ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆରା ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ। ରାଜ୍ୟ ସ୍ତରୀୟ ଶିଶୁଦିବସ କାର୍ଯ୍ୟକ୍ରମରେ ଶିଶୁଙ୍କ ଗହଣରେ ବସି ମନଖୋଲା କଥା ହୋଇ ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି।

୧୭ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଦେଖିବାକୁ ମିଳିଥିଲା ନିଆରା ଷ୍ଟାଇଲ୍‌ରେ। ଭୁବନେଶ୍ବର ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଶିଶୁଦିବସ କାର୍ଯ୍ୟକ୍ରମରେ ନବୀନ ଶିଶୁମାନଙ୍କ ଗହଣରେ ବସିଥିଲେ। ମଞ୍ଚ ଉପରେ ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

ଖାଲି ସେତିକି ନୁହେଁ, ପାଖରେ ବସିଥିବା ଛାତ୍ରଛାତ୍ରୀଙ୍କ ସହ ଖୁସି ମିଜାଜ୍‌ରେ କଥା ହୋଇଥିଲେ। ମଞ୍ଚ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବା କଳାକାରମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ନବୀନଙ୍କ ଏହି ନିଆରା ଷ୍ଟାଇଲ୍‌ ଶିଶୁଦିବସରେ ଚର୍ଚ୍ଚାର ବିଷୟ ହୋଇଛି।

ନିର୍ଦ୍ଧାରିତ ସମୟରେ ଉତ୍ସବସ୍ଥଳରେ ପହଞ୍ଚିଥିଲେ ପିଲା। ସକାଳ ୯ଟା ପୂର୍ବରୁ ଗହଳଚହଳରେ ଫାଟି ପଡ଼ୁଥିଲା କ୍ୟାପିଟାଲ ହାସ୍କୁଲ ପଡ଼ିଆ। ପିଲାମାନେ ଲମ୍ବା ଧାଡ଼ିରେ ଆସି ଆସନରେ ବସିବା ପରେ ଉତ୍ସବ ସ୍ଥଳକୁ ପ୍ରବେଶ କରିଥିଲେ ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀମାନେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ। ଆଉ ହସ ହସ ମୁହଁରେ ମୁଖ୍ୟମନ୍ତ୍ରୀ ମଞ୍ଚ ନିକଟକୁ ଯାଇଥିଲେ।

ଉତ୍ସବସ୍ଥଳରେ ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ ସ୍ଲୋଗାନ୍ ଛାଇ ଯାଇଥିଲା। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଶପଥପାଠ କରାଇବା ପରେ ମନର କଥା କହିଥିଲେ।

କେବଳ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ସାଢ଼େ ୪ ହଜାର ପିଲା ଉପସ୍ଥିତ ଥିବା ବେଳେ ସାରା ରାଜ୍ୟରେ ୬ ଲକ୍ଷ ୬୦ ହଜାର ପିଲା ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିଛନ୍ତି। ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍କୁଲରେ ଆୟୋଜନ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

 

Comment