ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ବିଧାନସଭା ଆସନ ପାଇଁ ଚଳିତ ମାସରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସୂତ୍ର ଅନୁସାରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଡିଏନ ଗୁପ୍ତା ଆଜି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି।
ଏହି ସାକ୍ଷାତ ସମୟରେ ଶ୍ରୀ ଗୁପ୍ତା ବିଜ୍ଞପ୍ତି ପ୍ରକାଶ, ନିର୍ବାଚନ ପରିଚାଳନା, ଭୋଟିଂ ମେସିନ ଓ ସ୍ଥାନୀୟ ପରିସ୍ଥିତି ନେଇ ଆଲୋଚନା କରିଥିଲେ।
ମନେପକାଇ ଦିଆଯାଇପାରେ ଯେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଅସମୟ ମୃତ୍ୟୁ ପରେ ଗତ ଅଗଷ୍ଟ ୨୪ ତାରିଖଠାରୁ ଏହି ଆସନଟି ଖାଲି ପଡ଼ିଛି। ବିଜେପୁର ଉପ-ନିର୍ବାଚନର ଗୁରୁତ୍ୱ ଏଥିପାଇଁ ବଢ଼ିଛି ଯେ ଏହାକୁ ୨୦୧୯ ବିଧାନସଭା ନିର୍ବାଚନର ପୂର୍ବାଭାଷ ବୋଲି ଅନୁମାନ କରାଯାଉଛି।














