ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାର୍ଚ୍ଚ ୧୫ରୁ ‘କୃଷି ଓଡ଼ିଶା ୨୦୨୧’
  • ୫ ଦିନ ଧରି ଚାଲିବ କୃଷି ମହାକୁମ୍ଭ
  • ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବ ଆୟୋଜନ
  • ଏ ବର୍ଷର ଥିମ୍‌ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’

‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ ’- ଏହି ଥିମ୍‌କୁ ଆଧାର କରି ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା ୨୦୨୧‘। ଫିକି ସହଯୋଗରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ।

‘‘କୃଷି ଓଡ଼ିଶାର ଆୟୋଜନ ଯେପରି ରାଜ୍ୟର କୃଷି ଓ କୃଷକମାନଙ୍କ ଉନ୍ନତି ଦିଗରେ ସହାୟକ ହୋଇପାରିବ, ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ’’, କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ।

କୃଷି ଓଡ଼ିଶାକୁ ଆୟୋଜନ ପ୍ରସ୍ତୁତିକୁ ନେଇ ଫେବ୍ରୁଆରି ୧୯ ତାରିଖରେ ଏକ ବୈଠକ ବସିଥିଲା। ‘କୃଷି ଓଡ଼ିଶା ୨୦୨୧’ରେ କୃଷକ ଉତ୍ପାଦକ ସଂଗଠନ, ମିଲେଟ୍‌ ମିଶନ ଓ ମିଶନ ଶକ୍ତି, ଅମଳ ପରବର୍ତ୍ତୀ ଫସଲ ପରିଚାଳନା ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଆଦି ବିଷୟ ଉପରେ କେନ୍ଦ୍ରିତ ହେବ। କୋଭିଡ୍‌-୧୯ ମାର୍ଗଦର୍ଶିକାକୁ ପାଳନ କରି କୃଷି ଓଡ଼ିଶାର ଆୟୋଜନ କରାଯିବାବେଳେ ଏହାକୁ ଯେପରି ଅଧିକରୁ ଅଧିକ ଲୋକ ଦେଖିପାରିବେ ସେଥି ନିମନ୍ତେ କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ସୌରଭ ଗର୍ଗ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିସନର ତଥା ଶାସନ ସଚିବ ଆର୍‌ ରଘୁପ୍ରସାଦ, ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡକ୍ଟର ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଫିକିର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

Comment