ଓଡ଼ିଶାଲାଇଭ୍‌ ବ୍ୟୁରୋ

“ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବକାଳରେ ନୟାଗଡ଼ର ବିକାଶ ହୋଇଛି। ଏହି ବିକାଶର ଧାରାକୁ ଆଗକୁ ନେବାକୁ ହେଲେ ପୁଣିଥରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ। ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ଓ ମୈତ୍ରୀଭାବ ସୃଷ୍ଟି କରିବାକୁ ପଡ଼ିବ”,- ଏହା କହିଛନ୍ତି ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ।

ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକରେ ପଦଯାତ୍ରା ଶେଷ କରିବା ପରେ ଆଜି ନୟାଗଡ଼ରେ ଆୟୋଜନ କରାଯାଇଥିଲା କର୍ମୀ ସମ୍ମିଳନୀ। ଏହି ସମ୍ମିଳନୀରେ ବହୁ କର୍ମୀ ଯୋଗ ଦେଇଥିଲେ। କର୍ମୀଙ୍କ ଗହଣରେ ଡକ୍ଟର ଅରୁଣ ସାହୁ ବିଜେଡି ଶାସନର ସଫଳତା ବଖାଣିଥିଲେ।

ଏହି ଅବସରରେ ସେ ଆହୁରି କହିଥିଲେ ଯେ, ନୟାଗଡ଼ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ଯୋଗୁଁ ମୋତେ ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି। ୨୦୦୪ରୁ ନୟାଗଡ଼ବାସୀ ମୋତେ ବିଧାୟକ ହେବାର ସୁଯୋଗ ଦେଇଛନ୍ତି। ଏଣୁ ନୟାଗଡ଼ର ସର୍ବାଙ୍ଗୀନ ବିକାଶ ମୋର ଲକ୍ଷ୍ୟ।

କର୍ମୀ ସମ୍ମିଳନୀ ପୂର୍ବରୁ ବିଧାୟକ ଡକ୍ଟର ଅରୁଣ ସାହୁ ୧୦ ଦିନରେ ୨୦୦ କିମି ପଦଯାତ୍ରା କରି ଚର୍ଚ୍ଚାରେ ରହିଛନ୍ତି।

ଏହି କର୍ମୀ ସମ୍ମିଳନୀରେ ସାଂସଦ ପିନାକୀ ମିଶ୍ର ଯୋଗଦେଇ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ସରକାର ପ୍ରତି ସାଧାରଣ ଲୋକଙ୍କ ବିଶ୍ବାସ ରହିଛି। ଏହି ବିଶ୍ବାସ ଓ ଭରସା ଆଗାମୀ ଦିନରେ ଜାରି ରହିବ।”

ଅନ୍ୟମାନଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଜୟନ୍ତୀ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳା ମହାନ୍ତି ଉପସ୍ଥିତ ଥିଲେ। ଏହାସହ ରାଜ୍ୟ ବିଜୁ ଛାତ୍ର ଜନତା ସଭାପତି ରାଣାପ୍ରତାପ ପାତ୍ର ଏବଂ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ମହାପାତ୍ର ଯୋଗଦେଇଥିଲେ।

Comment