ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗୁରୁବାର କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ କୋର୍ଟରେ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ କରାଯାଇଛି।

ଝାରସୁଗୁଡ଼ା କୋର୍ଟରେ ହାଜର କରିବା ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷାମଧ୍ୟରେ ଗୋପାଳ ଦାସକୁ କଟକ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ନିଆଯାଇଥିଲା। ରାତିରେ ଝାରସୁଗୁଡ଼ା ଓଏସଏପି ବାଟାଲିଅନରେ ରହିବାପରେ ଗୁରୁବାର ସକାଳେ କ୍ରାଇମବ୍ରାଞ୍ଚର ଏକ ଟିମ ଗୋପାଳକୁ ଜେଏମଏଫସି କୋର୍ଟକୁ ଆଣିଥିଲେ।

କୋର୍ଟରେ ମାତ୍ର ୨୦ ମିନିଟ ମଧ୍ୟରେ ଅଭିଯୁକ୍ତ ଗୋପାଳର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିଲା। ଏବେ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।

ଏହି ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏଠାରେ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।

ଚଳିତବର୍ଷ ଜାନୁଆରି ୨୯ ତାରିଖରେ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲା। ଫଳରେ ନବ ଦାସଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ହିଁ ନବ ଦାସଙ୍କ ହତ୍ୟା ମାମଲାରେ ଏକ ମାତ୍ର ଅଭିଯୁକ୍ତ ଭାବେ ଗୋପାଳ ଦାସକୁ ଗିରଫ କରାଯାଇଥିଲା।

ଏହାପରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରି ମେ’ ୨୬ ତାରିଖରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲେ। ଗୋପାଳ ଦାସ ଏକାକୀ ଏହି ହତ୍ୟା ଯୋଜନା କରିଥିବା ଏଥିରେ କୁହାଯାଇଥିଲା। ଗୋପାଳ ବିରୋଧରେ ହତ୍ୟା ପାଇଁ ଆଇପିସି ଧାରା ୩୦୨, ହତ୍ୟା ଉଦ୍ୟମ ପାଇଁ ୩୦୭ ଏବଂ ୨୭(୧) ଆର୍ମସ ଆକ୍ଟ ଧାରା ଲାଗିଛି।

Tags: #NabaKishorDasMurderCase #CrimeBranchInvestigation #GopalDas #JharsugudaJMFCCourt

 

Comment