ଓଡ଼ିଶାଲାଇଭ୍‍ ବ୍ୟୁରୋ

ରାଜ୍ୟ କ୍ରାଇମ ବ୍ରାଞ୍ଚର ଏହି ଖବରଟି ନିଶ୍ଚିତ ଭାବେ ବିବ୍ରତ କରିବା ଭଳି ଖବର। କ୍ରାଇମବ୍ରାଞ୍ଚର ତଥ୍ୟ ଅନୁଯାୟୀ ବିଗତ କିଛି ମାସ ମଧ୍ୟରେ ସାଇବର ଅପରାଧ ଅସମ୍ଭବ ରକମ୍ ବଢ଼ିଛି। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୬୬୯ଟି ଅପରାଧ ପଞ୍ଜିକୃତ ହୋଇଛି। ଗତବର୍ଷ ଏହି ସମୟ ମଧ୍ୟରେ ୩୭୮ଟି ମାମଲା ରୁଜୁ ହୋଇଥିବାବେଳେ ଏବର୍ଷ ତାହା ଦୁଇଗୁଣ ହୋଇଛି।

କ୍ରାଇମ ବ୍ରାଞ୍ଚ ଅତିରିକ୍ତ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଯେ ଏଥିପାଇଁ ଭୁବନେଶ୍ୱରରେ ମଙ୍ଗଳବାରଠାରୁ ଏକ ଦୁଇଦିନିଆ ତାଲିମ ପ୍ରଦାନ ଶିବିର ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଥାନାରେ ନିଯୁକ୍ତ ପୋଲିସ ଅଧିକାରୀ ଯେଉଁମାନେ ସାଇବର ଅପରାଧ ତଦନ୍ତ ଦାୟିତ୍ୱରେ ଅଛନ୍ତି ସେମାନେ ଏଥିରେ ଭାଗ ନେଉଛନ୍ତି।

ନିକଟରେ ସରକାର ୩ଟି ସହରରେ ସାଇବର ଥାନା ପ୍ରତିଷ୍ଠା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏବେ ଏହାର ସଂଖ୍ୟା ବଢିବ।ଆଗରୁ ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ସାଇବର ଥାନା ହେବ ବୋଲି ଘୋଷଣା କରିଥିଲେ ସରକାର। ଏବେ ଭୁବନେଶ୍ୱର, ଜୟପୁର ଓ ବାଲେଶ୍ୱରରେ ନୂଆ ସାଇବର ଥାନା ଖୋଲିବ। ଶେଷ ୩ଟି ପୋଲିସ ଷ୍ଟେସନରେ କେବଳ ଆଇଟି ସମ୍ପର୍କିତ ଅପରାଧର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ କେବଳ କଟକରେ ସାଇବର ଥାନା ଥିଲା। କାମର ଚାପ ଯୋଗୁଁ ସରକାର ଏହାର ସଂଖ୍ୟା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶାରେ ୨୦୧୨-୧୩ ବେଳକୁ ସାଇବର ଅପରାଧ କଣ କେହି ଜାଣି ନଥିଲେ କି ଶୁଣି ନଥିଲେ। କିନ୍ତୁ ଗତ ଦୁଇବର୍ଷ ମଧ୍ୟରେ ଏହା ଆକାଶ ଛୁଆଁ ହୋଇଛି।

୨୦୧୫ ପରଠାରୁ ରାଜ୍ୟରେ ସାଇବର ଅପରାଧ ୨୧୫ ପ୍ରତିଶତ ବୃଦ୍ଧି ପାଇଛି ଯାହା ଫଳରେ ଏହା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଜାତୀୟ ଅପରାଧ ବ୍ୟୁରୋର ତଥ୍ୟ ଅନୁଯାୟୀ ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ ଯେଉଁଠି ସାଇବର ଅପରାଧ କ୍ରମାଗତ ଭାବେ ବୃଦ୍ଧି ପାଉଛି।

Comment