ଡକ୍ଟର ହରପ୍ରସନ୍ନ ଦାସ

(ଦ୍ୱିତୀୟ ଭାଗ)

ସୃଜନାତ୍ମକ ଭାବନା ସମସ୍ତଙ୍କ ପାଖରେ ଥିଲେ ମଧ୍ୟ ସୃଜନାତ୍ମକ ଭାବନାରେ ଯେଉଁ ସବୁ ବାଧା ଦେଖାଯାଇଥାଏ ସେ ବିଷୟରେ ଆଲୋଚନା:

ଆତ୍ମବିଶ୍ୱାସର ଅଭାବ

ସୃଜନାତ୍ମକ ଭାବନାର ଦକ୍ଷତା ସମସ୍ତଙ୍କ ପାଖରେ ରହିଛି ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆତ୍ମବିଶ୍ୱାସର ଅଭାବ ଯୋଗୁ ଅଧିକାଂଶ ଲୋକ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କ ମତରେ ଏହା ଏକ ବିଶେଷ ଗୁଣ ଓ ଏହା କେବଳ ଅତି ଶିକ୍ଷିତ ବା ବୁଦ୍ଧିଜୀବୀମାନଙ୍କ ପାଖରେ ଥାଏ। ଯେଉଁମାନେ ଭାଗ୍ୟବାନ୍ ବା ମହତ୍ ଲୋକ ସେହିମାନେ ସୃଜନାମତ୍କ ଭାବନା ସୃଷ୍ଟି କରିପାରିବେ। ଏହି ଦୁର୍ବଳ ମନୋଭାବକୁ ଦୂରକଲେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

ହାରିଯିବାର ଭୟ

କୌଣସି କାର୍ଯ୍ୟକୁ ନୂଆ ପ୍ରକାରରେ କରିବାକୁ ଅଧିକାଂଶ ରାଜି ହୁଅନ୍ତି ନାହିଁ। ଏପରିକି ଗତାନୁଗତିକ ପଥରୁ ଟିକେ ନୂଆ ବାଟରେ ଭାବିବାକୁ ମଧ୍ୟ ଅନେକ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଏହାର ମୁଖ୍ୟ କାରଣ ହେଲା ହାରିଯିବାର ଭୟ। ନୂଆ ଉପାୟରେ ଗଲେ ଯେ ସଫଳତା ମିଳିବ ତାହାର ଗ୍ୟାରେଣ୍ଟି କ’ଣ? ଏଣୁ କାଳେ କାମଟି ଅସଫଳ ହୋଇଯିବ ଏହି ଭୟ ମନକୁ ସଙ୍କୁଚିତ କରିଦିଏ। ଏଣୁ ଅଧିକାଂଶ ଲୋକ ନୂଆ କଥା ନଭାବି ପୂର୍ବ ଚିରାଚରିତ ପ୍ରଥାରେ ଯିବାପାଇଁ ପସନ୍ଦ କରିଥାନ୍ତି।

ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଅଭାବ

ଅନେକ କାମରେ ଆମର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। କାମଟି କରୁ କରୁ ଯେ ପର୍ଯ୍ୟନ୍ତ ଗଲା। କିନ୍ତୁ ଯଦି କୌଣସି କାର୍ଯ୍ୟରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥିବ ତେବେ ସେହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ନୂଆ ଉପାୟ ଅବଲମ୍ବନ କରିବାକୁ ହେବ। ଏଇଠି ଆମର ସୃଜନାତ୍ମକ ଭାବନାର ପ୍ରକୃତ ବ୍ୟବହାର ହୋଇପାରିବ। କାରଣ ଯେମିତି କରୁଛେ ଯଦି ସେମିତି କରିବା ତେବେ ଯେଉଁ ଫଳ ମିଳୁଥିଲା ତାହାହିଁ ମିଳିବ। ଅଧିକ ଉଚ୍ଚମାନର ସଫଳତା ପାଇବାକୁ ହେଲେ ସୃଜନାମତ୍କ ଉପାୟରେ ଭାବି କାର୍ଯ୍ୟ କରିବାକୁ ହେବ। ଏଣୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଅଭାବ ହିଁ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ।

ସମାଲୋଚନାର ଭୟ

ସବୁକାମରେ ପ୍ରଶଂସା ପାଇବାକୁ ଆମ ସମସ୍ତଙ୍କର ଇଚ୍ଛା। କେହି ଯଦି ସମାଲୋଚନା କରିଦିଅନ୍ତି ତେବେ ମନ ଭାଙ୍ଗିଯାଏ ଓ ନିରୁସତ୍ସାହିତ ହୋଇଯାଉ। ମନରେ ଗୋଟିଏ ଧାରଣା ଯେ ଅନ୍ୟମାନେ ମତେ ସମାଲୋଚନା କରିବା ପରି ମୁଁ କିଛି କରିବି ନାହିଁ। ‘ଲୋକେ କ’ଣ କହିବେ’ ବା ‘ସମାଜ କ’ଣ କହିବ’ ଏହିପରି ଏକ ଭାବ ଆମକୁ ପଛକୁ ଟାଣିରଖେ ସୃଜନାମତ୍କ ରାସ୍ତାରେ ଯିବାପାଇଁ ନୂଆ କଥା ନୂଆ ଉପାୟରେ ଭାବିବା ହିଁ ସୃଜନାମତ୍କ ଦକ୍ଷତାର ପ୍ରକୃତ ବ୍ୟବହାର। ସୃଜନାମତ୍କ ଭାବନା ଆମର କାର୍ଯ୍ୟକ୍ଷେତ୍ରରେ ବା ସମସ୍ୟା ସମାଧାନ ଦିଗରେ ହେଉ ଅବା ଖାଇବା, ପିନ୍ଧିବା କି ଫେସନରେ ହେଉ ସବୁଠି ସମାଲୋଚନାର ଭୟ ରହିଛି। ଅନ୍ୟମାନଙ୍କର ସମାଲୋଚନାମୂଳକ ମନ୍ତବ୍ୟ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ପଥରେ ଯିବାକୁ ମନରେ ଭୟ ଆସେ।

ଆତ୍ମସନ୍ତୋଷ ଭାବ

ଆତ୍ମସନ୍ତୋଷ ଭାବଟି ଆମର ସମସ୍ତ ପ୍ରକାରର ବିକାଶରେ ପ୍ରତିବନ୍ଧକ। ଆମେ ବ୍ୟକ୍ତିଗତ ଜୀବନରେ ହେଉ ଅବା କାର୍ଯ୍ୟକ୍ଷେତ୍ରରେ ଯେଉଁ ସ୍ଥିତି ବା ସ୍ତରରେ ଅଛେ ସେତିକିରେ ଯଦି ଆତ୍ମସନ୍ତୋଷ ପାଇବା ତେବେ ମନରେ ସୃଜନାମତ୍କ ଭାବନା ଆସିବାର ପ୍ରଶ୍ନ ଉଠୁନି। ଯାହା ଯେମିତି ଚାଲିଛି ବା ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ହୋଇଯିବା ହିଁ ଆତ୍ମସନ୍ତୋଷ ଭାବ। ସଫଳତାର ପାହାଚରେ ଉପରକୁ ଉଠିବାର ଆଗ୍ରହ ସୃଷ୍ଟି କରିବାରେ ଏହା ବାଧା ଦେଇଥାଏ। ଉଚ୍ଚସ୍ତରକୁ ଉଠିବାକୁ ହେଲେ ପୁଣି ନୂଆବାଟ, ନୂଆକାମ ଏବଂ ନୂଆ ବିପଦର ଆଶଙ୍କା ସହିତ ହାରିଯିବାର ଭୟ ଅବା ଲୋକମାନଙ୍କ ଦ୍ୱାରା ସମାଲୋଚନାର ଭୟ ସବୁକିଛି ଆସିଥାଏ।  ଏଣୁ ଅଧିକାଂଶ ଲୋକ ନିଜ ସ୍ତରରେ ସନ୍ତୁଷ୍ଟ ରହିବାକୁ ପସନ୍ଦ କରନ୍ତି କିନ୍ତୁ ମନେ ରଖିବାକୁ ହେବ ଆମେ ସବୁବେଳେ ଯେ ଗୋଟିଏ ସ୍ତରରେ ରହିପାରିବା ତା’ର କିଛି ଗ୍ୟାରେଣ୍ଟି ନାହିଁ ହଠାତ୍ ଦିନେ ଏହା ତଳକୁ ଖସିଯାଇପାରେ। ଏଣୁ କେବଳ ସୃଜନାତ୍ମକ ଭାବନା ହିଁ ଆମକୁ ଉପର ସ୍ତରକୁ ନେବାରେ ସାହାଯ୍ୟ କରିଥାଏ

ସୃଜନାତ୍ମକ ଭାବନା ଆମ ଜୀବନକୁ ସରସ, ସୁନ୍ଦର ଓ ସଫଳ କରି ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ। କିନ୍ତୁ ମାନସିକ ସ୍ତରରେ ଏହିପରି ଅନେକ ପ୍ରତିବନ୍ଧକ ଆମକୁ ନିରୁସତ୍ସାହିତ କରିଥାଏ। ଏ ସମ୍ପର୍କରେ ଆମେ ସଚେତନ ହେବା ଆବଶ୍ୟକ।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment