ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ରାଜ୍ୟ ବିଜେପି ପାର୍ଟି ଅଫିସରେ ହାଇଡ୍ରାମା ଦେଖିବାକୁ ମିଳିଛି। ଦୁଇଜଣ ଯୁବକ ଅଚାନକ ପାର୍ଟି ଅଫିସରେ ପଶି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଛନ୍ତି। ତେବେ ସେଠାରେ ଥିବା ଦଳୀୟ କର୍ମକର୍ତ୍ତା ଦୁଇ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ପୋଲିସ ଉଭୟଙ୍କୁ ଗିରଫ କରିଛି। ହେଲେ ଏହି ବନ୍ଧୁକ ନକଲି ବୋଲି ପୋଲିସ କହିଛି।
ଆଜି ମଧ୍ୟାହ୍ନ ୧୨ଟାରେ ବିଜେପି ପାର୍ଟି ଅଫିସରେ ଚାଲିଥିଲା ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନୀକୁ ନେଇ ଅନ୍ୟ କର୍ମକର୍ତ୍ତା ବ୍ୟସ୍ତ ଥିବା ବେଳେ ଦୁଇ ଯୁବକ ହଠାତ୍ ରାଜ୍ୟ ସଭାପତିଙ୍କ ଚାମ୍ବରକୁ ପ୍ରବେଶ କରିଥିଲେ। କେହି କିଛି ଭାବିବା ଆଗରୁ ଦୁଇ ଯୁବକ ବସନ୍ତ ପଣ୍ଡାଙ୍କୁ ନକଲି ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏହି ଦୁଇ ଯୁବକ ହେଉଛନ୍ତି ବାରଙ୍ଗ ବ୍ଲକର ପିନାକ ମହାନ୍ତି ଏବଂ ସମ୍ବିତ ପଣ୍ଡା।
ଏ ସମ୍ପର୍କରେ ବସନ୍ତ ପଣ୍ଡା କହିଛନ୍ତି, “ଏହି ଦୁଇ ଯୁବକ ମୋତେ ରବିବାର ଆସି ଭେଟିଥିଲେ। ବାପାଙ୍କ ଦେହ ଖରାପ ଥିବା ଉଭୟ କହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା କରାଇଦେବା ପାଇଁ କହିଥିଲେ। ହେଲେ ଏହି ଯୁବକମାନେ ହଠାତ୍ ଆସି ଆଜି ଧମକ ଦେଇଛନ୍ତି।”
ଏପଟେ ଏହି ଦୁଇ ଯୁବକ କହିଛନ୍ତି, ସେମାନଙ୍କ କଥା ରାଜ୍ୟ ସଭାପତି ଶୁଣିଲେନି।














