ଡକ୍ଟର ହରପ୍ରସନ୍ନ ଦାସ

“ଏଇଟା ମୋର ଅଭ୍ୟାସ, ମୁଁ ଆଦୌ ଛାଡ଼ି ପାରିବିନି। ମୁଁ ଜାଣିଛି, ଏଇଟା ମୋର ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। କିନ୍ତୁ ମୁଁ ଛାଡ଼ି ପାରିବିନି। ମୁଁ ଏହା ସହିତ ବଞ୍ଚିଛି, ଏହା ସହିତ ବି ମରିବି।’’

ବୟସ ତାଙ୍କର ୮୧ ବର୍ଷ, କମ୍ ଉଚ୍ଚତା, ଶ୍ୟାମଳ ବର୍ଣ୍ଣ ଏବଂ ଦୁର୍ବଳ ସ୍ୱାସ୍ଥ୍ୟ। ସବୁଦିନ ତାଙ୍କ ସହିତ ମୋର ଦେଖାହୁଏ ପ୍ରାୟ ସକାଳ ୬ଟା ପାଖାପାଖି। ଆମ ଘର ସାମ୍ନା ରାସ୍ତାରେ ସେ ପ୍ରାତଃ ଭ୍ରମଣରେ ନିୟମିତ ଭାବେ ଯାଆନ୍ତି। ବହୁତ ଜୋର୍‌ରେ ସେ ଚାଲନ୍ତି। ଆଖିଟା ସ୍ଥିର ଥାଏ ରାସ୍ତା ଉପରେ। ସବୁବେଳେ ଧୋତି ଓ କୁର୍ତ୍ତା ପିନ୍ଧିଥାନ୍ତି। ନିହାତି ସାଧାରଣ ପୋଷାକ କିନ୍ତୁ ବଳିଷ୍ଠ ବ୍ୟକ୍ତିତ୍ୱ ଜଣାପଡ଼ୁଥାଏ ତାଙ୍କର ଚାଲିବା ଢ଼ଙ୍ଗରୁ।

ଏକ ରାଜକୀୟ ଭଙ୍ଗୀରେ, ହାତରେ ସିଗାରେଟ୍ ଧରି ଅନବରତ ଫୁଙ୍କି ଚାଲୁଥିବେ। ବାଁ ହାତର ଦୁଇ ଆଙ୍ଗୁଠିରେ ଅଧାଜଳା ସିଗାରେଟଟି ଅତି ଷ୍ଟାଇଲରେ ଧରିଥିବେ ବହୁତ ଦିନରୁ ଅଭ୍ୟାସ ଥିଲା ପରି ସେ କିଛି ସମୟ ବ୍ୟବଧାନରେ ସିଗାରେଟ୍‌ଟି ଟାଣୁଥିବେ। ସତେ ଯେପରି ସେଇଟା ତାଙ୍କର ଥିଲା ନିତିଦିନିଆ କାମ। କିନ୍ତୁ ମୁଁ ବୁଝି ପାରୁନଥିଲି ଯେ ୮୧ ବର୍ଷ ବୟସରେ ଏଭଳି ଦୁର୍ବଳ ସ୍ୱାସ୍ଥ୍ୟର ବ୍ୟକ୍ତିଜଣକ ସିଗାରେଟ୍ ଟାଣିବା ପାଇଁ କିଭଳି ସାହାସ କରୁଛନ୍ତି। ବୟସ ଆଉ ସ୍ୱାସ୍ଥ୍ୟକୁ ଦେଖିଲେ ଟିକେ ତ ଭୟ ଲାଗିବା କଥା।

ସବୁଦିନ ନହେଲେ ବି ବେଳେବେଳେ ମୁଁ ତାଙ୍କ ସହିତ ଅଳ୍ପ ବହୁତ କଥା ହୋଇଥାଏ। ସେଦିନ କିନ୍ତୁ ମୁଁ ସ୍ଥିର କଲି ଯେ ମୁଁ ନିଶ୍ଚୟ ତାଙ୍କୁ ଏ ସିଗାରେଟ୍ ପିଇବା ବିଷୟରେ ପଚାରିବି, ସେ ଯାହା ଭାବନ୍ତୁ ପଛେ। ମନରେ ଦମ୍ଭ ଧରି ତାଙ୍କୁ ପଚାରିଲି ବି – “ଏ ବୟସରେ ଆପଣ ପ୍ରତିଦିନ ସିଗାରେଟ୍ ଟାଣୁଛନ୍ତି। ଏହାର କୁପରିଣାମଟା ବିଷୟରେ ଆପଣ ତ ସଚେତନ ଥିବେ।’’

ଆଗରୁ ପ୍ରସ୍ତୁତ ଥିଲାପରି ସେ ହଠାତ୍ ଇଂରାଜୀରେ ଉତ୍ତର ଦେଲେ- “ଏଇଟା ମୋର ଅଭ୍ୟାସ, ମୁଁ ଆଦୌ ଛାଡ଼ି ପାରିବିନି। ମୁଁ ଜାଣିଛି, ଏଇଟା ମୋର ସ୍ୱାସ୍ଥ୍ୟ ପାଇଁ ଠିକ୍ ନୁହେଁ। କିନ୍ତୁ ମୁଁ ଛାଡ଼ି ପାରିବିନି। ମୁଁ ଏହା ସହିତ ବଞ୍ଚିଛି, ଏହା ସହିତ ବି ମରିବି।’’

ଏଭଳି ଏକ ଝଡ଼ ପରି ଉତ୍ତର ଶୁଣି ମୁଁ କାଠ ପାଲଟିଗଲି। ମୁଁ ଆଁ କରି ତାଙ୍କ ମୁହଁକୁ ଅନେଇଥିଲି। ତାଙ୍କ ମୁହଁରେ କୌଣସି ପ୍ରକାରର ଗ୍ଲାନିର ଚିହ୍ନ ନଥିଲା। ମୁଁ ହସି ଦେଇ ନରମରେ କହିଲି- “ଏଇଟା ଖାଲି ଅଭ୍ୟାସ ନା ବଦଭ୍ୟାସ।’’

ଡେରି ନକରି ସେ ଦମ୍ଭର ସହିତ ଉତ୍ତର ଦେଲେ- “ଆପଣ ଯାହା କୁହନ୍ତୁ ପଛକେ ଏଇଟା ମୋର ବହୁ ବର୍ଷର ଅଭ୍ୟାସ।’’

ମୁଁ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ କିଛି କହିବା ପୂର୍ବରୁ ସେ ସହଜରେ ମତେ ବୁଝାଇଦେଲେ ଯେ- “ବୟସ ତ ହେଇଗଲାଣି। ଯେ କୌଣସି ସମୟରେ ଏ ଦେହଟା ମାଟିରେ ମିଶିବ। ତେଣୁ ସେ ସମୟ ଯାଏ ମନଟା ଟିକେ ଆନନ୍ଦ କରିବାର କଥା।’’

ମୁଁ ଚୁପ୍ ରହିବା ଛଡ଼ା ଆଉ କିଛି ବାଟ ନଥିଲା। ସେତିକିବେଳେ ପାଖ ସ୍କୁଲ୍‌ରେ ପଢ଼ୁଥିବା ଦୁଇଟି ଛୋଟ ପିଲା, ପୁଅଟିଏ ଆଉ ଝିଅଟିଏ ସେଇପଟେ ଯାଉଥିଲେ। ସେମାନେ ବି ପାଖରେ ଠିଆ ହୋଇ ଆମ କଥା ଶୁଣୁଥିଲେ। ମୁଁ କଥାର ମୋଡ଼ ବୁଲାଇ କହିଲି- “ଏମାନେ ଆପଣଙ୍କଠୁ କ’ଣ ଶିଖିବେ? ଆପଣ ସେମାନଙ୍କ ପାଇଁ ମାର୍ଗଦର୍ଶକ ହେବା ଦରକାର।’’

ସେ ବ୍ୟକ୍ତି ନୀରବ ଥିଲେ। ମୁଁ ପିଲାମାନଙ୍କୁ ଉତ୍ସାହିତ କଲି, ସେ ବ୍ୟକ୍ତିଙ୍କୁ ସିଗାରେଟ୍ ଟାଣିବାକୁ ମନା କରିବା ପାଇଁ। ପିଲାମାନେ ମୋ କଥା ଶୁଣିଲେ। ପିଲାମାନେ ହସି ହସି କହିଲେ- “ଅଜା, ସିଗାରେଟ୍ ଆଉ ପିଅନ୍ତୁନି। ଦେହ ଖରାପ ହୋଇଯିବ।’’

ପରିବେଶଟା ଅତି ଭାବପ୍ରବଣ ହୋଇଗଲା। ମୁଁ ଭାବିଲି ବୋଧହୁଏ ତାଙ୍କ ଉପରେ କିଛି ସୁପ୍ରଭାବ ପଡ଼ିବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ସେ ଗମ୍ଭୀର ସ୍ୱରରେ କହିଲେ- “ନା, ମୁଁ ସିଗାରେଟ୍ ଟାଣିବା ଛାଡ଼ିପାରିବିନି। ଏହା ମୋର ବହୁତ ଦିନର ଅଭ୍ୟାସ।” ଏତିକି କହିଦେଇ ସେ ହଠାତ୍ ବୁଲିପଡ଼ି ନିଜ ବାଟରେ ଚାଲିଗଲେ।

ପିଲା ଦୁଇଟି ସ୍ତବ୍ଧ ହୋଇ ତାଙ୍କର ଯିବା ବାଟକୁ ଅନେଇଥିଲେ। ତା’ପରେ ପିଲା ଦୁଇଟି ବି ନିଜ ବାଟରେ ଚାଲିଗଲେ।

ମୁଁ କେବଳ ଭାବୁଥିଲି କେଉଁଦିନ ଏ ବ୍ୟକ୍ତି ଜଣଙ୍କ ବୁଝିବେ ଯେ ଏଇଟା ତାଙ୍କର ଏକ ସାଧାରଣ ଅଭ୍ୟାସ ନୁହେଁ, ଏକ ଭୟଙ୍କର ବଦଭ୍ୟାସ।

ଭଗବାନଙ୍କର ସୃଷ୍ଟିରେ ମଣିଷ କେଡ଼େ ବିଚିତ୍ର ଜୀବଟିଏ। ଆମେ ବୁଝିକରି ବି ଅବୁଝା ହେଉ। ଆମେ ବହୁତ କଥା ଜାଣୁ କିନ୍ତୁ ଅନେକ କଥା ନିଜେ ଠିକ୍ ଭାବେ ବୁଝିପାରୁନା। ଆମର ଜିଦ୍‌ଖୋର ମନୋଭାବ ଆମକୁ ଅବାଟରେ ନେଇ ଜୀବନ ନଷ୍ଟ କରିଥାଏ। ତଥାପି ବି ଆମେ ବୁଝିବାକୁ ପ୍ରସ୍ତୁତ ନୁହଁ। ଆଖି ଅଛି କିନ୍ତୁ ଆମେ ଅନ୍ଧ, ବୁଦ୍ଧି ଅଛି କିନ୍ତୁ ଆମେ ମୂର୍ଖ। ସକରାତ୍ମକ ମନୋଭାବ ଥାଇ ବି ଆମେ ନକରାତ୍ମକ ମନୋଭାବକୁ ଭଲପାଉ। ଟିକେ ଗଭୀର ଭାବେ ଭାବିଲେ ମନରେ ପ୍ରଶ୍ନ ଆସେ ଏହାର ଶେଷ କେଉଁଠି?

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment