ଓଡ଼ିଶାଲାଇଭ୍ ବ୍ୟୁରୋ
ଭୌଗୋଳିକ ପରିଚୟ ବା ଜିଆଇ ଟ୍ୟାଗକୁ ନେଇ ବଙ୍ଗଳା ଓ ଓଡ଼ିଶା ମଧ୍ୟରେ ବିବାଦ ଚାଲିଥିବା ବେଳେ, କର୍ଣ୍ଣାଟକ ଆମଠାରୁ ଢେର ଆଗରେ ରହିଛି। ଏ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩୦୦ଟି ଉତ୍ପାଦକୁ ଏହି ପରିଚୟ ପତ୍ର ମିଳିସାରିଛି। ଏଥିରେ ଚାମ୍ବାର ରୁମାଲଠାରୁ ଆରମ୍ଭକରି ମିରଟର କଇଁଚି ପର୍ଯ୍ୟନ୍ତ ଅନେକ ସାମଗ୍ରୀ ରହିଛି।
ରସଗୋଲା ପରେ ମହିସୁର ପାକକୁ ନେଇ ଦୁଇ ତିନୋଟି ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ଏହି ଜିଆଇ ଟ୍ୟାଗ ଘଟଣା ଏବେ ଆଉ ସରକାରୀ ସ୍ତରରେ ସୀମିତ ହୋଇ ରହି ନାହିଁ। ପବ୍ଲିକ ଡୋମେନକୁ ଆସିବା ପରେ ସଧାରଣ ଲୋକଙ୍କ ମନରେ ମଧ୍ୟ ଏହି ଟ୍ୟାଗ ପ୍ରସଙ୍ଗ ଉଙ୍କି ମାରିବା ଆରମ୍ଭ ହୋଇଛି।
ଭାରତରେ ଥିବା ପେଟେଣ୍ଟ ଅଫିସରେ ଗତ ୧୩ ବର୍ଷ ଧରି ୨୮ଟି ରାଜ୍ୟ ଓ ୭ଟି ଦେଶ କୌଣସି ନା କୌଣସି ଦ୍ରବ୍ୟର ପରିଚୟ ପାଇବା ପାଇଁ ଆବେଦନ କରିଛନ୍ତି ଓ ଅନେକଙ୍କୁ ଏହା ମିଳି ବି ଯାଇଛି।
ଜିଆଇ ଟ୍ୟାଗ ପାଇବା ପାଇଁ ବିଭିନ୍ନ ମହଲରେ କାହିଁକି ତତ୍ପରତା ପ୍ରକାଶ ପାଇଛି ତା’ର କାରଣ ଜାଣିବା ଦରକାର। ଟ୍ୟାଗ ପାଇବା ପରେ ସେହି ଦ୍ରବ୍ୟ ଉପରେ ସମ୍ପୃକ୍ତ ସରକାର ବା ବ୍ୟକ୍ତିଙ୍କ ଏକଚାଟିଆ ଅଧିକାର ଆସିଥାଏ। ଏହାଦ୍ୱାରା ଦ୍ରବ୍ୟର ମାନ ଉନ୍ନତ କରିବା ପାଇଁ ଉଦ୍ୟମ କରାଯାଏ। ସବୁଠାରୁ ବଡ଼ କଥା ହେଉଛି ଏହାକୁ ବାହାନାକରି ମନଇଚ୍ଛା ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରାଯାଇଥାଏ।
ଏପ୍ରିଲ ୨୦୦୪ ପରଠାରୁ ଚେନ୍ନାଇରେ ଥିବା ଭାରତୀୟ ପେଟେଣ୍ଟ ଅଫିସ୍ ପକ୍ଷରୁ ୩୦୧ ଦ୍ରବ୍ୟ ପାଇଁ ଜିଆଇ ଟ୍ୟାଗ ମିଳିସାରିଛି। ଏହିସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରାକୃତିକ ପଦାର୍ଥ। ତଥ୍ୟ ଅନୁଯାୟୀ, ପେଟେଣ୍ଟ ନେବାରେ ଦକ୍ଷିଣ ରାଜ୍ୟଗୁଡ଼ିକର ଦବଦବା ରହିଛି।
ବିଗତ କିଛି ବର୍ଷ ଧରି କର୍ଣ୍ଣାଟକ ଢେରଗୁଡିଏ ସାମଗ୍ରୀର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଛି। ମହିସୁର ସାଣ୍ଡାଲ ସାବୁନଠାରୁ ଆରମ୍ଭକରି ଉଡୁପି ଶାଢ଼ୀ ଯାଏଁ। ଝାଡ଼ଖଣ୍ଡ କେବଳ ଗୋଟିଏ ରାଜ୍ୟ ଯିଏ କି କୌଣସି ଜିଆଇ ଟ୍ୟାଗ ପାଇଁ ଆବେଦନ କରି ନାହିଁ।
ଜିଆଇ ଟ୍ୟାଗ ତାଲିକାରେ ହସ୍ତଶିଳ୍ପ କାମଗୁଡ଼ିକର ସଂଖ୍ୟା ଅଧିକ। କିନ୍ତୁ କୃଷିଜାତ ସାମଗ୍ରୀ ବି ପଛରେ ପଡ଼ିନାହିଁ। ଉଦାହରଣସ୍ଵରୂପ ବିଭିନ୍ନ କିସମର ୧୩ଟି ଧାନ ପାଇଁ ଆବେଦନ କରିଛନ୍ତି ଅନୁଷ୍ଠାନ ଓ ସରକାର। ଏଥିରେ କେବଳ କେରଳର ୫ ପ୍ରକାର ଧାନ ରହିଛି।
ବାସମତି ଚାଉଳ କ୍ଷେତ୍ରରେ ୭ଟି ରାଜ୍ୟ ମିଳିତ ଭାବେ ଏହି ଜିଆଇ ଟ୍ୟାଗର ଭାଗିଦାର ଅଛନ୍ତି। ସେହିଭଳି ୮ କିସମର ଆମ୍ବ ଓ ୫ କିସମର ଲଙ୍କାକୁ ମଧ୍ୟ ଟ୍ୟାଗ ମିଳିସାରିଛି। ଲଙ୍କା ପାଇଁ ଟ୍ୟାଗ ପାଇବାରେ ଆନ୍ଧ୍ର ପ୍ରଦେଶ ଆଗରେ।
ଅନ୍ୟ ଯେଉଁ ସବୁ ସାମଗ୍ରୀ ଜିଆଇ ଟ୍ୟାଗ ପାଇଛନ୍ତି ସେଥିମଧ୍ୟରେ ରହିଛି ମହାରାଷ୍ଟ୍ର ସୋଲାପୁରର ଟେରି ଟାୱେଲ, ହିମାଚଳ ପ୍ରଦେଶ ଚାମ୍ବାର ରୁମାଲ ଓ ଉତ୍ତର ପ୍ରଦେଶ ମିରଟର କଇଁଚି। ଏହି କତୁରୀର ବିଶେଷତ୍ୱ ହେଉଛି ଯେ ଏହା ସମ୍ପୂର୍ଣ ଭାବେ ଲୁହା ସ୍କ୍ର।ପରୁ ତିଆରି।














