ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷଣକୁ କଟାକ୍ଷ କରିଛି ବିଜେପି। ବିନା ଟେଲି ପ୍ରଂପ୍‌ଟରରେ ଓଡ଼ିଆ କହିଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦେବ କହି ବିଜେପି ସୃଷ୍ଟି କରିଛି ଆଲୋଡ଼ନ।

ଶିଶୁଦିବସ ଅବସରରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆରେ ଦେଇଛନ୍ତି ପରାମର୍ଶ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପଡ଼ିଆରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ନବୀନ ରାଜ୍ୟର ୬ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ହେଲେ ନବୀନଙ୍କ ଏହି ଓଡ଼ିଆ ଭାଷଣକୁ ବିରୋଧୀ କଟାକ୍ଷ କରିଛନ୍ତି।

ବିରୋଧୀ ବିଜେପି ପ୍ରେମିଟ୍‌ରେ ମୁଖ୍ୟୃମନ୍ତ୍ରୀଙ୍କ ଓଡ଼ିଆ ଭାଷଣକୁ ତେରଛା ବାଣ ମାରିଛି। କହିଛି, “ମୁଖ୍ୟମନ୍ତ୍ରୀ ପ୍ରଚାର ସର୍ବସ୍ବ ହୋଇ ଯାଇଛନ୍ତି। ନିଜ ସରକାରର ଅପାରଗତାକୁ ଲୁଚାଇବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟବାସୀଙ୍କୁ ଶାସକ ଦଳ ବିଭ୍ରାନ୍ତ କରୁଛି।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, “ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଯଦି ୨୫ ପୃଷ୍ଠାରେ ଲିଖିତ ଓଡ଼ିଆ ପୁସ୍ତକକୁ ଯଦି ବିନା ଟେଲି ପ୍ରଂପ୍‌ଟର ସହାୟତା ପଢ଼ିଦେବେ ତାହାଲେ ଆମେ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦେବୁ।”

ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟରେ ୪୪ ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ୬୬ ପ୍ରତିଶତ ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ। ଶିକ୍ଷକମାନଙ୍କୁ ସେମାନଙ୍କ ହକ୍‌ ମିଳୁନି। ଏଭଳିସ୍ଥଳେ ହାଇଟେକ୍‌ ଶିଶୁ ଦିବସ ପାଳନ କରିବା ଦୁର୍ଭାଗ୍ୟଜନକ।

ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ଶିଶୁଦିବସ ପାଳନକୁ ବିରୋଧ କରି ବିଜେପି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଛି। ବିଜେପି କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଇଥିଲେ।

 

Comment