ଡକ୍ଟର ହରପ୍ରସନ୍ନ ଦାସ

ବୋଧହୁଏ ସମ୍ପର୍କ ଗଢ଼ିଉଠେ ଏବଂ ଭାଙ୍ଗିଯାଏ ଭାବପ୍ରବଣତାର କମ୍ ଆଉ ବେଶୀରେ। ଏ ସମ୍ପର୍କରେ ମନରେ ଆସେ ଅନେକ ପ୍ରଶ୍ନ କିନ୍ତୁ ସବୁ ପ୍ରଶ୍ନର ଉତ୍ତର ନଥାଏ।
ସୁଖ ଓ ଶାନ୍ତିରେ ବଞ୍ଚିବା ପାଇଁ ସବୁବେଳେ ଚେଷ୍ଟା କରୁଥିବା ମଣିଷଟିଏ ଅନେକ ସମୟରେ ଛଟପଟ ହୋଇଯାଏ କିଛିଟା ଭାବପ୍ରବଣତାରେ। ମନର ଆବେଗକୁ ନେଇ ଆମେ ବଞ୍ଚିଛେ। ଭାବପ୍ରବଣତା ହିଁ ଆମ ଜୀବନର ସ୍ରୋତ। ଆମେ ସମସ୍ତେ ଭାବପ୍ରବଣ। କିଏ ଟିକେ ବେଶୀ ଅବା କିଏ ଟିକେ କମ୍। ଏଇ ଭାବପ୍ରବଣତା ହି ସମ୍ପର୍କ ଗଢ଼େ ଅବା ଭାଙ୍ଗି ଦେଇଥାଏ। ଯେପରିକି ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ବି ସୃଷ୍ଟି ନାଶ।
ଜଣେ ଲାଇଫ୍ କୋଚ୍ ବା ମନସ୍ତାତ୍ତ୍ୱିବିକ ପରାମର୍ଶଦାତା ହିସାବରେ ମୁଁ ଅନେକ ଲୋକଙ୍କୁ ସେମାନଙ୍କର ବ୍ୟକ୍ତିଗତ ତଥା କାର୍ଯ୍ୟକ୍ଷେତ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ସମାଧାନର ବାଟ ଦେଖାଇଛି। ସେଇ କ୍ଷେତ୍ରରେ ବହୁବର୍ଷର ଅଭିଜ୍ଞତା ଯୋଗୁ ମୁଁ ଲୋକମାନଙ୍କୁ ସଠିକ୍ ପରାମର୍ଶ ଦେଇପାରିଛି। ସେମାନଙ୍କର ଲୁହକୁ ହସରେ ପରିଣତ କରିବା ପାଇଁ ସାହାଯ୍ୟ କରିଛି। ଯେଉଁମାନେ ମୋ କଥା ମାନି ଠିକ୍ ସମୟରେ ଠିକ୍ କାମ କରିଛନ୍ତି ସେମାନେ ତା’ର ଉପକାର ପାଇଛନ୍ତି। ଯେଉଁମାନେ ମାନିନାହାନ୍ତି ସେମାନଙ୍କ କଥା ଆଲୋଚନା ନକଲେ ଭଲ।
ମୋର ବ୍ୟକ୍ତିଗତ ଅନୁଭୁତିରୁ ମୁଁ ବେଶ୍ ହୃଦୟଙ୍ଗମ କରିପାରିଛି ଯେ ଅତ୍ୟଧିକ ଭାବପ୍ରବଣତା ହିଁ ଆମର ସବୁ ସମସ୍ୟାର ମୁଖ୍ୟ କାରଣ। ସବୁ କାମପ୍ରତି ବା ଲୋକମାନଙ୍କ ପ୍ରତି ଭାବପ୍ରବଣତା ବା ଆବେଗ ରହିବା ଉଚିତ୍ କିନ୍ତୁ ଭାବପ୍ରବଣ ହୋଇ କୌଣସି କାମ କରିବା ଉଚିତ୍ ନୁହେଁ। ସେଇଥିରୁ ହିଁ ଆରମ୍ଭ ହୋଇଥାଏ ସବୁ ଅସୁବିଧା।
କଥାରେ ଅଛି ଅନ୍ଧ ଥରେ ବାଡ଼ି ହଜାଏ, କିନ୍ତୁ ବାରମ୍ବାର ବାଡ଼ି ହଜାଉଥିବାର ଅନେକ ଲୋକ ମୁଁ ଦେଖିଛି। ଗରିବ ଅବା ଧନୀ, ଶିକ୍ଷିତ ଅବା ନିରକ୍ଷର, ଯୁବକ ଅବା ବୟସ୍କ, ପୁରୁଷ ଅବା ନାରୀ ସମସ୍ତେ ଏହି ଭାବପ୍ରବଣତାର ଶିକାର ହୋଇଛନ୍ତି। ଏପରିକି ମୁଁ ନିଜେ।
ପନ୍ଦର ବର୍ଷ ତଳେ ରଞ୍ଜନ ସହିତ ମୋର ଦେଖା ହୋଇଥିଲା। ସେ ଥିଲା ମୋର ଛାତ୍ର। ଭଲ ପରିବାରର ପିଲାଟିଏ ସେ। ତା ବ୍ୟବହାର ମୋ ହୃଦୟକୁ ଛୁଇଁଥିଲା। ଧିରେ ଧିରେ ତା’ ସହିତ ଏକ ଆନ୍ତରିକତାର ସମ୍ପର୍କ ଗଢ଼ି ଉଠିଥିଲା। ସେ ମତେ ତା’ର ବାପାଙ୍କ ପରି ଦେଖୁଥିଲା। ମୁଁ ବି ତା’କୁ ମୋର ପୁଅ ପରି ଦେଖୁଥିଲି। ତାଙ୍କ ପରିବାର ସହିତ ବି ଆମ ପରିବାରର ଘନିଷ୍ଠ ସମ୍ପର୍କ ହୋଇଯାଇଥିଲା।
ତା’ ଉପରେ ମୋର ଏତେ ବିଶ୍ୱାସ ଥିଲା ଯେ ମୋର ଇଚ୍ଛା ଥିଲା ସେ ମୋ ସହିତ ମିଶି କାମ କରୁ। ସିଏ ମୋର ଜଣେ ବଡ଼ ସହାୟକ ହୋଇପାରିବ ବୋଲି ମୋର ପୂରା ବିଶ୍ୱାସ ଥିଲା। ତା’ର ବି ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଥିଲା। କିନ୍ତୁ ସେ ଅନ୍ୟ ଏକ ସଂସ୍ଥାରେ ଚାକିରୀ କଲା। ପ୍ରାୟ ଏଗାର ବର୍ଷ ରହିଲା ପରେ ହଠାତ୍ ଦିନେ ସେ ସେହି ସଂସ୍ଥା ଛାଡ଼ିଦେଲା। ସବୁକିଛି ଠିକ୍ ଥିଲା, କିନ୍ତୁ ଛାଡ଼ିବାର କାରଣ ଥିଲା ସେହି ଭାବପ୍ରବଣତା। ସଂସ୍ଥାର ମାଲିକଙ୍କ ବ୍ୟବହାରରେ ମନରେ ଆଘାତ ଦେଲା ବୋଲି ସେ ଚାକିରି ଛାଡ଼ିଦେଲା। ଏହିପରି ଅନେକ ଲୋକ ଭାବପ୍ରବଣତାର ଶିକାର ହୋଇ ଚାକିରି, ଘର ଏପରିକି ସଂସାର ବି ଛାଡ଼ି ଦେଇଥାନ୍ତି।
ହଠାତ୍ ଦିନେ ରଞ୍ଜନ ଆସି ଆମ ଅଫିସରେ ପହଞ୍ଚିଲା ଓ ମୋ ସହିତ କାମ କରିବ ବୋଲି କହିଲା। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ବିଶ୍ୱାସ କରିପାରିଲି ନାହିଁ ଯେ ସେ ଆମ ଅଫିସରେ ଯୋଗ ଦେବାପାଇଁ ସ୍ଥିର କରିଛି ବୋଲି। ଆମର ଏକ ପ୍ରଫେସନାଲ୍ ସଂସ୍ଥା। ମାନବ ସମ୍ବଳ ବିକାଶ ଦିଗରେ ଆମେ କେତେଜଣ ପ୍ରଫେସନାଲ୍ ଏକାଠି ମନ ମିଳାଇ କାମ କରୁଛୁ।
ବହୁ ଆଲୋଚନା ପରେ ରଞ୍ଜନ ଦୃଢ଼ ଭାବରେ କହିଲା ଯେ ସେ ଆମ ସହିତ କାମ କରିବ। ଆମେ ସବୁ ଖୁସି ହେଲୁ। ସେ ଆମ ସହିତ କାମ ଆରମ୍ଭ କଲା। ଆଉ ପଛକଥା ନଭାବି ମୁଁ ତା’ର ଭବିଷ୍ୟତ କର୍ମ ଯୋଜନା ବିଷୟରେ ଭାବିବାକୁ ଆରମ୍ଭ କଲି।
ହଠାତ୍ ଦିନେ ରଞ୍ଜନ ଜଣାଇଦେଲା ଯେ ସେ ଆମ ସଂସ୍ଥା ଛାଡ଼ି ତା’ର ପୂର୍ବ ପେସାକୁ ଫେରିଯିବ। ହଠାତ୍ ଏପରି ଏକ ଖବରଟା ଆମ ସମସ୍ତଙ୍କ ପାଇଁ ଏକ ଧକ୍କା ପରି ଲାଗିଲା। ଯେତେ ଯାହା ତା’କୁ ବୁଝାଇଲେ ବି ତା’ ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିଲା ନାହିଁ। ସେ ତା’ର ନିଷ୍ପତ୍ତିରେ ଦୃଢ଼ ଥିଲା ଯେ ସେ ପୁଣି ଫେରିଯିବ ତା’ର ସେହି ପୂର୍ବ ପେସାକୁ ବା କାର୍ଯ୍ୟକୁ। ଆମେ ତା’ର ନିଷ୍ପତ୍ତିକୁ ସମ୍ମାନ ଦେଲୁ ଓ ଅନୁରୋଧ କଲୁ ଏହାର କାରଣଟା ଜଣାଇବା ପାଇଁ। କେଉଁଥିପାଇଁ ସେ ଏପରି ଏକ ନିଷ୍ପତ୍ତି ନେଲା। କିନ୍ତୁ ଯେତେ ଯାହା ପଚାରିଲେ ବି ରଞ୍ଜନ ନୀରବ ରହିଲା। ତାକୁ ନେଇ ମୁଁ ଦେଖିଥିବା ସବୁ ସ୍ୱପ୍ନ ଚୁର୍ମାର୍ ହୋଇଗଲା। ସେ ଆମ ଅଫିସ୍ ଛାଡ଼ି ଚାଲିଗଲା।
ଆମ ଅଫିସରେ ଅନ୍ୟମାନଙ୍କୁ କଷ୍ଟ ହେଲା, କିନ୍ତୁ ମୁଁ କାହାକୁ ବୁଝାଇବି ଯେ ମୁଁ କେତେ ପରିମାଣରେ କଷ୍ଟ ପାଇଛି। ସବୁକିଛି ଠିକ୍ ଥିଲା କିନ୍ତୁ ରଞ୍ଜନ କିପରି ବୁଝି ପାରିଲାନି ମୋ ମନ ଭିତରର ସେହି ଯନ୍ତ୍ରଣାକୁ। ମୋର ସେହି ଭାବପ୍ରବଣତାକୁ। ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତାକୁ। ଏହିପରି ବୋଧହୁଏ ସମ୍ପର୍କ ଗଢ଼ିଉଠେ ଏବଂ ଭାଙ୍ଗିଯାଏ ଭାବପ୍ରବଣତାର କମ୍ ଆଉ ବେଶୀରେ। ଏ ସମ୍ପର୍କରେ ମନରେ ଆସେ ଅନେକ ପ୍ରଶ୍ନ କିନ୍ତୁ ସବୁ ପ୍ରଶ୍ନର ଉତ୍ତର ନଥାଏ।
(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍ ଅଧୀନରେ ପ୍ରକାଶିତ।)














