ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‌ ସମାବର୍ତ୍ତନ ଉତ୍ସବ ଭାଷଣରେ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ରୋଚକ ରାଜନୀତିକ ମନ୍ତବ୍ୟ।

“ଆଇ ଆମ୍‌ ରିଟାୟାର୍ଡ ଫ୍ରମ ପଲିଟିକ୍ସ, ବଟ୍‌ ନଟ୍‌ ଟାୟାର୍ଡ ଫ୍ରମ ପବ୍ଲିକ ଲାଇଫ୍‌”,- ଆଜି କିଟ୍‌ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଷଣ ଦେବା ବେଳେ ହାସ୍ୟ ଛଳରେ ଏକଥା କହିଛନ୍ତି ଉପ-ରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁ।

ସମାବର୍ତ୍ତନ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ, ଗବେଷକ, ଶିକ୍ଷାବିତ୍ ଏବଂ ସମାଜର ବିଭିନ୍ନ କ୍ଷେତ୍ରରୁ ଆସିଥିବା ବ୍ୟକ୍ତିଙ୍କୁ ଉପ-ରାଷ୍ଟ୍ରପତି ମହାନ୍ ଭାରତୀୟ ପରମ୍ପରା ଏବଂ ଆମ ଦେଶର ସାଂସ୍କୃତିକ ବିବିଧତା ସମ୍ପର୍କରେ କହିଥିଲେ। ସେହିପରି ମାତୃଭାଷା, ମାଆ, ମାତୃଭୂମି ଏବଂ ଗୁରୁ – ମାନବ ଜୀବନରେ ଏହି ଚାରିଟି ବିଷୟ ପରାମର୍ଶ ଦେଇଥିଲେ।

ଆଜି ନାଇଡୁ ତାଙ୍କ ଭାଷଣ ‘ଜୟ ଜଗନ୍ନାଥ’ କହି ଆରମ୍ଭ କରିଥିଲେ। ସେହିପରି ସେ ପ୍ରଥମରୁ ଦେଢ଼ ମିନିଟ ପର୍ଯ୍ୟନ୍ତ ଓଡ଼ିଆରେ ଲିଖିତ ଭାଷଣ ପଢ଼ିଥିଲେ। ସେ କହିଥିଲେ ଯେ, ଓଡ଼ିଶା ତାଙ୍କର ପ୍ରିୟ, କାରଣ ଏହା ଜଗନ୍ନାଥଙ୍କ ପ୍ରଦେଶ। ସେ ଓଡ଼ିଆରେ ଭାଷଣ ଦେବା ବେଳେ ଦର୍ଶକ ଘନଘନ କରତାଳି ଦେଇଥିଲେ।

ସେ ଓଡ଼ିଆରେ ଭାଷଣ ଦେବା ସହ ନିଜ ମାତୃଭାଷା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଘରେ ଘରେ ପିଲାମାନେ ମାତୃଭାଷା ବ୍ୟବହାର କରିବାକୁ ଅଭିଭାବକ ଓ ବଡ଼ମାନେ ଧ୍ୟାନ ଦିଅନ୍ତୁ ବୋଲି ନାଇଡୁ ତାଙ୍କ ବକ୍ତବ୍ୟରେ କହିଥିଲେ। ଅନ୍ୟ ଯେତେ ଭାଷା ଜାଣିଥିଲେ ମଧ୍ୟ ନିଜ ମାତୃଭାଷାରେ ଜଣେ ବ୍ୟକ୍ତି ନିଜକୁ ସଠିକ୍ ଭାବେ ବ୍ୟକ୍ତ କରିପାରିବ ବୋଲି ସେ ବର୍ଣ୍ଣନା କରିଥିଲେ।

ଭେଙ୍କେୟା ନାଇଡୁ ଓଡ଼ିଆରେ କିଛି ବାକ୍ୟ କହିବା ପରେ “ଏହାଠାରୁ ଅଧିକ ମୁଁ ଆପଣମାନଙ୍କ ଭାଷାରେ କହି ପାରିବି ନାହିଁ” କହି କ୍ଷମା ମାଗିଥିଲେ।

“ମୁଁ ଆଉ ରାଜନୀତିରେ ନାହିଁ” – ନାଇଡୁଙ୍କ ଏଭଳି ବକ୍ତବ୍ୟ ସହିତ ଓଡ଼ିଆରେ ଭାଷଣ ଏବଂ ‘ଜୟ ଜଗନ୍ନାଥ’ ଉଚ୍ଚାରଣ ଏସବୁ ଭିତରେ ଉପସ୍ଥିତ କେତେକ ଦର୍ଶକ କିଛିଟା ରାଜନୈତିକ ବାସ୍ନା ବାରିବା ସହ ପ୍ରେକ୍ଷାଳୟ ବାହାରେ ହାଲୁକା ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରେ ରହିବା ପରେ ଭେଙ୍କେୟା ନାଇଡୁ କିଛିମାସ ତଳେ ଭାରତର ଉପ-ରାଷ୍ଟ୍ରପତି ଭାବେ ଏକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଛନ୍ତି।ବିଜେପି ରାଜନୀତିରେ ସେ ଥିଲେ ଜଣେ ଆଗଧାଡ଼ିର ଜାତୀୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଥିଲେ ପ୍ରମୁଖ ସହଯୋଗୀ। ତେଣୁ ଆଜିର ଦିନରେ ସେ “ଆଇ ଆମ୍‌ ରିଟାୟାର୍ଡ ଫ୍ରମ ପଲିଟିକ୍ସ, ବଟ୍‌ ନଟ୍‌ ଟାୟାର୍ଡ ଫ୍ରମ ପବ୍ଲିକ ଲାଇଫ୍‌” କହିବା ରାଜନୀତିକ ଦୃଷ୍ଟିରୁ ବେଶ୍‌ ରୋଚକ ମନେ ହେଉଛି।

 

Comment