ଓଡ଼ିଶାଲାଇଭ୍‍ ବ୍ୟୁରୋ

କାମ ଛାଡି ଭିକାରି ଖୋଜିଲେ ବି ପକେଟକୁ ଟଙ୍କା ଆସିଯିବ। କାରଣ ଜଣେ ଭିକାରି ଠାବ କଲେ ମିଳିବ ୫୦୦ ଟଙ୍କା। ଏହି ଟଙ୍କା ଅନ୍ୟ କେହି ନୁହେଁ, ପୋଲିସ ଦେବ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ତେବେ ଭୁବନେଶ୍ୱର କିମ୍ବା ଓଡ଼ିଶାର କେଉଁ ସ୍ଥାନ ନୁହେଁ। ଯଦି ଏମିତି ଉପାୟରେ କେହି ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ତାଙ୍କୁ ହାଇଦ୍ରାବାଦ ଯିବାକୁ ପଡିବ। ଅପେକ୍ଷା କରିବାକୁ ପଡିବ ଡିସେମ୍ବର ପର୍ଯ୍ୟନ୍ତ। କାରଣ ଅଫର ଲାଗିବ ଡିସେମ୍ବର ପହିଲାରୁ।

ଡିସେମ୍ବର ୧ରୁ ଯଦି କୌଣସି ବ୍ୟକ୍ତି ହାଇଦ୍ରାବାଦ ସହରରେ କୌଣସି ଭିକାରିଙ୍କୁ ଠାବ କରେ, ତାକୁ ପୋଲିସ ୫୦୦ ଟଙ୍କା ପୁରସ୍କୃତ କରିବ। କାରଣ ଭିକାରୀମୁକ୍ତ ହାଇଦ୍ରାବାଦ ଅଭିଯାନ ଆରମ୍ଭ କରିଛି ପୋଲିସ।

ଆଉ ଏ କଥା କାହା ପାଇଁ ହେଉଛି ଜାଣନ୍ତି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଲିଅଳି କନ୍ୟା ତଥା ତାଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପଙ୍କ ପାଇଁ। ସେ ହାଇଦ୍ରାବାଦ ଆସୁଛନ୍ତି। ଆଉ ହାଇଦ୍ରାବାଦରେ ପହଞ୍ଚି ଯେଭଳି ରାସ୍ତାରେ ଭିକାରୀ ନଦେଖନ୍ତି, ସେଥିପାଇଁ ପୋଲିସ ଆରମ୍ଭ କରି ଦେଇଛି ଅଭିଯାନ।

ପୂର୍ବତନ ମଡେଲ ଟ୍ରମ୍ପ ଦୁହିତାଙ୍କ ପାଇଁ ହାଇଦ୍ରାବାଦ ରାସ୍ତାରେ ଆଉ ଭିକାରୀଙ୍କ ଜାଗା ନାହିଁ। ଗୋଟିଗୋଟି କରି ଭିକାରୀଙ୍କୁ ସହରରୁ ବାହାର କରୁଛି ପୋଲିସ। ଯେଉଁମାନଙ୍କୁ ପୋଲିସ ବିଦା କରୁଛି, କାଳେ ସେମାନେ ପୁଣି ଥରେ ପଶି ଆସିବେ, ସେଥିପାଇଁ ଟିପ ଚିହ୍ନ ଆଉ ଫଟୋ ଉଠାଇ ରଖୁଛି। ଆଉ ଧମକ ଦିଆଯାଉଛି ଯଦି ପୁଣି ଥରେ ରାସ୍ତାରେ ଦେଖିବାକୁ ମିଳେ ତାହାଲେ ଗିରଫ କରି ଜେଲରେ ଠୁଙ୍କି ଦିଆଯିବ। ଜେଲ ଦଣ୍ଡ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ।

ପୋଲିସ ଧରୁଥିବା ଭିକାରିଙ୍କୁ ସେମାନଙ୍କ ସଂପର୍କୀୟଙ୍କୁ ଜିମା ଦେଉଛି। କିଛି ଭିକାରୀଙ୍କୁ ଆଶ୍ରମକୁ ବି ପଠାଇ ଦିଆଯାଉଛି। ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍, ମନ୍ଦିର ସବୁଠି ଛାପା ମାରୁଛି ପୋଲିସ। ଯେଉଁ ମହିଳା ଭିକାରୀମାନେ ଛୁଆ ଧରି ରାସ୍ତାରେ ବୁଲୁଛନ୍ତି, ସେମାନେ ପ୍ରକୃତରେ ତାଙ୍କ ଛୁଆ କି ନାହିଁ, ତାହା ବି​‌ ପୋଲିସ ଚିହ୍ନଟ କରୁଛି। ତେବେ ପୋଲିସ ଡିଏନଏ ଚିହ୍ନଟ କରିବାକୁ ନିଷ୍ପତ୍ତି ନେଇନି।

ନଭେମ୍ବର ଶେଷ ସୁଦ୍ଧା ଭିକାରିମୁକ୍ତ ହେବ ହାଇଦ୍ରାବାଦ। ଆଉ ତା’ ପରେ ଭିକାରୀଙ୍କୁ ଧରାଇଦେଲେ ଆପଣଙ୍କୁ ମିଳିବ ପ୍ରତି ଭିକାରି ପିଛା ୫୦୦ ଟଙ୍କା। ତେବେ ବେଶି ଦିନ ପର୍ଯ୍ୟନ୍ତ ନୁହେଁ। ଏମିତି ଉପାୟରେ ୨୦୧୮ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଜଣେ ଟଙ୍କା ରୋଜଗାର କରିପାରିବ। ତା’ ପରେ ଭିକାରୀଙ୍କୁ ପୁଣି ହାଇଦ୍ରାବାଦରେ ଭିକ୍ଷାବୃତ୍ତି କରିବାକୁ ଅନୁମତି ମିଳିବ।

Comment