା କରିବା ଅଭିଯୋଗରେ ଏକ ମାତ୍ର ଅଭିଯୁକ୍ତ ଭାବେ ଗୋପାଳ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।

Tags: #NabaKishorDasMurderCase #GopalDas #PolygraphReport

Comment