ଡକ୍ଟର ହରପ୍ରସନ୍ନ ଦାସ

 (ପଞ୍ଚମ ଭାଗ)

ସୃଜନାତ୍ମକ ଭାବନାର ସଠିକ୍ ବ୍ୟବହାର କରିବାର ବିଭିନ୍ନ ଉପାୟ ସମ୍ପର୍କରେ ଆମେ ଏ ସଂଖ୍ୟାରେ ଆଲୋଚନା କରିବା। ଏଗୁଡ଼ିକୁ ଠିକ୍‌ ରୂପେ କାର୍ଯ୍ୟରେ ବ୍ୟବହାର କଲେହିଁ ଆମେ ସୃଜନାତ୍ମକ ଭାବନାର ସୁଫଳ ପାଇପାରିବା।

ସବୁ ସମସ୍ୟାର ସମାଧାନ ଅଛି

ସାଧାରଣତଃ ମନରେ ଧାରଣା ଥାଏ ଯେ ସବୁ ସମସ୍ୟାର ସମାଧାନ ମିଳିବା କଷ୍ଟକର ଓ ଆମେ କରିପାରିବା ନାହିଁ। କିନ୍ତୁ ସବୁ ସମସ୍ୟାର ସମାଧାନ ରହିଛି। ଧୈର୍ଯ୍ୟର ସହିତ ସୃଜନାତ୍ମକ ଭାବନାର ଦକ୍ଷତାକୁ ଠିକ୍‌ ରୂପେ ବ୍ୟବହାର କରିପାରିଲେ ଏହା ସମ୍ଭବ। ସମସ୍ୟାଟିଏ ଆସିଲେ ଭାଙ୍ଗିନପଡ଼ି ଧୈର୍ଯ୍ୟର ସହିତ ସୃଜନାତ୍ମକ ଭାବରେ ଭାବିବାକୁ ହେବ।

ଅନ୍ଧାର ଭିତରେ ଆଲୁଅଟିଏ ସୃଷ୍ଟି କରିବା ସୃଜନାତ୍ମକ ଭାବନାର ପ୍ରତିଫଳନ। ନିଜ ଭିତରେ ଥିବା ସମସ୍ତ ପ୍ରକାରର ଦକ୍ଷତାର ସକାରାତ୍ମକ ବ୍ୟବହାର ଦ୍ୱାରା ଏହାର ବାଟ ମିଳିଥାଏ।  ପ୍ରତ୍ୟେକ ଘଟଣାର ଦୁଇଟି ଦିଗ ରହିଛି, ଯଥା- ସକାରାତ୍ମକ ଓ ନକରାତ୍ମକ। ଯଦି ଉଭୟ ଦିଗରୁ ଭାବି ତଥ୍ୟ ସଂଗ୍ରହ କରିବା ତେବେ ସମାଧାନରେ ପହଞ୍ଚି ପାରିବା। ଏଥିପାଇଁ ସକରାତ୍ମକ ମନୋବୃତ୍ତିର ଆବଶ୍ୟକ। ଅନେକ ସମୟରେ ଅତିଶୀଘ୍ର ସମାଧାନ ଚାହିଁ ନକରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ସବୁ ଘଟଣା ଘଟିବାର ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ନିଜ ଉପରେ ଆତ୍ମବିଶ୍ୱାସ ରଖି ଚେଷ୍ଟା ଜାରି ରଖିବାକୁ ହେବ।

ଗଠନମୂଳକ ଅସନ୍ତୋଷ

ଅଧିକାଂଶ ଲୋକ ଅଳ୍ପକେ ସନ୍ତୁଷ୍ଟ ହୋଇଯାନ୍ତି। କାମଟି ହୋଇଗଲେ ଆତ୍ମସନ୍ତୋଷ ପାଇ ମାନସିକ ସ୍ତରରେ ହାଲ୍‌କା ହୋଇଯାନ୍ତି। ଏହି ମନୋଭାବରେ ଆମେ ସଫଳତାର ଉଚ୍ଚତମ ପାହାଚରେ ପହଞ୍ଚିପାରିବା ନାହିଁ। ସାଧାରଣତଃ କୌଣସି କାମକୁ ସଫଳତାର ସହିତ କରିଦେଲେ ଲୋକମାନଙ୍କ ପାଖରୁ ପ୍ରଶଂସା ଏବଂ ପୁରସ୍କାର ମିଳିବାର ଆନନ୍ଦରେ ଆମେ ଭୁଲିଯାଉ। କାମଟି ଆହୁରି ଉନ୍ନତ ଭାବରେ ହୋଇପାରିଥାନ୍ତା। ସଫଳତା ପରେ ମଧ୍ୟ ଆହୁରି ଉନ୍ନତି ପାଇଁ ଯଦି ନିଜ ଭିତରେ ଏକ ଗଠନମୂଳକ ଅସନ୍ତୋଷ ସୃଷ୍ଟି କରିପାରିବା ତେବେ ସୃଜନାତ୍ମକ ଭାବନାର ସଦ୍ ବ୍ୟବହାର ହୋଇପାରିବ।

ଆଦିମକାଳରୁ ମଣିଷର ଏହି ଗଠନମୂଳକ ଅସନ୍ତୋଷଟି ସୃଜନାତ୍ମକ ଭାବନାର ସଦ୍ ବ୍ୟବହାର କରିପାରିଛି। ସଫଳତା ପରେ ବି ଆତ୍ମସନ୍ତୋଷ ନହୋଇ ନୂଆ କରିବାର ଉତ୍କଣ୍ଠା ସୃଷ୍ଟି କରିପାରିଛି। ଆମ ଚାରିପଟେ ଥିବା ସମସ୍ତ ପ୍ରକାରର ନୂଆ ସାମଗ୍ରୀଗୁଡ଼ିକ ସୃଜନାତ୍ମକ ଭାବନାର ଫଳାଫଳ ଗଠନମୂଳକ ଅସନ୍ତୋଷ ଭାବ ମଣିଷକୁ ନୂଆ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଥାଏ।  ଏହାକୁ ଠିକ୍‌ ଭାବେ ବୁଝିପାରିଲେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚତ୍ପାରିବ।

ନୂତନତ୍ୱର ସ୍ୱପ୍ନ

ସମସ୍ତେ ସ୍ୱପ୍ନ ଦେଖନ୍ତି। ସ୍ୱପ୍ନ ଦେଖିବା ଏକ ବାସ୍ତବ ଗୁଣ। କିନ୍ତୁ ସ୍ୱପ୍ନକୁ ସାକାର କରିବା ପାଇଁ ଯେଉଁ ଦକ୍ଷତା ଓ ଦୃଢ଼ ଇଚ୍ଛାଶକ୍ତି ଦରକାର ତାହାର ଅଭାବ ଦେଖାଯାଏ। କଠିନ ପରିଶ୍ରମ, ନିଷ୍ଠାପରତା, ଧୈର୍ଯ୍ୟ, ବାଧାବିଘ୍ନର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ ନଥାଉ। ଏଣୁ ଅନେକ ସ୍ୱପ୍ନ ସ୍ୱପ୍ନରେ ରହିଯାଏ। ଯେତେପ୍ରକାର ଦକ୍ଷତା ଥାଉପଛେ ମନରେ ଯଦି ନୂତନତ୍ୱର ସ୍ୱପ୍ନ ସୃଷ୍ଟି ନହେବ ତେବେ ଆମେ ଯେଉଁଠି ଅଛେ ସେଇଠି ରହିଥିବା। ଏକ ନୂତନ ଭାବନାର ସୃଷ୍ଟି କରିପାରିବା ନାହିଁ ଯିଏ ସ୍ୱପ୍ନ ଦେଖିଛି ସିଏ ସଫଳତାର ବାଟ ଖୋଜିଛି।

ପ୍ରତ୍ୟେକ ଦିନ ଆମ ପାଇଁ ଏକ ନୂଆ ଜୀବନ। ଏହି ଭାବନା ମନରେ ରହିଲେ ପ୍ରତ୍ୟେକ ଦିନ କିଛି ନୂଆ ସୃଷ୍ଟି କରିବା ପାଇଁ ସ୍ୱପ୍ନ ଦେଖିପାରିବା। ନୂଆ ଲକ୍ଷ୍ୟ, ଭାବନା, ଅନୁଭବ, କର୍ମ ସହିତ ନୂଆ ପ୍ରକାରର ବାଧାବିଘ୍ନ, ଅନିଶ୍ଚିତତା, ଆହ୍ୱାନ ଏବଂ ଭୁଲ୍ କାମ ହେବାଟା ନିଶ୍ଚିତ। ହେଲେ ଏଥିରେ ଭାଙ୍ଗିନପଡ଼ି ନୂଆ ସ୍ୱପ୍ନ ଦେଖିବାର ଅଭ୍ୟାସ କରିବାକୁ ହେବ। ତେବେ ନୂଆ ଭାବନା ଓ ଉପାୟ ଆପେ ଆସିଯିବ। ନିଷ୍ଠାପର କାମ କେବେହେଲେ ବୃଥା ଯାଏନାହିଁ।

କର୍ମରେ ପ୍ରୟୋଗ

ସୃଜନାତ୍ମକ ଭାବନା ଦ୍ୱାରା ମନରେ ଯେଉଁସବୁ ଉପାୟ ବାହାରିବ, ସେଗୁଡ଼ିକୁ ତୁରନ୍ତ କର୍ମରେ ପ୍ରୟୋଗ କରିବାକୁ ହେବ। ଅଧିକାଂଶ ଲୋକ ସୃଜନଶୀଳ ଦକ୍ଷତାର ବ୍ୟବହାର କରି ଅନେକ କିଛି ନୂଆ ଭାବନା ସୃଷ୍ଟି କରିଥାନ୍ତି। କିନ୍ତୁ କର୍ମରେ ପରିଣତ କରନ୍ତି ନାହିଁ। ଫଳରେ ସଫଳତା ମିଳିବା ପରିବର୍ତ୍ତେ ହତାଶା ଭାବ ସୃଷ୍ଟି ହୋଇଥାଏ। ତେଣୁ ମନରେ କିଛି ସୃଜନଶୀଳ ଭାବନା ଆସିଲେ ତାହାକୁ କାମରେ ପ୍ରୟୋଗ କରିବା ଆବଶ୍ୟକ ଏବଂ ଫଳାଫଳକୁ ସମୀକ୍ଷା କରି ତାର ଗତିପଥ ପରିବର୍ତ୍ତନ କରିବା ଆବଶ୍ୟକ। ଭାବନା କର୍ମରେ ପରିଣତ ହେଲେ ହିଁ ଆମେ ସୁଫଳ ପାଇପାରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

 

LEAVE A REPLY

Please enter your comment!
Please enter your name here