ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୨୪ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତଙ୍କୁ ପୁରିଛି ତିନି ମାସ। ଏହି ତିନି ମାସ ଭିତରେ ବିଜେପୁରକୁ ନେଇ ଅନେକ ଘଟଣା ଘଟିଛି। ବିଜେପୁର ପାଇଁ ବିଜେଡି ଆଗୁଆ ଗୋଟି ଚାଳନା କରିଥିବା ବେଳେ ତାରିଖ ଘୋଷଣା ନେଇ ହେଉଛି ବିଳମ୍ବ। ଏଥିପାଇଁ ବିଜେଡି ବିଜେପି ଉପରେ ଦୋଷ ଲଦିଥିବା ବେଳେ ବିଜେପି ଦେଇଛି ଏହାର ଜବାବ।

  • ଉପ-ନିର୍ବାଚନକୁ ଜାଣିଶୁଣି ବିଳମ୍ବ କରାଯାଉଛି କହିଲା ବିଜେଡି
  • ବିଜେପିକୁ ଟାର୍ଗେଟ କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ
  • ବିଜେପି ଦେଲା ଦୃଢ଼ ଜବାବ
  • ରାଜ୍ୟ ନିର୍ବାଚନ ଅଧିକାରୀ କହିଲେ, “ସବୁ ଦିଗକୁ ବିଚାର କରି ଘୋଷଣା ହେବ ତାରିଖ”
  • ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜେଡି ଖେଳିଛି ଆଗୁଆ କାର୍ଡ

ଶୁକ୍ରବାର ଥିଲା ନଭେମ୍ବର ୨୪। ତିନି ମାସ ତଳେ ଠିକ୍‌ ଏହି ତାରିଖରେ ଆରପାରିକୁ ଚାଲି ଯାଇଥିଲେ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ବିଧାୟକ ସୁବଳ ସାହୁ। ନିମୟ କହୁଛି ଜଣେ ସିଟିଂ ବିଧାୟକଙ୍କ ମୃତ୍ୟୁ ହେବାର ୬ ମାସ ଭିତରେ ଉପ-ନିର୍ବାଚନ ହେବା କଥା। ହେଲେ ନଭେମ୍ବର ୨୪କୁ ୩ ମାସ ପୁରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି। ଫଳରେ ଅନିଶ୍ଚିତତାରେ ରହିଯାଇଛି ବିଜେପୁର ମହାସମର।

ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ହେଉଥିବା ବିଜେଡି କରିଛି ଅଭିଯୋଗ। ନିର୍ବାଚଚନ କମିଶନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଜାତୀୟ ଦଳ ଚାପ ପ୍ରୟୋଗ କରି ଜାଣିଶୁଣି ବିଳମ୍ବ କରୁଥିବା ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରି ପ୍ରସନ୍ନ ବାଣ ମାରିଥିବା ଚର୍ଚ୍ଚା ହେଉଛି।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “କେନ୍ଦ୍ରରେ କ୍ଷମତାସୀନ ଏକ ଜାତୀୟ ଦଳ ଚାହୁଁଛି ବିଜେପୁର ଉପ-ନିର୍ବାଚନରେ ବିଳମ୍ବ ହେଉ। କାରଣ ସେମାନେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତୁତି କରି ନାହାନ୍ତି। ସେମାନେ ପ୍ରାର୍ଥୀ ଘୋଷଣା କରିପାରୁ ନଥିବାରୁ ଉପ-ନିର୍ବାଚନକୁ ଜାଣିଶୁଣି ମିଳମ୍ବ କରୁଛନ୍ତି।”

ବିଜେଡିର ଏହି ଅଭିଯୋଗ ଉପରେ ବିଜେପି ରଖିଛି ପ୍ରତିକ୍ରିୟା। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “କୌଣସି ବିଳମ୍ବ ହୋଇନାହିଁ। ନିୟମ ରହିଛି ୬ ମାସ ଭିତରେ ଉପ-ନିର୍ବାଚନ ହେବ। ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ବିଜେଡି ଏଭଳି ଭିତ୍ତହୀନ ଅଭିଯୋଗ ଆଣୁଛି।”

ବିଜେପି-ବିଜେଡିର ଏହି କଳି ଭିତରେ ରାଜ୍ୟ ନିର୍ବାଚନ ଅଧିକାରୀ ଡି ଏନ୍‌ ଗୁପ୍ତାଙ୍କ ମନ୍ତବ୍ୟ ବହୁ ଗୁରୁତ୍ବ ବହନ କରୁଛି। ଉପ-ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, “ବିଜେପୁର ପାଇଁ ପ୍ରସ୍ତୁତି ଚାଲିଛି। ମୁଖ୍ୟ ନିର୍ବାଚନ କମିଶନର ଏନେଇ ଅବଗତ ଅଛନ୍ତି। ଅଗଷ୍ଟ ୨୪ରୁ ବିଜେପୁର ଆସନ ଖାଲି ପଡ଼ିଥିବା ଓଡ଼ିଶା ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖକୁ ରିପୋର୍ଟ ଆସିଛି। ତେବେ ଫେବୃୟାରୀରେ ହେବାକୁ ଥବା ମାଟ୍ରିକ ପରୀକ୍ଷାକୁ ମଧ୍ୟ କମିଶନର ଦୃଷ୍ଟିରେ ରଖିଛନ୍ତି। ସବୁ ଦିଗକୁ ବିଚାର କରି ତାରିଖ ଘୋଷଣା କରାଯିବ।”

ତାରିଖ ଘୋଷଣାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଶାସକ ବିଜେଡି ବିଜେପୁର ପାଇଁ ରଣନୀତି ପ୍ରସ୍ତୁତ କରି ଚାଲିଛି। ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜେଡି ଆଗୁଆ ଗୋଟି ଚାଳନା କରିଥିଲା। ଏପଟେ ବିଜେପି ମଧ୍ୟ ବରପାଲ୍ଲିରେ ମିଶ୍ରଣ ପର୍ବ କରି ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ ବି ପଛରେ ନପଡ଼ି ବରିଷ୍ଠ ନେତାଙ୍କୁ କମାଣ ଧରାଇଛି। ରିତା ସାହୁ ତାଙ୍କ ପଞ୍ଚାୟତରେ କ୍ୟାମ୍ପେନ୍‌ ବି ଆରମ୍ଭ କରି ସାରିଛନ୍ତି।

ଏପରିସ୍ଥଳେ ତାରିଖ ଘୋଷଣା ହେଉ ନଥିବାରୁ ବିଜେପୁର ଗଣିତ ଜଟିଳ ହୋଇ ଯାଉଛି।

 

Comment