ଡକ୍ଟର ହରପ୍ରସନ୍ନ ଦାସ

ସକାଳରୁ ସଞ୍ଜ ଯାଏଁ ରାଜଧାନୀରେ ସିଟି ବସ୍ ଚଳାଉଥିବା ଲୋକଟିର ଏତେ ଯେ ଅସୁବିଧା ରହିଛି, ସେଇଟା କେହି ଭାବିପାରିବେନି ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ପ୍ରଭୁଙ୍କ ଉପରେ ଭରସା ରଖିଛି ବୋଲି ସୁବାସ ହସି ହସି ଏତେ କଠୋର ପରିଶ୍ରମ କରିପାରୁଛି

ମୋର ଠିକ୍ ମନେଅଛି, ସେଦିନ ଥିଲା ବୁଧବାର, ୨୦୧୬ ମସିହା ଡିସେମ୍ବର ମାସ ୨୮ ତାରିଖ। ଆମ ଅନୁଷ୍ଠାନର ପିକ୍‌ନିକ୍ ଥିଲା ବାଲି ହରଚଣ୍ଡୀରେ। ଆମେ ଭୁବନେଶ୍ୱରରୁ ଠିକ୍ ଆଠଟାରେ ବାହାରିବାର ଥିଲା। ଗାଡ଼ି ଅଧଘଣ୍ଟାଏ ଆଗରୁ ପହଞ୍ଚିଥିଲା। ସବୁ ଜିନିଷ ଗାଡ଼ିରେ ଠିକ୍ ସ୍ଥାନରେ ସୁବିଧାରେ ରଖିଲା ପରେ ଖାଲି ବାକିଥିଲା ଗ୍ୟାସ୍ ସିଲିଣ୍ଡର ଗାଡ଼ି ଛାତ ଉପରେ ରଖିବା। ଗାଡ଼ି ଚଳାଉଥିବା ଲୋକଟିର ନାଁ ସୁବାସ। ବୟସ ୪୫ ପାଖାପାଖି ହେବ, ବଳିଷ୍ଠ ଚେହେରା।

ସୁବାସ ଗାଡ଼ି ପାଖରେ ଛିଡ଼ା ହୋଇଥାଏ। କିଛି କହୁନଥାଏ ବା କରୁନଥାଏ। ଗ୍ୟାସ୍ ସିଲିଣ୍ଡର ଗାଡ଼ି ଛାତ ଉପରକୁ କିପରି ଯିବ ସେ ବିଷୟରେ ବି କିଛି କହୁନଥାଏ। ଆମ ଅଫିସର ଶଙ୍କର ବି ଏପଟ ସେପଟ ହେଉଥାଏ। ମୁଁ ମୁହଁ ଖୋଲିଲି- ‘ସୁବାସ ବାବୁ, ସିଲିଣ୍ଡରଟା ଛାତ ଉପରେ କେମିତି ରଖିବା ଟିକେ କୁହନ୍ତୁ। ତୁମେତ ଜାଣିଥିବ କିପରି ରଖିଲେ ଠିକରେ ରହିବ’।

ସୁବାସ ମୁହଁ ଖୋଲି ଶଙ୍କରକୁ କହିଲେ- ‘ତୁମେ ବସ୍ ଉପରକୁ ଚଢ଼ିଯାଅ। ମୁଁ ସିଲିଣ୍ଡରଟା ବଢ଼ାଇ ଦେଉଛି ସେଠି ଦଉଡ଼ି ଅଛି, ବାନ୍ଧିଦେବ’। ଶଙ୍କର ଗାଡ଼ି ଛାତକୁ ଚଟକରି ଚଢ଼ିଗଲା। ତଳୁ ସୁବାସ ସିଲିଣ୍ଡର ବଢ଼ାଇଦେଲା। ଛାତ ଉପରେ ଠିକ୍ ଭାବେ ସିଲିଣ୍ଡର ରଖି ଶଙ୍କର ଓହ୍ଲାଇ ଆସିଲା। ଠିକ୍ ସମୟରେ ଗାଡ଼ି ଛାଡ଼ିଲା। ଗାଡ଼ିରେ ହେଲପର୍ ନାହିଁ। କିଛି ସମୟ ଗାଡ଼ି ଚାଲିଲା ପରେ ମୁଁ ସୁବାସକୁ ପଚାରିଲି ହେଲପର ବିଷୟରେ। ସେ କହିଲା- ‘ମୁଁ ତ ଗାଡ଼ି ଚଲାଇବି ଗୋଟିଏ ସ୍ଥାନକୁ ଯିବା ଓ ଫେରିବା। ଏଣୁ ଆଉ ଅଧିକ ଲୋକ କ’ଣ ଦରକାର’।

ଏକଥା ଶୁଣିଲା ପରେ ମୁଁ ଆଉ କିଛି କହିବାକୁ ଉଚିତ୍ ମନେକଲି ନାହିଁ। କହିଥିଲେ ବି କିଛି ଲାଭ ହୋଇନଥାନ୍ତୋ, କେବଳ ଯୁକ୍ତିତର୍କ ଛଡ଼ା। ଶେଷରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥାନ୍ତା। କାରଣ ବସ ମାଲିକ ଏହି ସିଦ୍ଧାନ୍ତ ନେଇଥିବ। ଏଣୁ ଏଠାରେ ଡ଼୍ରାଇଭରକୁ କହିକି ଲାଭ କ’ଣ।

ମୋତେ ଚୁପ୍ ରହିବାର ଦେଖି ସୁବାସ ହସିଦେଇ କହିଲା- ‘ଆଜ୍ଞା, ଆପଣମାନଙ୍କର କିଛି ଅସୁବିଧା ହେବନି। ମୁଁ ଏକା ସବୁ ସମ୍ଭାଳି ନେବି’। କଥାଟା ଟିକେ ହାଲକା ହୋଇଗଲା। ମୁଁ ପୁଣି ଭାବିଲି- ‘ଯଦି ସେ ଏକା ସବୁ ଦାୟିତ୍ୱ ନେବ ତେବେ ସିଲିଣ୍ଡର ଗାଡ଼ି ଛାତ ଉପରେ ରଖିବା ପାଇଁ ସେ କିଛି କରୁନଥିଲା କାହିଁକି? ଛାତ ଉପରକୁ ଚଢ଼ିଗଲାନି କାହିଁକି? ମୁଁ ମୁହଁଖୋଲି କହିଲା ପରେ ହିଁ କାମଟି ହେଲା। ତଥାପି ସୁବାସ ଗାଡ଼ି ଉପରକୁ ଚଢ଼ିଲା ନାହିଁ। ମୋ ଜାଣିବାରେ ସେଇଟା ତା କାମ’। ଅନେକ ଭାବନା ମନରେ ଆସିଲା। କିନ୍ତୁ ସବୁକିଛି ମନରୁ କାଢ଼ିଦେଇ ମୁଁ ଆମ ଲୋକମାନଙ୍କ ସହିତ ପିକନିକ୍ ବିଷୟରେ କଥା ହେଲି।

ଆମେ ଯେପରି ଯୋଜନା କରିଥିଲୁ ସବୁକାମ ଠିକ୍ ସେହିପରି ହେଲା। ପୁରୀଠାରୁ ଅଳ୍ପ ଦୂରରେ ଗାଡ଼ି ରଖି ରାସ୍ତାକଡ଼ରେ ଜଳଖିଆ ଖାଇଲୁ। ସାଙ୍ଗରେ ଜଳଖିଆ ନେଇଥିଲୁ, ମଜା ଲାଗିଲା। ତା’ପରେ ବାଲି ହରଚଣ୍ଡୀରେ ପହଞ୍ଚି ପିକନିକ୍ ମଜା ନେଲୁ। ଖାଇସାରି ଫେରିଲା ବାଟରେ ଅଲାରନାଥ ମନ୍ଦିର ପାଖରେ ଗାଡ଼ି ରହିଲା। ଆମେ ସମସ୍ତେ ମନ୍ଦିରକୁ ଗଲୁ। ମୁଁ ଟିକେ ଶୀଘ୍ର ଗାଡ଼ି ପାଖକୁ ଫେରିଆସିଲି। ସୁବାସ ଡ୍ରାଇଭର୍ ସିଟରେ ବସିଥାଏ।

ମୁଁ ସେଇ ପାଖ ସିଟରେ ବସିଲି ପଚାରିଲି- ‘ସୁବାସ, ତୁମେ ମନ୍ଦିରକୁ ଗଲନି?’ ସେ ହସିଦେଇ କହିଲା- ‘ଏଇ ମନ୍ଦିରକୁ ଅନେକ ଥର ଆସିଛି। ଆଜି ଏଇଠୁ ଟିକେ ମୁଣ୍ଡିଆ ମାରିଦେଲି। ଗାଡ଼ି ଛାଡ଼ି ଯିବାକୁ ଇଛା ହେଲାନି। ଆପଣମାନେ ସମସ୍ତେ ଯାଇଥିଲେ ତ’। ସତକଥା, ଆମେମାନେ କେହି ଗାଡ଼ିରେ ନଥିଲୁ।

କିଛି ସମୟ ଚୁପ୍ ରହିଲା ପରେ ସୁବାସ କହିଲା- ‘ଆଜ୍ଞା, ଅନେକ ପିକନିକ୍ ପାର୍ଟି ନେଇ ମୁଁ ଯାଇଛି। କିନ୍ତୁ ଆପଣମାନଙ୍କ ଦଳଟି ଖୁବ୍ ଭଲ। ସମସ୍ତେ ଭଦ୍ର, ଶାନ୍ତ, ମେଳାପୀ ଓ ମଜାଳିଆ। ଏଣୁ ମୁଁ ଆଜି ଖୁବ୍ ଆନନ୍ଦ ପାଇଛି। ମନଭରି ଖାଇଛି। ମାଂସ ଖାଇବାରେ ମୋର କଟକଣା ଅଛି। ମୁଁ ବାହାରୁ ଦେଖିବାକୁ ଏପରି ବଳିଷ୍ଠ ଚେହେରା, କିନ୍ତୁ ମୋର ଗୋଟାଏ କିଡନି ନାହିଁ। ଗୋଟିଏ ମାତ୍ର କିଡନିରେ ମୁଁ ବଞ୍ଚିଛି। ଗାଡ଼ି ଚଲାଇବାକୁ ସମସ୍ତେ ମୋତେ ମନା କରୁଥିଲେ କିନ୍ତୁ ମୋ ପେଟ ପୋଷିବାର ବାଟ ଏଇଟା। ଏତିକିରେ ମୋର ଦୁଃଖ ସରିନି। ୪ ବର୍ଷ ତଳେ ମୋର ୧୨ ବର୍ଷର ପୁଅ ମରିଗଲା। ପରେ ଝିଅଟିଏ ହୋଇଛି। ଘର ଭୁବନେଶ୍ୱରଠାରୁ ୨୦ କିମି ଦୂରରେ। ମୁଁ ବାପା, ମାଆଙ୍କର ଗୋଟାଏ ପୁଅ। ଯେତେ ରାତି ହେଉପଛକେ ଘରକୁ ଫେରେ। ସକାଳୁ ଉଠି ବଗିଚାରେ କାମ କରେ। ପୋଟଳ, ଭେଣ୍ଡି, ଜହ୍ନି, କଲରା ଇତ୍ୟାଦି ପରିବା ଚାଷ କରିଛି।

ଘରେ ଖାଇବା ପରେ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରିଛି। ଚାଷଜମି ଅଛି। ତା’ ଦାୟିତ୍ୱ ବାପାଙ୍କର। ମୁଁ ଠିକ୍ ୯ଟା ବେଳେ ଘରୁ ବାହାରି ୯.୩୦ରେ ବସଷ୍ଟାଣ୍ଡରେ ଗାଡ଼ି ଲଗାଏ। ରାତି ୮ଟା ଯାଏ ରାଜଧାନୀରେ ଆମ ରୁଟରେ ଗାଡ଼ି ଚଳାଏ। ମୋର କିଛି ମାଦକଦ୍ରବ୍ୟର ଅଭ୍ୟାସ ନାହିଁ। ଚା, ପାନ, ବିଡ଼ି, ସିଗାରେଟ୍ ଓ ମଦ କିଛି ଖାଏ ନାହିଁ। ଘରୁ ଖାଇବା ନେଇଥାଏ। ହୋଟେଲରେ ଖାଏନାହିଁ। କାହା ସହିତ ଯୁକ୍ତିତର୍କ, କଳହ କରେ ନାହିଁ। ମୋ କାମ ହିଁ ମୋର ଭଗବାନ୍। ଏତେ ଦୁଃଖ ପରେ ବି ମୁଁ ଅବା ମୋ ସ୍ତ୍ରୀ କେବେ ଭାଙ୍ଗି ପଡ଼ିନାହୁଁ କି ହତାଶା ହୋଇନାହୁଁ। ଆମଠାରୁ ଆହୁରି ଅନେକ ଦୁଃଖରେ ଲୋକମାନେ ଅଛନ୍ତି। ପ୍ରଭୁଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ଆନନ୍ଦରେ ଜୀବନ କାଟୁଛୁ। ଦେହପ୍ରତି ସଜାଗ ଅଛି ବୋଲି, ମୁଁ ଗାଡ଼ି ଛାତ ଉପରକୁ ଚଢ଼େନି। ଏତିକି କହି ସୁବାସ ଗାଡ଼ିର ଷ୍ଟାର୍ଟ ଦେଲା।

ଏବେ ମୁଁ ବୁଝିପାରିଲି ସୁବାସ କାହିଁକି ଛାତ ଉପରେ ନଚଢ଼ି ତଳେ ଚୁପ୍‌ଚାପ୍ ଛିଡ଼ା ହୋଇଥିଲା। ସକାଳରୁ ସଞ୍ଜ ଯାଏଁ ରାଜଧାନୀରେ ସିଟି ବସ୍ ଚଳାଉଥିବା ଲୋକଟିର ଏତେ ଯେ ଅସୁବିଧା ରହିଛି, ସେଇଟା କେହି ଭାବିପାରିବେନି। ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଓ ପ୍ରଭୁଙ୍କ ଉପରେ ଭରସା ରଖିଛି ବୋଲି ସୁବାସ ହସି ହସି ଏତେ କଠୋର ପରିଶ୍ରମ କରିପାରୁଛି। ଗାଡ଼ି ଫେରୁଥିଲା ଭୁବନେଶ୍ୱରକୁ। ଗାଡ଼ି ଭିତରେ ପିକ୍‌ନିକ ଫେରନ୍ତା କୋଳାହଳ ଥିଲା। କିନ୍ତୁ ମୁଁ ଚୁପ୍‌ଚାପ୍ ବସି ନିଜକୁ ପଚାରୁଥିଲି, ‘ଯଦି ମୁଁ ସୁବାସ ସ୍ଥାନରେ ଥାନ୍ତି ତାପରି ମନରେ ଦମ୍ଭଧରି ଏତେ କାମ କରିପାରୁଥାନ୍ତି କି?’

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Comment