ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ବଡ଼ ଧରଣର ସାଇବର ଠକେଇର ପର୍ଦାଫାସ କରିଛି ଜୟପୁର ସଦର ଥାନା ପୋଲିସ। ଲୋକଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାଁରେ ଜାଲ ଦସ୍ତାବିଜ ପ୍ରସ୍ତୁତ କରି ଆକାଉଣ୍ଟ ଖୋଲିବା ଏବଂ ଠକେଇ କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସେମିଳିଗୁଡ଼ାର ବଳରାମ ଦାସ, ଭୁବନେଶ୍ଵରର ସତ୍ୟ ରଞ୍ଜନ ସାହୁ ଓ ରାଜୀବ କୁମାର ପ୍ରସାଦ।

ଅଭିଯୁକ୍ତମାନଙ୍କଠାରୁ ବିଭିନ୍ନ ବ୍ୟାଙ୍କର ଚେକ୍ ବୁକ୍, ଏଟିଏମ୍, ପ୍ରିଣ୍ଟର, ଲ୍ୟାପଟପ, ଟ୍ୟାବ୍, ବାୟୋମେଟ୍ରାକ୍ ଡିଭାଇସ, ମୋବାଇଲ ଫୋନ, ବାଇକ୍, ଟଙ୍କା ଗଣା ମେସିନ ଓ ନଗଦ ୨୩, ୫୦୦ ଟଙ୍କା ଜବତ କରାଯାଇଛି। ଏହି ୩ ଅଭିଯୁକ୍ତ ବିଭିନ୍ନ ଲୋକଙ୍କୁ ଲୋନ କରାଇଦେବାକୁ କହି ସେମାନଙ୍କଠାରୁ ଆଧାର କାର୍ଡ ଓ ଅନ୍ୟ ଦସ୍ତାବିଜ ନେଇ ସେମାନଙ୍କ ନାଁରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କଠାରୁ ସେହି ଆକାଉଣ୍ଟ ସହ ଲିଙ୍କ୍ ଥିବା ସିମ୍ କାର୍ଡ, ଚେକ୍ ବୁକ୍ ଓ ଏଟିଏମ୍ ନେଇ ଯାଉଥିଲେ। ପରେ ଏହି ଆକାଉଣ୍ଟ ସେମାନେ ସାଇବର ଠକଙ୍କୁ ଦେଉଥିଲେ। ଏହି ଆକାଉଣ୍ଟ ବ୍ୟବହାର କରି ସାଇବର ଠକମାନେ ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କୁ ଠକି ସେମାନଙ୍କଠାରୁ ଟଙ୍କାକୁ ଏହି ଆକାଉଣ୍ଟରେ ଜମା କରାଉଥିଲେ। ଆକାଉଣ୍ଟରେ ଟଙ୍କା ଜମା ହେବା ପରେ ତୁରନ୍ତ ସେହି ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଉଥିଲେ।

ଠକେଇ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବାକୁ ପୋଲିସ କହିଛି। ଏହି ଠକେଇର ମାଷ୍ଟରମାଇଣ୍ଡକୁ ଧରିବାପାଇଁ ପୋଲିସର ସ୍ଵତନ୍ତ୍ର ଟିମ ଗଠନ କରାଯାଇଛି।

ସାଇବର ଠକେଇର ଶିକାର ହୋଇଥିବା ଜୟପୁର ନିକଟସ୍ଥ କାଳିଆଗାଁର ରଞ୍ଜନ ହରିଜନଙ୍କ ଅଭିଯୋଗ ଆଧାରରେ ଜୟପୁର ସଦର ପୋଲିସ ତଦନ୍ତ କରି ୩ ଜଣ ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଥିଲା।

କ’ଣ ଥିଲା ପୂରା ଘଟଣା?

ଅଭିଯୁକ୍ତ ବଳରାମ ଦାସ ଜୟପୁରର ଏକ ଘରୋଇ ବ୍ୟାଙ୍କରେ ୧ ଲକ୍ଷ ୪୦ ହଜାର ଟଙ୍କାର ଲୋନ କରାଇଦେବାକୁ କହି ରଞ୍ଜନ ହରିଜନଙ୍କଠାରୁ ଆବଶ୍ୟକ ଡକ୍ୟୁମେଣ୍ଟ ସଂଗ୍ରହଣ କରିଥିଲେ। ରଞ୍ଜନଙ୍କ ନାଁରେ ଆକାଉଣ୍ଟ ଖୋଲାଯିବାର ଗୋଟିଏ ଦିନ ପରେ ତାଙ୍କ ଆକାଉଣ୍ଟରେ ୨ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଜମା ହୋଇଥିଲା। ଏହା ଜାଣିବା ପରେ ରଞ୍ଜନ ଏ ସମ୍ପର୍କରେ ପୋଲିସକୁ ଜଣାଇଥିଲେ। ପୋଲିସ ସମ୍ପୃକ୍ତ ଆକାଉଣ୍ଟକୁ ଫ୍ରିଜ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରେ ବଳରାମ ଦାସ, ସତ୍ୟ ରଞ୍ଜନ ସାହୁ ଓ ରାଜୀବ କୁମାର ପ୍ରସାଦଙ୍କୁ ଗିରଫ କରାଯାଇଥିଲା।

Tags: #Jeypure #Koraput #Cybercrime #cyberfraudcase #accusedarrested #policeinvestigation

Comment