ଡକ୍ଟର ହରପ୍ରସନ୍ନ ଦାସ

ଫୋନ୍‌ରେ କଥା ହେଲାବେଳେ ଅବା ମୁହାଁମୁହିଁ କଥା ହେବା ସମୟରେ ମୁଁ ଚାହିଁକରି ବି ମୋ ମନର କଥା କହିପାରିନାହିଁ। ବୋଧହୁଏ ମୁଁ ତତେ ମୁହାଁମୁହିଁ କହିବା ପାଇଁ ମନରେ ସାହାସ ବାନ୍ଧି ପାରୁନଥିଲି। ତେଣୁ ମୁଁ ସ୍ଥିର କଲି ଏ ଚିଠି ଜରିଆରେ ମୋ ମନକଥା ତତେ ଜଣାଇବା ପାଇଁ।

ମା’ଲୋ, ମୁଁ ଭଲଭାବେ ଜାଣିଛି ଯେ ଏ ଚିଠିଟା ପାଇ ତୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବୁ। କାରଣ ଜୀବନରେ ମୁଁ ପ୍ରଥମ ଥର ପାଇଁ ତୋ ପାଖକୁ ଏ ଚିଠିଟା ଲେଖୁଛି। ଜନ୍ମରୁ ୨୭ ବର୍ଷ ଯାଏ ମୁଁ ତୋରି ପାଖରେ ହିଁ ଥିଲି। ତେଣୁ ସେ ସମୟରେ ତୋ ପାଖକୁ ଚିଠି ଲେଖିବାର କିଛି ଆବଶ୍ୟକତା ନଥିଲା।

ଏବେ ମୋର ବୟସ ୩୫ ବର୍ଷ। ଏଇ ମାସରେ ମୋ ପୁଅର ବୟସ ବି ସାତ ବର୍ଷ ପୂରିବ। ବାହାଘର ପରେ ମୁଁ ତୋ ପାଖରୁ ଦୂରରେ ରହିଛି। କିନ୍ତୂ ଯେତେବେଳେ ମୁଁ ଚାହିଁଛି ତୋ ସହିତ କଥା ହେବା ପାଇଁ, ବିନା ବାଧାରେ ମୁଁ କଥା ହୋଇପାରିଛି। ସମୟ, ସ୍ଥାନ ବା ପରିସ୍ଥିତି ମୋ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିପାରିନି। ଯେତେବେଳେ ଚାହିଁଛି ମୁଁ ତୋ ସହିତ ମନଖୋଲି କଥା ହୋଇପାରିଛି। ଅବଶ୍ୟ ଧିରେ ଧିରେ କଥା ହେବାର ସଂଖ୍ୟାଟା କମିଛି କିନ୍ତୂ ତୋ ସହିତ କଥା ହେବାର ଆଗ୍ରହ କମିନି।

ତୋର ଉତ୍କଣ୍ଠା ବଢ଼ୁଥିବ ଜାଣିବାକୁ ଯେ କାହିଁକି ମୁଁ ତୋ ପାଖକୁ ଚିଠିଟିଏ ଲେଖିବାକୁ ଚାହିଁଲି। ତୋ ମନରେ ଅନେକ ପ୍ରଶ୍ନ ଆସୁଥିବ। କିନ୍ତୁ ତୁ ଏଥିରେ କିଛି ଚିନ୍ତା କରିବାର ବା ବିଚଳିତ ହେବାର ନାହିଁ। ମୋ ଚିଠିଟା ପଢ଼ିଲା ପରେ ତୁ ବହୁତ ଖୁସି ହୋଇଯିବୁ ଏବଂ ନିଜକୁ ଏକ ମା’ ରୂପେ ଗର୍ବ ଅନୁଭବ କରିବୁ। ଗତ ଦୁଇ ବର୍ଷ ଧରି ମୋ ମନର କିଛିଟା ଅନୁଭବକୁ ତତେ କହିବା ପାଇଁ ଚାହିଁଥିଲେ ବି ତତେ କହିପାରିନି। ଫୋନ୍‌ରେ କଥା ହେଲାବେଳେ ଅବା ମୁହାଁମୁହିଁ କଥା ହେବା ସମୟରେ ମୁଁ ଚାହିଁକରି ବି ମୋ ମନର କଥା କହିପାରିନାହିଁ। ବୋଧହୁଏ ମୁଁ ତତେ ମୁହାଁମୁହିଁ କହିବା ପାଇଁ ମନରେ ସାହାସ ବାନ୍ଧି ପାରୁନଥିଲି। ତେଣୁ ମୁଁ ସ୍ଥିର କଲି ଏ ଚିଠି ଜରିଆରେ ମୋ ମନକଥା ତତେ ଜଣାଇବା ପାଇଁ।

ବାହାହେଇ ଆସିଲା ପରେ ମତେ ପ୍ରଥମେ ଜଣେ ସ୍ତ୍ରୀ, ଭାଉଜ, ବୋହୂ ଇତ୍ୟାଦି ଅନେକ ଭୂମିକାରେ ଦାୟିତ୍ୱ ତୁଲାଇବାକୁ ପଡ଼ିଲା। ତାପରେ ମୁଁ ମା’ ହେଲି, ଏବେ ମୋର ପୁଅକୁ ବୟସ ସାତ ବର୍ଷ। ବୟସ ସିନା ସାତ, କିନ୍ତୁ ଜିଦ୍‌ଖୋର ମନୋଭାବ। ଯାହା ବୁଝିଥିବ ତାହାହିଁ ତା ପାଇଁ ଠିକ୍। ମୋ ମୁହଁରେ କୌଣସି କଥାରେ ନା’ଟିଏ କହିବା ପାଇଁ ସେ ଡ଼ରୁ ନାହିଁ। ସେ ଯାହା କିଛି ଠିକ୍ ବୋଲି ଭାବୁଛି, ତାହାକୁ ମୋ ମୁହଁରେ ରୋକ୍‌ଠୋକ୍ କରି କହୁଛି। ମୋ କଥା ମାନିବାକୁ ସେ ବାଧ୍ୟ ନୁହେଁ। ଇଚ୍ଛା ହେଲେ ମାନିବ ନଚେତ୍ ନାହିଁ। ସବୁକିଛି ତା’ର ମନ ଉପରେ ନିର୍ଭର କରେ। ତା’ର ନିଜସ୍ୱ ସ୍ୱାଭିମାନ ରହିଛି, ପ୍ରତ୍ୟେକ କାମରେ ତା’ର ଭାବ ପ୍ରବଣତା ରହିଛି।

ମୋର ଭାବପ୍ରବଣତା ପ୍ରତି ତା’ର କୌଣସି ଖାତିର୍ ନାହିଁ। ବହୁତ ସମୟରେ ମୁଁ ତାକୁ ବୁଝାଇବାକୁ ଚେଷ୍ଟା କରିଛି ଯେ ମୁଁ କେବଳ ତା’ର ମା’ ନୁହେଁ, ମୁଁ ତା’ର ଜଣେ ଭଲ ସାଙ୍ଗ, ଶୁଭେଚ୍ଛୁ ଗୁରୁ ଏବଂ ପଥ ପ୍ରଦର୍ଶକ। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେ ମୋ କଥାରେ ଆଦୌ ଗୁରୁତ୍ୱ ଦେଉନାହିଁ କିମ୍ବା ମୋ ମନର ଦୁଃଖକୁ ବୁଝିବାକୁ ସେ ପ୍ରସ୍ତୁତ ନୁହେଁ। ସିଏ ତା’ ଦୁନିଆରେ ରହିଛି ଏବଂ ରହିବାକୁ ଭଲ ପାଉଛି। ମୋର ଆଖିର ଲୁହ ତା’ ଉପରେ କିଛି ପ୍ରଭାବ ପକାଇ ପାରୁନି। ଏ ତ ଗଲା ମୁଁ ଆଉ ମୋ ପୁଅର କଥା ଯାହାକି ମୁଁ ତତେ କହିବାକୁ ଚାହୁଁଥିଲି। କିନ୍ତୁ ଆଉ ଗୋଟିଏ ଅତି ସ୍ପର୍ଶକାତରର କଥା ଯେଉଁଟାକି ମୁଁ ତତେ କହିବାକୁ ଚାହୁଁଛି, ସେଇଟା ତୋ ମୋ ସମ୍ପର୍କର କଥା।

ମୁଁ ତୋ ପାଖକୁ ଚିଠି ଲେଖିବାର ଅନ୍ୟ ଦିଗଟି ହେଲା ମୋ ପୁଅ ଆଜି ମତେ ମୋ ପିଲାଦିନ କଥା ମନେପକାଇ ଦେଉଛି। ମୁଁ ପିଲାଦିନେ ତୋ ସହିତ ଯେଉଁ ବ୍ୟବହାର କରୁଥିଲି, ସେ ବିଷୟ ଆଜି ମୋର ପ୍ରାଞ୍ଜଳ ଭାବେ ମନେ ପଡ଼ିଯାଉଛି। ବିଶେଷ କରି ତା’ର ମୋପ୍ରତି ବ୍ୟବହାରକୁ ଦେଖିଲା ପରେ। ଠିକ୍ ମୁଁ ବି ତା ପରି ତୋ କଥା ଶୁଣୁ ନଥିଲି। ଯାହା ମୁଁ ଠିକ୍ ଭାବୁଥିଲି ତାହାହିଁ କରୁଥିଲି। ମୋର ନିଜସ୍ୱ ଭାବନା, ଅନୁଭବ ଏବଂ ଚିନ୍ତାଧାରା ସବୁକିଛି ଥିଲା ଭିନ୍ନ ପ୍ରକାରର। ମୁଁ ଯେମିତି ଏବେ ମା ହିସାବରେ ପୁଅକୁ କହୁଛି, ତୁ ସେମିତି ମା ହିସାବରେ ମୋ ଭଲପାଇଁ କହୁଥିଲୁ। କିନ୍ତୁ ମୁଁ ତୋ କଥା ନା ଶୁଣୁଥିଲି ନା ବୁଝୁଥିଲି।

ଏବେ ବୁଝୁଛି ସେତେବେଳେ ମୋ ବ୍ୟବହାର ତତେ କେତେ କଷ୍ଟ ଦେଉଥିବ। ଏବେ ମନେପଡ଼ୁଛି ସେତେବେଳେ ତୋ ଆଖିରେ ଲୁହ ବି ଥିଲା, କିନ୍ତୁ ମୋ ଉପରେ ତାର କିଛି ପ୍ରଭାବ ପଡ଼ୁନଥିଲା। ମୁଁ ମୋ ନିଜ ଦୁନିଆରେ ଉଡ଼ି ବୁଲୁଥିଲି। ତିଳେମାତ୍ର ମନରେ ଗ୍ଲାନି ନଥିଲା ଯେ ମୁଁ ମୋର ମା’ କଥା ନ ମାନି ବଡ଼ ଭୂଲ୍ କରୁଛି। ବରଂ ଅଧିକାଂଶ ସମୟ ମୁଁ ତତେ ବୁଝେଇ ଦେଉଥିଲି ଯେ ମୁଁ ଯାହା କରୁଛି ତାହା ଠିକ୍ କରୁଛି। ତୁ ଭଲଭାବେ ଜାଣୁ ଯେ ମୁଁ ତତେ ପ୍ରଚୁର ଭାବେ ଭଲପାଏ। କିନ୍ତୁ ତୋ ମନର ଗଭୀର ବ୍ୟଥା ବା ଭାବ ପ୍ରବଣତାକୁ ମୁଁ କେବେବି ବୁଝିବା ପାଇଁ ଚେଷ୍ଟା କରିନଥିଲି।

ମା’ ଲୋ, ଏତେ ବର୍ଷ ପରେ ମୁଁ ଆଜି ବୁଝିପାରୁଛି ତୋ ମନର ସେ ସମୟର ଦୁଃଖଟା। ସେ ସମୟରେ ମୋ ପାଇଁ ତୋ ମନର ବ୍ୟକୁଳତା।  ମୁଁ ଜାଣିଛି ସେ ସମୟ ଆଉ ଫେରି ଆସିବନି। ମୁଁ ଏବେ ଠିକ୍ ବୁଝିପାରୁଛି ଯେ ସେ ସମୟରେ ମୁଁ ମୋ ମା’ ମନର ସ୍ନେହ ମମତାକୁ ଠିକ୍ ଭାବରେ ବୁଝି ପାରିନଥିଲି। ମା’ ଠାରୁ ଦୂରେଇ ଯାଇ ମୁଁ ଏକ ଅଲଗା ପରିଧିରେ ଘୁରି ବୁଲୁଥିଲି। ମା’ ସହିତ କିଛିଟା ସୁଖର ସମୟ ମୁଁ କଟାଇ ପାରିନଥିଲି। ସେକଥା ଭାବିଲା ବେଳକୁ ମନରେ ଅନେକ ଯନ୍ତ୍ରଣା ଆସୁଛି, ଆଖିରେ ଲୁହବି। ମୁଁ ବେଶ୍ ଭଲଭାବେ ବୁଝି ପାରୁଛି ଯେ ମୋ ନିଜ ଜୀବନର ସବୁଠାରୁ ଆନନ୍ଦମୟ ମୁହୂର୍ତ୍ତକୁ ନିଜ ଯୋଗୁ ଉପଭୋଗ କରିପାରିନାହିଁ। ମୁଁ ଜାଣେ ତୁ ସେସବୁ ପାଇଁ ମତେ କ୍ଷମା କରିଦେଇଛୁ। ବୋଧହୁଏ ମା’ ହେଲାପରେ ମୁଁ ପ୍ରତ୍ୟେକ ମା’ ହୃଦୟର ଚିରନ୍ତନ ସତ୍ୟଟାକୁ ଆଜି ବେଶ୍ ଭଲଭାବେ ବୁଝିପାରୁଛି। ମୋ ପୁଅ ମୋର ଆଖି ଖୋଲି ଦେଇଛି। ମୁଁ ତ କହୁଛି ମୁଁ ଆଜି ତୋ ପରି ମା’ ପାଇଁ ଗର୍ବ ଅନୁଭବ କରୁଛି।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

 

Comment