ଡକ୍ଟର ହରପ୍ରସନ୍ନ ଦାସ

ଅନେକ ସମୟରେ ଭୁଲ୍ ନିଷ୍ପତ୍ତି  ନେବା ଦ୍ୱାରା ଭୁଲ୍‌ ବାଟରେ ଯାଇ ଆମେ ଅସୁବିଧାରେ ପଡ଼ିଥାଉ। ଏଣୁ ପ୍ରତ୍ୟେକ କାମ କରିବା ପୂର୍ବରୁ ସଠିକ୍ ନିଷ୍ପତ୍ତି ବା ଦୃଢ଼ ନିଷ୍ପତ୍ତି ନେବାର ଦକ୍ଷତା ଥିବା ଆବଶ୍ୟକ।

ପ୍ରତ୍ୟେକ କାମ କରିବା ପୂର୍ବରୁ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିଥାଏ। ଏହା ସମସ୍ତେ ଜୀବନରେ ନିଶ୍ଚିତ ରୂପେ ଅଙ୍ଗେ ନିଭେଇଛନ୍ତି। ବିନା ନିଷ୍ପତ୍ତିରେ କୌଣସି କାର୍ଯ୍ୟ କରାଯାଇନଥାଏ। ଯଦିବା କରାଯାଇଥାଏ ତାହା ଅଧିକାଂଶ ସମୟରେ ଅସଫଳ ହୋଇଥାଏ। ଅନେକ ସମୟରେ ଭୁଲ୍ ନିଷ୍ପତ୍ତି  ନେବା ଦ୍ୱାରା ଭୁଲ୍‌ ବାଟରେ ଯାଇ ଆମେ ଅସୁବିଧାରେ ପଡ଼ିଥାଉ। ଏଣୁ ପ୍ରତ୍ୟେକ କାମ କରିବା ପୂର୍ବରୁ ସଠିକ୍ ନିଷ୍ପତ୍ତି  ବା ଦୃଢ଼ ନିଷ୍ପତ୍ତି  ନେବାର ଦକ୍ଷତା ଥିବା ଆବଶ୍ୟକ।

ନିଷ୍ପତ୍ତି ନେବାର ଦକ୍ଷତା

ପ୍ରତ୍ୟେକ ମଣିଷ ପାଖରେ ବିଭିନ୍ନ ଦକ୍ଷତାମାନ ରହିଛି। ଅନେକଙ୍କ ପାଖରେ ଉନ୍ନତମାନର କାମ କରିବା ପାଇଁ ବିଶେଷମାନର ଦକ୍ଷତା ମଧ୍ୟ ରହିଛି। ଶିକ୍ଷିତ ଅବା ନିରକ୍ଷର, ଧନୀ ଅବା ଗରିବ, ପୁରୁଷ ଅବା ମହିଳା, ଯୁବକ ଅବା ବୟସ୍କ ସମସ୍ତେ ନିଜ ଜୀବନରେ କିଛି ନା କିଛି ନିଷ୍ପତ୍ତି ନେଇଥାନ୍ତି। ଏପରିକି ନିତିଦିନିଆ କାମ ପାଇଁ ମଧ୍ୟ ପୂର୍ବରୁ ନିଷ୍ପତ୍ତି ନିଆଯାଇଥାଏ। ଆମର ଜୀବନଶୈଳୀ ମଧ୍ୟ କିଛିଟା ନିଷ୍ପତ୍ତି ଉପରେ ସ୍ଥିର କରାଯାଇଥାଏ। ଏଣୁ ନିଷ୍ପତ୍ତି  ନେବା ହିଁ ଜୀବନର ଏକ ପ୍ରମୁଖ ଦକ୍ଷତା। ଅନେକ ସମୟରେ ଦୃଢ଼ ଓ ସଠିକ୍ ନିଷ୍ପତ୍ତି  ନେବା ଦ୍ୱାରା ଆଶାତୀତ ସଫଳତା ମଧ୍ୟ ମିଳିଥାଏ।

ଏଣୁ ନିଷ୍ପତ୍ତି  ନେବାର ଦକ୍ଷତାକୁ କେବେବି ଅବହେଳା କରିବା ଉଚିତ୍ ନୁହେଁ। ଏହା ବୁଝିପାରିଲେ ଆମେ ଠିକ୍ ସମୟରେ ସଠିକ୍ ରୂପରେ ଦୃଢ଼ ନିଷ୍ପତ୍ତି  ନେଇପାରିବା ଯାହାଦ୍ୱାରାକି ଆମ ଜୀବନର ଉନ୍ନତି ହେବା ସହିତ ଅନ୍ୟମାନଙ୍କର ବି ଉପକାର ହୋଇପାରିବ। ନିଷ୍ପତ୍ତି  ନେବାର ଯେଉଁ ଦକ୍ଷତା ଆମପାଖରେ ଅଛି ତାହାର ସଠିକ୍ ବ୍ୟବହାର କରିବା ଦରକାର। ଏହି ଦକ୍ଷତାର ଅନେକ ସମୟରେ ସଦ୍ ବ୍ୟବହାର ପରିବର୍ତ୍ତେ କୁବ୍ୟବହାର ହୋଇଥାଏ। ଫଳରେ କାମରେ ଅସଫଳତା ପାଇଁ ଅନୁତାପ କରିବାକୁ ପଡ଼ିଥାଏ। ଏଣୁ ନିଜ ଭିତରେ ଥିବା ଏହି ଦକ୍ଷତାକୁ ଠିକ୍ ରୂପେ ଚିହ୍ନି ତା’ର ସଠିକ୍ ବ୍ୟବହାର କରିବାକୁ ଚେଷ୍ଟା କରିବା ଦରକାର।

ସଠିକ୍ ଓ ଭୁଲ୍ ନିଷ୍ପତ୍ତି

ସମସ୍ତେ ନିଷ୍ପତ୍ତି  ନେବାବେଳେ ନିଜ ବୁଦ୍ଧି, ଅନୁଭୁତି ତଥା ଶିକ୍ଷାର ବ୍ୟବହାର କରିଥାନ୍ତି। ଦରକାର ପଡ଼ିଲେ ଅନ୍ୟମାନଙ୍କ ସହିତ ପରାମର୍ଶ ମଧ୍ୟ କରିଥାନ୍ତି। ଶେଷରେ ନିଜ ଭାବନା ଅନୁସାରେ ନିଷ୍ପତ୍ତି  ନେଇ କାମ କରନ୍ତି। କାମର ଫଳରୁ ନିଷ୍ପତ୍ତିର ସଠିକତା ଜଣାପଡ଼େ। କାରଣ ସଠିକ୍ ନିଷ୍ପତ୍ତି ବଳରେ କାମଟି ସଫଳ ଓ ଭୁଲ୍ ନିଷ୍ପତ୍ତିରେ କାମଟି ବିଫଳ ହୁଏ। ଏଥିରେ କୌଣସି ପକ୍ଷପାତିତା ନାହିଁ। ଯେଉଁ ଲୋକମାନେ ଜ୍ଞାନୀ ଓ ବିବେକୀ ସେମାନେ କର୍ମର ଫଳାଫଳକୁ ଦେଖି ନିଷ୍ପତ୍ତିଟି ଠିକ୍ କିମ୍ବା ଭୁଲ୍ ଅନୁଭବ କରିପାରନ୍ତି। ନିଜର ଭୁଲ୍‌ ସ୍ୱୀକାର କରି ନିଷ୍ପତ୍ତିରେ ସଂଶୋଧନ କରି ପୁଣି ସଠିକ୍ ନିଷ୍ପତ୍ତି ନେଇପାରନ୍ତି। ସେହି ଅନୁସାରେ ପରର୍ବର୍ତ୍ତୀ କାର୍ଯ୍ୟଟି ସଫଳ ହୋଇଥାଏ।

କିନ୍ତୁ ଅନେକ ସମୟରେ ଲୋକ ନିଜର ଭୁଲ୍ ନିଷ୍ପତ୍ତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥାନ୍ତି। କାମରେ ଅସଫଳତା ପାଇଁ ନିଜଛଡ଼ା ଅନ୍ୟମାନଙ୍କୁ ଦୋଷ ଦିଅନ୍ତି। ଏପରିକି ଭାଗ୍ୟ ଓ ଭଗବାନଙ୍କୁ ମଧ୍ୟ ଦୋଷ ଦେବାକୁ ପଛାନ୍ତି ନାହିଁ। ଅନେକ ସମୟରେ ମନ୍ଦବୁଦ୍ଧି ଯୁକ୍ତ ଲୋକମାନେ ଜାଣିଶୁଣି ନିଜର ସ୍ୱାର୍ଥ ହାସଲ୍ ପାଇଁ ଭୁଲ୍ ନିଷ୍ପତ୍ତି  ନେଇଥାନ୍ତି ଓ ତାକୁ ଠିକ୍ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ଅନ୍ୟମାନଙ୍କ ସହିତ ଯୁକ୍ତିକରି ଏକ ଅଶାନ୍ତ ପରିବେଶ ସୃଷ୍ଟି କରିଥାନ୍ତି। ଏପରି ଲୋକଙ୍କର ଭୁଲ୍ ନିଷ୍ପତ୍ତି ଯୋଗୁ ପରିବାର, ରାଜ୍ୟ ତଥା ଦେଶର ବିନାଶ ହୋଇଥାଏ।

ନିଷ୍ପତ୍ତିର ଗୁରୁତ୍ୱ

କଥାରେ ଅଛି ଭାବିଲେ ଠାକୁର ନଭାବିଲେ ପଥର। ଯିଏ ପ୍ରତ୍ୟେକ କଥାର ଗୁରୁତ୍ୱ ଠିକ୍ ଭାବରେ ବୁଝିପାରିବ ତାକୁ ସେହିପରି କାର୍ଯ୍ୟରେ ଲଗାଇପାରିବ। ଅନେକ ସମୟରେ ଶିକ୍ଷିତ ଲୋକମାନେ ବି ଜାଣି ଅଜଣା ବା ବୁଝି ଅବୁଝା ହୁଅନ୍ତି। ଯେଉଁ କାମର ଯେତିକି ଗୁରୁତ୍ୱ ସେତିକି ନଦେବା ଦ୍ୱାରା ଆମର କ୍ଷତି ହୋଇଥାଏ। ଉଦାହରଣସ୍ୱରୂପ ଯେଉଁ ସମୟରେ ଯେଉଁ ନିଷ୍ପତ୍ତି ନେବାକଥା ସେହି ସମୟରେ ନନେଲେ ଫଳଟା ଓଲଟା ହୋଇଯାଏ। ଆମେ ଅନୁତାପ କରିବା ବେଳକୁ ଆଉ ସଫଳତା ପାଇବାର ବାଟ ନଥାଏ।

ଛୋଟ ପିଲାଟିଏ ବି ନିଷ୍ପତ୍ତି ନିଏ ସେ କ’ଣ ଖାଇବ ବା ଖାଇବନି। ତାକୁ ଯାହା ମନା କରାଯାଏ  ସେଇଟା ପାଇଁ ଜିଦି ଧରେ, ସେଇଟା ତାର ଏକ ନିଷ୍ପତ୍ତି। ସେହି ସମୟରେ ଆମେ ରାଗିଯାଇ ତାକୁ ଗାଳିଦେବା ଅବା ନିଜ ରାଗକୁ ଆୟତ୍ତ କରି ହସିହସି ତାକୁ ନରମ କଥାରେ ବୁଝାଇବା, ଏହା ବି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣୁ ପ୍ରତ୍ୟେକ କାମ ପୂର୍ବରୁ ସଠିକ୍ ନିଷ୍ପତ୍ତି ନେବାର ଗୁରୁତ୍ୱଟା ଆମେ ବୁଝିବା ଦରକାର। ଗୁରୁତ୍ୱ ବୁଝିଲେ ହିଁ ସଠିକ୍ ନିଷ୍ପତ୍ତି  ନେବାରେ ଦାୟିତ୍ୱ ତୁଲାଇପାରିବା।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

LEAVE A REPLY

Please enter your comment!
Please enter your name here