ଭାସ୍କର ପରିଚ୍ଛା

ରବିବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ତା’ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ୫ ବର୍ଷ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ବହୁ ଚଢ଼ାଉତୁରା ଦେଇ ଗତି କରିଆସିଛି। ଦୁର୍ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରିବା ଭିତରେ ଆପର ଜନ୍ମ। ଯଦି ଘଟଣାକ୍ରମରେ ଆନ୍ନା ହଜାରେ ଅରବିନ୍ଦ କେଜ୍ରିୱାଲଙ୍କଠାରୁ ଦୂରେଇ ଯାଇଛନ୍ତି ତାହା ଭିନ୍ନ କଥା ଓ ଏହାର ଅନୁଧ୍ୟାନ ଅଲଗା ଭାବରେ ହେବା ଦରକାର।

ଯେତେବେଳେ ଆପ୍ ପ୍ରତିଷ୍ଠା କରାଯାଇଥିଲା ସେହି ସମୟରେ ଅଧିକାଂଶ ଲୋକଙ୍କ ଆଶା ଥିଲା ପ୍ରଚଳିତ ବ୍ୟବସ୍ଥା ବିରୁଦ୍ଧରେ ଆପର ନେତାମାନେ ଲଢ଼େଇ ଜାରୀ ରଖିବେ। ସମାଜ ଓ ରାଜନୀତିରେ ଯେଉଁ ସବୁ ଖରାପ କଥା ରହିଛି ତାହାକୁ ଦୂର କରିବା ପାଇଁ ଦଳ ସଂକଳ୍ପବଦ୍ଧ ରହିବ। ବିଶେଷକରି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଯେଉଁମାନେ ବର୍ତ୍ତମାନର ବ୍ୟବସ୍ଥା ଉପରେ ଭରସା ଛାଡ଼ି ଦେଇଥିଲେ ସେମାନେ ଏଠି ଦେଖୁଥିଲେ ଏକ ନୂଆ ସମ୍ଭାବନା। ସେମାନଙ୍କ ଭିତରେ ଆପ୍ ପ୍ରତି ଯେଉଁ ବିଶ୍ୱାସ ସୃଷ୍ଟି ହୋଇଥିଲା ତାହା ଥିଲା ଅସାଧାରଣ।

ପଢାଲେଖା କରିଥିବା ଉଚ୍ଚ ଶିକ୍ଷିତ ଯୁବକ, ମୋଟା ଦରମା ପାଉଥିବା ଚାକିରିଆ ଏବଂ ଆଦର୍ଶବାଦୀ ଯୁବକ ବିନା ବିଚାରରେ  ଆପରେ ସାମିଲ ହୋଇଥିଲେ। ଏହାଛଡ଼ା ତୃଣମୂଳ ସ୍ତରରେ ଥିବା ବହୁସଂଖ୍ୟକ ଲୋକ ଆପ୍ ପ୍ରତି ଆକର୍ଷିତ ହୋଇଥିଲେ ଓ ସେମାନଙ୍କ ଉଦ୍ଦେଶ୍ୟ ଥିଲା ରାଜନୀତିରେ ଯୋଗ ଦେଇ କିଛି ନୂଆ କରିଦେଖାଇବେ। ଯେଉଁମାନେ କଂଗ୍ରେସର ପରିବାରବାଦ ଓ ବିଜେପିର ବୈଚାରିକ ସଂକୀର୍ଣ୍ଣତା କାରଣରୁ ରାଜନୀତିରେ ଆଗକୁ ବଢ଼ିବାରେ ଅସମର୍ଥ ହୋଇପାରିନଥିଲେ ସେମାନଙ୍କ ପାଇଁ ଆପ୍ ଏକ ଭଲ ମଞ୍ଚ ରୂପେ ଉଭା ହୋଇଥିଲା।

ଏସବୁର ସମୂହ ଫଳ ଥିଲା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ଅଭୂତପୂର୍ବ ସଫଳତା। ୨୦୧୩ ନିର୍ବାଚନରେ ସବୁଠାରୁ ଅଧିକ ବିଧାୟକ ବିଶିଷ୍ଟ ଦଳ ଭାବରେ ନିର୍ବାଚନ ଜିତିବା ଓ ୨୦୧୫ରେ ଉଲ୍ଲେଖନୀୟ ସଫଳତା ହାସଲ ସହିତ ବିଜେପିକୁ ମାତ୍ର ୩ଟି ଆସନରେ ସୀମିତ ରଖିବାରେ ଆପ୍ ନିଜ ପାଇଁ ଭାରତର ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା।

କିନ୍ତୁ ସବୁ ଭଲ ଉଦ୍ୟମ ଯେ ଚାଲୁରହିବ ଏହାର କୌଣସି ଗ୍ୟାରେଣ୍ଟି ନ ଥାଏ। ଆପ୍ କ୍ଷେତ୍ରରେ ମଧ୍ୟ ଏହା ହିଁ ହୋଇଛି। ରାଜଧାନୀ ଦିଲ୍ଲୀରେ ସରକାର ଗଠନ କରିବାର ମାତ୍ର କିଛି ମାସ ମଧ୍ୟରେ ଦଳ ଭାଙ୍ଗିବା ଆରମ୍ଭ  ହେଲା। ଦଳର କିଛି ତୁଙ୍ଗ ନେତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ଆସିଲା। ଖାଲି ସେତିକି ନୁହେଁ ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରାଣମୂର୍ଚ୍ଛା ଲଢ଼େଇ କରିବା ସତ୍ତ୍ୱେ ଆପ୍ ସେଭଳି ଭଲ ପ୍ରଦର୍ଶନକରି ପାରିନଥିଲା। ଗୋଆ ଓ ପଞ୍ଜାବ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲଙ୍କ ଅସଫଳ ପ୍ରଦର୍ଶନ ଏହି ଧାରଣାକୁ ଭୁଲ ପ୍ରମାଣିତ କଲା ଯେ ଆମ୍ ଆଦମୀ ପାର୍ଟି ଏକ ସର୍ବ ଭାରତୀୟ ଦଳ ହୋଇ ପାରିବ। ଏହାପରେ ଦଳର ନେତାମାନେ ଅଗତ୍ୟା ସ୍ଥିର କଲେ ଯେ ପୂରା ଭାରତରେ ନିଜର ପରିଚୟ ସୃଷ୍ଟି କରିବା ଏକ ଭ୍ରମ ଧାରଣା। ଏଣୁ କେବଳ ଦିଲ୍ଲୀରେ ହିଁ ନିଜ ରାଜନୀତିକୁ ସୀମିତ ରଖିବା ପାଇଁ ନେତାମାନେ ନିଷ୍ପତ୍ତି ନେଲେ।

ସତ କହିବାକୁ ଗଲେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର କିଛି ଭଲ କାମ କରିଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ନୂଆ ପ୍ରୟୋଗ କରିବାରେ ଆପ୍ ସରକାର ସମର୍ଥ ହୋଇଛି। କିନ୍ତୁ କେନ୍ଦ୍ର ସହିତ ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବା ଏବଂ ବୟାନବାଜି ଯୋଗୁଁ ଦଳର ଭାବମୂର୍ତ୍ତି ଅନେକ ପରିମାଣରେ ବାଧାପ୍ରାପ୍ତ ହୋଇଛି।

ସବୁଠାରୁ ବଡ଼ କଥା ହେଉଛି ଆମ୍ ଆଦମୀ ପାର୍ଟିର ନେତାମାନଙ୍କ ନୈତିକତାକୁ ବି ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ଲୋକେ। ନିଜ ନିଜ ଭିତରେ ଗଣ୍ଡଗୋଳ ଓ ଆକ୍ଷେପ ପ୍ରତି-ଆକ୍ଷେପ ଦଳର ଅସଲ ସ୍ୱରୂପକୁ ପଦାରେ ପକାଇ ଦେଇଛି ଏହା ଧରି ନେବାକୁ ହେବ।

ତେବେ ସମୟ ଯେ ପୂରା ଚାଲିଯାଇଛି ତାହା ନୁହେଁ। ଆଗାମୀ ୫ ବର୍ଷ ଭିତରେ ସ୍ପଷ୍ଟ ହୋଇଯିବ ଆମ୍ ଆଦମୀ ପାର୍ଟି ପ୍ରକୃତରେ କିଛି ନୂଆ କରୁଛି ନା ଅନ୍ୟ ଛୋଟଛୋଟ ଦଳ ଭଳି ଇତିହାସରେ ଲୀନ ହେବାକୁ ଯାଉଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment