ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୟାଗଡ଼ ଜିଲ୍ଲାରେ ୧୪୭ ଏକର ଜମି ଆବଶ୍ୟକ
  • ବୌଦ୍ଧ-ସୋନପୁର ଜିଲ୍ଲାରେ ୧୪୦୦ ଏକର ଜଙ୍ଗଲ ଜମି ଦରକାର
  • ପ୍ରକଳ୍ପରେ ବିଳମ୍ବ ନେଇ ଅଭିଯୋଗ ଆଣିଥିଲା ବିଜେଡି
  • ଜମି ଯୋଗାଇଦେବାକୁ ନିବେଦନ କଲେ ଧର୍ମେନ୍ଦ୍ର

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏହାକୁ ନେଇ ପୁଣିଥରେ ରାଜ୍ୟ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ରେଳ ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ଜମି ଯୋଗାଇ ଦେଉ ନଥିବା ରେଳବାଇ କର୍ତ୍ତୃପକ୍ଷ କହିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରରେ ରାଜ୍ୟ ସରକାରଙ୍କୁ ନିଶାନା ବନାଇଛନ୍ତି।

ବିଭିନ୍ନ ରେଳ ପ୍ରକଳ୍ପକୁ ନେଇ ନୂଆଦିଲ୍ଲୀରେ ଚାଲିଥିଲା ବୈଠକ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରେଳବାଇ ବୋର୍ଡ, ପୂର୍ବତଟ ରେଳବାଇ ଏବଂ ରେଳ ବିକାଶ ନିଗମର ଲିମିଟେଡର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଉପରେ ସମୀକ୍ଷା ହୋଇଥିଲା। ହେଲେ ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ଜମି ଅଧିଗ୍ରହଣ ପ୍ରତିବନ୍ଧକ ସାଜିଛି ବୋଲି ଆଲୋଚନା ହୋଇଥିଲା। ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଥିଲା ରେଳବାଇ।

ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ଯେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଶେଷ କରିବାକୁ ଆମ ବିଭାଗର ଆଗ୍ରହ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଆବଶ୍ୟକ ଜମି ଯୋଗାଇ ଦେଉ ନାହାନ୍ତି। ଫଳରେ ପ୍ରକଳ୍ପ କାମ ଆଗେଇବାରେ ବିଳମ୍ବ ହେଉଛି। ରାଜ୍ୟ ସରକାର ଜମି ଯୋଗାଇ ଦେଲେ ୩ ବର୍ଷରେ ପ୍ରକଳ୍ପ ଶେଷ ହେବ। ଏଥିପାଇଁ ରେଳବାଇ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇ ରହିଛନ୍ତି।

ଖୋର୍ଦ୍ଧାରୋଡରୁ ନୟାଗଡ଼ ଟାଉନ୍ ପର୍ଯ୍ୟନ୍ତ ୬୬ କିମି ରେଳପଥ କାମ ଶେଷ ହୋଇଛି। ଏହି ଲାଇନ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ନୟାଗଡ଼ ଟାଉନରୁ ୭୫ କିମି କାମ ଆରମ୍ଭ ହୋଇଛି। ହେଲେ ଆବଶ୍ୟକ ଜମି ମିଳୁ ନଥିବାରୁ ପ୍ରକଳ୍ପ କାମ ଆଗକୁ ଯାଇପାରୁ ନାହିଁ।

ଏହି ପ୍ରକଳ୍ପ ପାଇଁ ନୟାଗଡ଼ ଜିଲ୍ଲାରେ ୧୪୭ ଏକର ଜମି ଆବଶ୍ୟକ ହେଉଛି। ବୌଦ୍ଧ-ସୋନପୁର ଜିଲ୍ଲାରେ ୧୪୦୦ ଏକର ଜଙ୍ଗଲ ଜମି ଦରକାର ହେଉଛି। ହେଲେ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ବିଳମ୍ବ କରୁଥିବା ରେଳବାଇ ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ହେଉଛି ଅହେତୁକ ବିଳମ୍ବ। ଗୁରୁବାର ଏହି ଅଭିଯୋଗ ଆଣିଥିଲେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ ସାହୁ। ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ଡକ୍ଟର ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କୁ ଦେଇଥିଲେ ସ୍ମାରକପତ୍ର।

ପ୍ରକଳ୍ପ ନିର୍ମାଣ ଶୀଘ୍ର ଶେଷ, ବୌଦ୍ଧ-ଦଶପଲ୍ଲାରେ ଆଉ ଦୁଇଟି ଓ୍ବାର୍କ ଷ୍ଟେସନ ନିର୍ମାଣ ଏବଂ ୪ ଜଣ କନିଷ୍ଠ ଯନ୍ତ୍ରୀଙ୍କ ବଦଳି ବାତିଲ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଥିଲା।

ବିଜେଡିର ଏହି ଅଭିଯୋଗକୁ ଗୋଟିଏ ଦିନ ନପୂରୁଣୁ ରାଜ୍ୟ ଉପରେ ଦୋଷ ଲଦିଛି କେନ୍ଦ୍ର। ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛି।

ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରିଛନ୍ତି ଯେ, “ଜମି ଅଧିଗ୍ରହଣ ଏବଂ ପରିବେଶ ମଞ୍ଜୁରୀ ସମସ୍ୟା ପାଇଁ ରେଳ ପ୍ରକଳ୍ପର କାମ ଆଗେଇ ପାରୁନାହିଁ। ରାଜ୍ୟ ସରକାର ଯେଉଁ ଜମି ହସ୍ତାନ୍ତର କରିବେ ବୋଲି କହିଥିଲେ ସେହି ଜମି ଯୋଗାଇ ଦିଅନ୍ତୁ।”

Comment