ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ନିର୍ବାଚନ କମିଶନରମାନଙ୍କ ଚୟନକୁ ନେଇ ଗୁରୁବାର ଐତିହାସିକ ରାୟ ଦେଇଛନ୍ତ ସୁପ୍ରିମକୋର୍ଟ। ଏବେ ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ଲୋକସଭାର ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ନିର୍ବାଚନ କମିଶନରଙ୍କ ଚୟନ ପାଇଁ ସୁପାରିସ କରିବ। ଏହି କମିଟିର ପରାମର୍ଶ ପରେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ନିର୍ବାଚନ କମିଶନର (ଇସି)ଙ୍କୁ ନିଯୁକ୍ତି ଦେବେ।

ଗୁରୁବାର ନିର୍ବାଚନ କମିଶନରମାନଙ୍କ ଚୟନ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯେପର୍ଯ୍ୟନ୍ତ ନିର୍ବାଚନ କମିଶନରଙ୍କ ନିମନ୍ତେ ସଂସଦରେ କୌଣସି ନିୟମ ବନା ଯାଇନାହିଁ, ସେପର୍ଯ୍ୟନ୍ତ ଏଭଳି କମିଟି ମାଧ୍ୟମରେ ଚୟନ ପ୍ରକ୍ରିୟା ଚାଲିବ ବୋଲି ଖଣ୍ଡପୀଠ କହିଛନ୍ତି।

ଯଦି ଲୋକସଭାରେ ବିରୋଧୀ ଦଳର ନେତା ନଥିବେ, ସେ ପରିସ୍ଥିତିରେ ଗୃହରେ ସବୁଠାରୁ ବଡ଼ ବିପକ୍ଷ ପାର୍ଟିର ନେତା କମିଟିର ସଦସ୍ୟ ହେବେ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି।

ନିର୍ବାଚନ କମିସନରଙ୍କ ନିଯୁକ୍ତି ନେଇ ଗୁରୁବାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠରେ ଜଷ୍ଟିସ କେ ଏମ ଜୋସେଫ୍‌ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନ୍ୟ ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ ଅଜୟ ରସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ଋଷିକେଶ ରାୟ ଓ ଜଷ୍ଟିସ ସିଟି ରବିକୁମାର ରହିଥିଲେ।

ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ଚୟନ ପାଇଁ ଏକ କୋଲେଜିୟମ ବା କମିଟିର ଗଠନ କରିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରଯାଇଥିଲା। ସୁପ୍ରିମକୋର୍ଟ ୨୦୨୨ ମସିହା ନଭେମ୍ବର ମାସରେ ଏହି ମାମଲାରେ ଶୁଣାଣି କରି ରାୟ ସରଂକ୍ଷିତ ରଖିଥିଲେ।

Tags: #ElectionCommissionofIndia #ChiefElectionCommissioner #ElectionCommissioner #SupremeCourt #India

Comment