ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର ଦିନ କଟକ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହୋଇଥାନ୍ତେ ସୋମାଲିକା ଦାଶ, କିନ୍ତୁ ସେ ଆସିଲେନି। ହେଲେ ବିଜୟ ଶଙ୍କର ବିବାହ କରିବାକୁ ଆବେଦନ କରିଥିବା ମହିଳାଙ୍କ ପୂର୍ବତନ ସ୍ଵାମୀ ଆଜି ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ବିଜୟ ଶଙ୍କରଙ୍କ ଭାବି ପତ୍ନୀଙ୍କର ପୂର୍ବରୁ ବିବାହ ବିଚ୍ଛେଦ ହୋଇସାରିଛି। ସମ୍ପୃକ୍ତ ମହିଳାଙ୍କ ପୂର୍ବତନ ସ୍ଵାମୀ ଏ ନେଇ ଦଲିଲ ଦାଖଲ କରିଛନ୍ତି।

ଆଜି ସୋମାଲିକା ହାଜର ହେବାର ଥିଲା, କିନ୍ତୁ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ସେ ବ୍ୟକ୍ତଗତ ଭାବେ ହାଜର ହୋଇପାରି ନାହାନ୍ତି। ସବ ରେଜିଷ୍ଟ୍ରାରଙ୍କ ଶୁଣାଣି ଆଧାରରେ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଉପରେ ନିଷ୍ପତ୍ତି ହେବ।

ଗତ ସେପ୍ଟେମ୍ବର ମାସ ୨୧ ତାରିଖରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ବିଜୟ ଶଙ୍କର କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ବିଜୟ ଶଙ୍କର ବିବାହ ପାଇଁ ଆବେଦନ କରିବାର ପରଦିନ ସୋମାଲିକା ସବରେଜିଷ୍ଟ୍ରାରଙ୍କୁ ଭେଟି ବିବାହ ଆବେଦନକୁ ରଦ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ। ବିବାହ ତାରିଖ ଅକ୍ଟୋବର ୨୧କୁ ଧାର୍ଯ୍ୟ ହୋଇଥିବାରୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା ଦାସ। ଅକ୍ଟୋବର ୧୮ ତାରିଖରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଉପରେ ରୋକ ଲଗାଇବାକୁ ସୋମାଲିକା ଆବେଦନ କରିଥିଲେ।

ବିବାହର ପ୍ରତିଶ୍ରୁତି ଦେଇ ବିଜୟ ଶଙ୍କର ତାଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରିବା ସହ ବିଜୟ ଶଙ୍କର ଯାହାଙ୍କୁ ବିବାହ କରିବା ପାଇଁ ଆବେଦନ କରିଛନ୍ତି ସେ ପୂର୍ବରୁ ବିବାହିତା ବୋଲି ସୋମାଲିକା ଅଭିଯୋଗ କରିଥିଲେ। ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆବଶ୍ୟକ ପ୍ରମାଣ ସହ ନଭେମ୍ବର ୭ ତାରିଖରେ ହଜାର ହେବା ପାଇଁ ସୋମାଲିକାଙ୍କୁ ନୋଟିସ କରାଯାଇଥିଲା।

ନଭେମ୍ବର ୭ ତାରିଖରେ ସୋମାଲିକା ଦାଶ ହାଜର ହୋଇଥିବା ବେଳେ ଆସିନଥିଲେ ବିଜୟ ଶଙ୍କର। ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଅନୁମତି ମାଗିଥିଲେ ସୋମାଲିକା।

ଗତ ଜୁନ ୧୬ ତାରିଖରେ ବିବାହ କରିବାକୁ ଉଭୟ ବିଜୟ ଶଙ୍କର ଦାସ ଏବଂ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖକୁ ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସୋମାଲିକା ଧାର୍ଯ୍ୟ ହୋଇଥିବା ତାରିଖରେ ବିବାହ ପାଇଁ ପହଞ୍ଚିଥିଲେ କିନ୍ତୁ ଆସିନଥିଲେ ବିଜୟ ଶଙ୍କର ଦାସ। ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ସୋମାଲିକା।

Tags: #BijayShankarDas #Trouble #Marriage #Controversy #love #Tirtol #odishahinghcourt #SomalikaDash

Comment