ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ। ଏଭଳି ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ହେଲେ ଆଜି ଦିଲ୍ଲୀର ଏକ ଉତ୍ସବରେ ଯୋଗଦେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଦାମଙ୍କ ମନ୍ତବ୍ୟକୁ କରିଛନ୍ତି ଖଣ୍ଡନ। ଆଉ ଦାମ ବି ରଖିଛନ୍ତି ପ୍ରତିକ୍ରିୟା।

ପାଇକ ବିଦ୍ରୋହ ଉପରେ କୃଷିମନ୍ତ୍ରୀ ଡାକ୍ତର ଦମୋଦର ରାଉତ ଏକ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ଯାଇଥିଲେ। ଏପରିକି ଯେଉଁମାନେ ତାଙ୍କୁ ସମାଲୋଚନା କରିଥିଲେ ସେମାନଙ୍କର ଇତିହାସ ଜ୍ଞାନ ନାହିଁ ବୋଲି ଦାମ କହିଥିଲେ। ହେଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ନୂଆଦିଲ୍ଲୀରେ ଏକ ଉତ୍ସବରେ ଯୋଗଦେଇ ଦାମଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ୧୮୦୪ରୁ ହିଁ ପାଇକ ବିଦ୍ରୋହର ସୂତ୍ରପାତ ହୋଇଥିଲା ବୋଲି ସେ କହିଛନ୍ତି।

ଗଜପତି ମହାରାଜ କହିଛନ୍ତି, “୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ହିଁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା। ୧୮୧୭ରେ ଏହାକୁ ବକ୍ସି ଜଗବନ୍ଧୁ ଆଗେଇ ନେଇଥିଲେ। ଇତିହାସ ଏବଂ ଗବେଷକଙ୍କ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଏଣୁ ୧୮୧୭ ପରିବର୍ତ୍ତେ ୧୮୦୪କୁ ପାଇକ ବିଦ୍ରୋହ ମାନ୍ୟତା ମିଳିବା ଦରକାର।”
ଗଜପତି ମହାରାଜଙ୍କ ମନ୍ତବ୍ୟବର ଉତ୍ତର ଦେଇଛନ୍ତି ମନ୍ତ୍ରୀ ଡାକ୍ତର ରାଉତ। କହିଛନ୍ତି, “ଗଜପତି ମହାରାଜ ହେଉଛନ୍ତି ପରମ ପୂଜ୍ୟ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ। ଏଣୁ ମୁଁ ତାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବାକୁ ଚାହୁଁନି। ତେବେ ଗଜପତି ମହାରାଜ କାହିଁକି ଏ ସମ୍ପର୍କରେ କିଛି କହି ନଥିଲେ?”

ନିକଟରେ ଖୋର୍ଦ୍ଧା ଲୋକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଯୋଗଦେଇଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋର ଅନ୍ତୁଡ଼ିଶାଳ ଭାବେ ପରିଚିତ ଖୋର୍ଦ୍ଧା ମାଟିରେ ଦାମ ଦେଇଥିଲେ ବିବାଦୀୟ ବୟାନ। କହିଥିଲେ, ଜୟୀ ରାଜଗୁରୁ ନୁହନ୍ତି ସ୍ବାଧୀନତା ସଂଗ୍ରାମୀ। ସେ ବ୍ରିଟିଶମାନଙ୍କ ସହ ସାଲିସ୍ କରିଥିଲେ। ନିଜ ସ୍ବାର୍ଥ ପାଇଁ ସେ ଇଂରେଜମାନଙ୍କ ସହ ଲଢେଇ କରିଥିଲେ।

ଦାମଙ୍କ ଏହି ପଦିଏ କଥା ରାଜ୍ୟ ରାଜନୀତି ସମେତ ଐତିହାସିକଙ୍କ ମନରେ ନିଆଁ ଲଗାଇ ଦେଇଥିଲା। ବିଭିନ୍ନ ମହଲରେ ଦାମଙ୍କୁ ବିରୋଧ କରାଯାଇଥିଲା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦାମଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାସହ ପାଇକ ବିଦ୍ରୋହ ବାସ୍ତବରେ କେବେଠୁ ଆରମ୍ଭ ହୋଇଥିଲା ତାକୁନେଇ ବିତର୍କ କରିବାକୁ ଐତିହାସିକମାନେ ଦାବି କରିଥିଲେ। ଏସବୁ ବାଦ ବିବାଦ ଭିତରେ ଦାମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣି ଆଣିଥିଲେ। ଯଦି ୧୮୦୪ରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ତାହାଲେ ଧର୍ମେନ୍ଦ୍ର କାହିଁକି ୧୮୧୭କୁ ହିସାବକୁ ନେଇ ପାଇକବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

 

Comment