ଡକ୍ଟର ହରପ୍ରସନ୍ନ ଦାସ
ଆମମାନଙ୍କର ଜୀବନ ଏକ ଖୋଲା ବହି ପରି। ନିଜ ଜୀବନରୁ ଶିଖିବା ସହିତ ଅନ୍ୟମାନଙ୍କ ଜୀବନରୁ ଯିଏ ଶିଖିପାରିବ, ସେ ହିଁ ଏକ ସଫଳ ମଣିଷ ହୋଇପାରିବ। ଆମ ଚାରିପାଖରେ ଅନେକ ଶିଖିବାର ସୁଯୋଗ ରହିଛି। ଏଥିପାଇଁ ଏକ ଦିବ୍ୟ ଚକ୍ଷୁ ଦରକାର।
ସେମିନାର୍ ସାରି ମୁଁ ହୋଟେଲରୁ ବାହାରି ଗାଡ଼ି ପାଖକୁ ଗଲି। ମତେ ଶୀଘ୍ର ଭୁବନେଶ୍ୱରକୁ ଫେରିବାକୁ ହେବ। ମୁଁ ଭୁବନେଶ୍ୱରରୁ ଟାକ୍ସି ଭଡ଼ା କରି ଆସିଥିଲି, ଆଉ ସୁରେଶ ଥିଲା ସେ ଗାଡ଼ିର ଡ଼୍ରାଇଭର। ଯେ କୌଣସି ଗାଡ଼ିରେ ବସିଲା ମାତ୍ରକେ ମୁଁ ଗାଡ଼ି ଚଲାଉଥିବା ବ୍ୟକ୍ତିକୁ ତା’ର ନାଁ ପଚାରିଥାଏ। ଯେତେ ସମୟ ସେ ଗାଡ଼ି ମୋ ପାଖରେ ଥାଏ, ମୁଁ ତା’କୁ କେବଳ ତା’ ନାଁ ଧରି ଡ଼ାକିଥାଏ। କେବେବି ଭୁଲରେ ତାକୁ ଡ୍ରାଇଭର ବୋଲି ଡାକି ନଥାଏ।
ପ୍ରାୟତଃ ଲୋକମାନେ ଗାଡିର ଡ୍ରାଇଭରକୁ ଡ୍ରାଇଭର ବୋଲି ଡାକିଥାନ୍ତି। ବିଶେଷକରି ଟାକ୍ସି କ୍ଷେତ୍ରରେ। ପେସା ହିସାବରେ ଲୋକଟି ଡ୍ରାଇଭର୍ କାମ କରୁଛି ସତ ହେଲେ ତା’ର ତ ଗୋଟେ ନାଁ ଅଛି। କିନ୍ତୁ ଲୋକମାନେ ସେହି ନାଁଟି ଜାଣିବା ପାଇଁ କେବେ ଆଗ୍ରହ ପ୍ର୍ରକାଶ କରିନଥାନ୍ତି। ତେଣୁ ସେ ଡ୍ରାଇଭର୍ ନାମରେ ବେଶ୍ ପରିଚିତ ହୋଇଯାଏ। ଏପରିକି ସେ କାହାକୁ ଫୋନ୍ କଲାବେଳେ ବି ନିଜର ପରିଚୟ ଦେଇ କୁହେ- ‘ମୁଁ ଅମୁକ ଗାଡ଼ିର ଡ୍ରାଇଭର୍ କହୁଛି’। ପ୍ରତ୍ୟେକ ବ୍ୟକ୍ତିର ଗୋଟେ ନାଁ ଅଛି ସେ ନାଁ ଧରି ଡାକିଲେ ନିଶ୍ଚିତ ଭାବରେ ସେ ଖୁସି ହେବ। ଏକଥା ଆମେ କାହାକୁ ଶିଖାଇବା।
ଦେଖିଲି ଗାଡ଼ି ଭିତରେ ବସି ସୁରେଶ ବହିଟିଏ ପଢ଼ୁଛି। ଗାଡ଼ିରେ ବସିପଡ଼ି ମୁଁ ସୁରେଶକୁ ପଚାରିଲି- ‘ତମେ ଗାଡ଼ିରେ ବସି ବସି ବହି ପଢ଼ୁଥିଲ, ସମୁଦ୍ରକୂଳ ଆଡେ ଯାଇନ କି?’ ସେ ହୋଟେଲର ସାମ୍ନାରେ ହିଁ ସମୁଦ୍ର। ସୁରେଶ ହସିଦେଇ କହିଲା- ‘ସମୁଦ୍ର କୂଳରେ ବସି କ’ଣ କରିଥାନ୍ତି, ଖାଲି ସମୟ ନଷ୍ଟ। ବହିଟିଏ ପଢ଼ିଲେ କିଛି ତ ଶିଖିବି। ସମୟର ଠିକ୍ ବ୍ୟବହାର ହେବା ସହିତ, ମୁଣ୍ଡଟା ବି ଥଣ୍ଡା ରହିବ। ମୁଁ ତ ଡ୍ୟୁଟିରେ ଆସିଛି। ତେଣୁ ଗାଡିକୁ ଛାଡ଼ି ଅନ୍ୟ ସ୍ଥାନରେ ଥିଲେ ଆପଣ ବି ଆସି ମତେ ଖୋଜିଥାନ୍ତେ, ଫୋନ୍ କରିଥାନ୍ତେ। ଆଉ ମୋ ଆସିବାରେ ଡେରି ହୋଇଥିଲେ ଶେଷରେ ଆପଣ ବିରକ୍ତ ହୋଇଥାନ୍ତେ। ତେଣୁ ମୁଁ ମୋ କାମରେ ଅବହେଳା ନକରି ଗାଡ଼ି ଭିତରେ ବସି ବହି ପଢ଼ୁଥିଲି’।
ସୁରେଶ ମୁହଁରୁ ଏତେ ଗୁଡାଏ ଓଜନଦାର୍ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ବିଶ୍ୱାସ କରିପାରୁନଥିଲି ଯେ ଟାକ୍ସି ଚଲାଉଥିବା ସୁରେଶ ଏତେ ମୂଲ୍ୟବାନ୍ କଥା କିପରି ଏତେ ସହଜରେ କହିଦେଲା। ସତେ ଯେପରି ସେଗୁଡିକ ତା’ ଜୀବନର ମୂଲ୍ୟବୋଧ ଥିଲା।
ଗାଡ଼ିରେ ବସିପଡ଼ି ସୁରେଶକୁ କହିଲି- ‘ଚାଲ, ଭୁବନେଶ୍ୱର ଫେରିଯିବା’। ସୁରେଶ ବହିଟି ପାଖ ସିଟରେ ରଖିଦେଇ ଗାଡ଼ିରେ ଷ୍ଟାର୍ଟ ଦେଲା। ମୁଁ ବହିଟି ଉଠେଇ ଆଣି ଦେଖିଲି ସ୍ୱାମୀ ବିବେକାନନ୍ଦଙ୍କର ଆତ୍ମଜୀବନୀ ଓଡ଼ିଆ ଭାଷାରେ। ଟାକ୍ସି ଚଲାଉଥିବା ସୁରେଶ ସ୍ୱାମୀ ବିବେକାନନ୍ଦଙ୍କର ଆତ୍ମଜୀବନୀ ପଢ଼ୁଥିଲା। କିଛି ସମୟ ପାଇଁ ଆମର ତଥାକଥିତ ଶିକ୍ଷିତ ଲୋକମାନଙ୍କର କଥା ମନେ ପଡ଼ିଗଲା, ଯେଉଁମାନେ କୁହନ୍ତି ଶିଖିବାଟା ନିହାତି ଜରୁରୀ କିନ୍ତୁ ସେମାନଙ୍କ ଭିତରେ ଶିଖିବାର ମନୋବୃତ୍ତି ଆଦୌ ନଥାଏ। ‘ମୁଁ ବହୁତ ଜାଣିଛି। ମୋର ଶିଖିବାର ନାହିଁ, ବରଂ ମୁଁ ଅନ୍ୟକୁ ଶିଖାଇବି’। ଏହାହିଁ ଅଧିକାଂଶ ଲୋକଙ୍କର ମନୋଭାବ।
ସୁରେଶର ଲକ୍ଷ୍ୟଥାଏ ରାସ୍ତା ଉପରେ। ମୋର କିନ୍ତୁ ଲକ୍ଷ୍ୟଥାଏ ସୁରେଶ ଉପରେ। ସୁରେଶକୁ ପଚାରିଲି- ‘ତମେ କେତେଯାଏ ପାଠ ପଢ଼ିଛ?’ ସେ କହିଲା – ‘ମୁଁ +୩ ପଢ଼ିଛି, କିନ୍ତୁ ଫାଇନାଲ୍ ପରୀକ୍ଷା ଦେଇନଥିଲି। ଘରର ଆର୍ଥିକ ପରିସ୍ଥିତି ଠିକ୍ ନଥିଲା। ତା’ ଛଡା କୁସଙ୍ଗରେ ପଡି ପାଠ ଛାଡିଦେଲି। ଘର ପାଖରେ ଛୋଟ ଚା ଦୋକାନଟେ କରିଥିଲି। ଭଲ ଲାଗିଲାନି, ଡ୍ରାଇଭିଂ ଶିଖି ଟାକ୍ସି ଚଲାଇଲି। ତିନି ବର୍ଷ ହେବ ବ୍ୟାଙ୍କରୁ ଲୋନ୍ ନେଇ ଏଇ ଗାଡ଼ିଟି କିଣିଛି’।
ଆଉ ଗୋଟେ ଝଟକା ଲାଗିଲା ମୋ ମନରେ। ତେବେ ସୁରେଶ ଏଇ ଗାଡ଼ିର ମାଲିକ। କିନ୍ତୁ ସମସ୍ତଙ୍କ ପାଖରେ ତା’ ପରିଚୟ ହେଉଛି ସେ ଡ୍ରାଇଭର୍। ଭଦ୍ର ବ୍ୟବହାର, ପରିଷ୍କାର ପୋଷାକ। ପତ୍ର ପାନ ଗୁଟଖା ଖାଏ ନାହିଁ। ଗାଡ଼ି ଚଲାଇଲା ବେଳେ ମୋବାଇଲରେ କଥା ହୁଏନାହିଁ। ବୟସ ୩୪ ବା ୩୫ ପାଖାପାଖି ହେବ।
କିଛି ସମୟ ପାଇଁ ମୁଁ ଚୁପ୍ଚାପ୍ ବସି ତା’ ବିଷୟରେ ଭାବୁଥିଲି। ଜାଣିବାକୁ ଇଚ୍ଛା ହେଲା ତା’ ପରିବାର ବିଷୟରେ, ଆଉ ପଚାରିଲି ବି। ହସିଦେଇ ସୁରେଶ କହିଲା- ‘ମୋ ସ୍ତ୍ରୀ +୩ ପଢ଼ିଛି। ପୁଅକୁ ପାଞ୍ଚବର୍ଷ। ଏବେ ସ୍କୁଲରେ ନାଁ ଲେଖାଇଛି। ସ୍ତ୍ରୀ ଘରକାମ ସହିତ ପୁଅକୁ ପାଠ ପଢ଼ାଏ ଓ ପାଖ ପଡ଼ିଶାର ୪/୫ ଜଣ ପିଲାଙ୍କୁ ବି ଟ୍ୟୁସନ୍ କରେ। ଆମେ ଦୁହେଁ କେବେବି ସମୟ ନଷ୍ଟ କରୁନା। ଯେତେଦୂର ସମ୍ଭବ ଖରାପ ଲୋକଙ୍କ ପାଖରୁ ଦୂରେଇ ରହିଥାଉ। ନୟାପଲ୍ଲୀରେ ଛୋଟ ଆଜବେଷ୍ଟସ୍ ଘରଟିଏରେ ଭଡ଼ା ନେଇ ରହୁଛି। ଯେତେ ରାତିରେ ଫେରିଲେ ବି ମୁଁ ଆସି ଘରେ ଖାଏ। ମୁଁ ମୋ ଡ୍ୟୁଟିରେ କେବେବି ଅବହେଳା କରେନି। ବିରକ୍ତ ହେବା ତ ଦୂରର କଥା, କାହାକୁ ମୁଁ କେବେ ଭୁଲ୍ ବୁଝେ ନାହିଁ।’
ଏମିତି କଥା ହେଉ ହେଉ ଆମେ ଅଧା ବାଟ ଚାଲି ଆସିଥିଲୁ। ଆଉ ପ୍ରାୟ ଅଧ ଘଣ୍ଟାଏ ପରେ ଭୁବନେଶ୍ୱରରେ ପହଞ୍ଚିଯିବୁ। ସମୟ ୫ଟା ବାଜିବାକୁ ୧୫ ମିନିଟ୍। ବାକି ୬ଟା ବେଳେ ଗୋଟିଏ ଅଫିସରେ ପ୍ରାୟ ୨୦ ଜଣ ଅଫିସରଙ୍କୁ ଆତ୍ମବିକାଶ ଉପରେ ଏକ ଅଭିଭାଷଣ ଦେବାର ଥିଲା। ନିଜ ଜୀବନର ବିକାଶ ପାଇଁ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରତ୍ୟେକ ଘଟଣାରୁ ଶିଖିବାକୁ ପଡିବ। ଶିଖିବାଟା ଏତେ ସହଜ କାମ ନୁହେଁ। ଏହା ଏକ କଳା। ଏଥିପାଇଁ ମନରେ ଆଗ୍ରହ ଥିବା ଦରକାର।
ଆମମାନଙ୍କର ଜୀବନ ଏକ ଖୋଲା ବହି ପରି। ନିଜ ଜୀବନରୁ ଶିଖିବା ସହିତ ଅନ୍ୟମାନଙ୍କ ଜୀବନରୁ ଯିଏ ଶିଖିପାରିବ, ସେ ହିଁ ଏକ ସଫଳ ମଣିଷ ହୋଇପାରିବ। ଆମ ଚାରିପାଖରେ ଅନେକ ଶିଖିବାର ସୁଯୋଗ ରହିଛି। ଏଥିପାଇଁ ଏକ ଦିବ୍ୟ ଚକ୍ଷୁ ଦରକାର। ଏହିପରି ଅନେକ ଭାବନା ମୋ ମନ ଭିତରେ ଘୁରି ବୁଲୁଥିବା ବେଳେ ସୁରେଶ କହିଲା- ‘ସାର୍ ଆପଣଙ୍କ ଘର ହୋଇଗଲା’। ମୁଁ ସଚେତନ ହେଲି। ଗାଡ଼ିରୁ ଓହ୍ଲାଇଲା ବେଳେ ଭାବୁଥିଲି- ‘ଆଜି ମୁଁ ସୁରେଶଠାରୁ ଯାହା ଶିଖିଲି ତାହାହିଁ ସଂଧ୍ୟା ଅଧିବେଶନରେ ଅନ୍ୟମାନଙ୍କୁ କହିବି’।
(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍ ଅଧୀନରେ ପ୍ରକାଶିତ।)








ଆମମାନଙ୍କର ଜୀବନ ଏକ ଖୋଲା ବହି ପରି। ନିଜ ଜୀବନରୁ ଶିଖିବା ସହିତ ଅନ୍ୟମାନଙ୍କ ଜୀବନରୁ ଯିଏ ଶିଖିପାରିବ, ସେ ହିଁ ଏକ ସଫଳ ମଣିଷ ହୋଇପାରିବ। ଆମ ଚାରିପାଖରେ ଅନେକ ଶିଖିବାର ସୁଯୋଗ ରହିଛି। ଏଥିପାଇଁ ଏକ ଦିବ୍ୟ ଚକ୍ଷୁ ଦରକାର।





