ଡକ୍ଟର ହରପ୍ରସନ୍ନ ଦାସ

ପ୍ରୀତିର ମନସଫା ଅନ୍ୟକୁ ସାହାଯ୍ୟ କରିବାରେ ବହୁତ ଆଗ୍ରହ ଗରିବ ଲୋକମାନଙ୍କୁ କାମ ଯୋଗାଇଦେବା ବିଭିନ୍ନ ପରିବାର ପାଇଁ କାମବାଲୀ ଖୋଜିଦେବା ଇତ୍ୟାଦି ସବୁକାମରେ ସେ ଆଗଭର କାହାକୁ କେବେ ସେ ମନା କରିପାରେ ନାହିଁ ଅନେକ ଥର ଏହିପରି ସାହାଯ୍ୟ କରି ସେ ହଇରାଣ ହୋଇଛି

ସବୁଦିନ ପ୍ରୀତି ଆମଘରକୁ ସକାଳ ୮ଟାରୁ ୮ଟା ୧୫ ଭିତରେ ଆସେ, ରୋଷେଇ କାମରେ ସାହାଯ୍ୟ କରିବା ପାଇଁ। ବୟସ ବତିଶ ବର୍ଷ, ଓଜନ ବୟାଳିଶ କେଜି। ଦେଖିବାକୁ ଶ୍ୟାମଳ ବର୍ଣ୍ଣ ଓ ଖୁବ୍ ପତଳା। ଦେଖିଲେ କେହି କହିବେନି ଯେ ସେ ବାହା ହୋଇଛି ଏବଂ ତା’ର ଦୁଇଟି ପୁଅ।

ବଡ଼ପୁଅ ତେର ବର୍ଷ, ଅଷ୍ଟମରେ ପଢ଼େ, ସାନ ପୁଅ ଛଅ ବର୍ଷ, ପ୍ରଥମ ଶ୍ରେଣୀରେ ପଢ଼େ। ଦେଖିବାକୁ ପତଳା ସିନା, ବଳ କିନ୍ତୁ ବେଶୀ। ଶାରିରୀକ ଶକ୍ତିଠାରୁ ମାନସିକ ଶକ୍ତି ଅଧିକ। ସାଇକଲ୍ ଚଲାଏ ସେ ୨୦ରୁ ୨୫ ମାଇଲ୍ ସ୍ପିଡରେ। ପବନ ପରି ମାଡ଼ି ଚାଲିଥିବ।

ମୁଁ ତାକୁ ଥରେ କହିଲି- ‘ତୋର ଓଜନ ତ ୩୫ କେଜି ପରି ଲାଗୁଛି’। କିନ୍ତୁ ସେ ହସିଦେଇ କହିଲା- ‘ନାଇଁ ୪୨ କେଜି। ଦୁଇବର୍ଷ ହେଲା ଚେଷ୍ଟା କରୁଛି ୪୫ କେଜି ହେବା ପାଇଁ, କିନ୍ତୁ ହୋଇପାରୁନି’। ମୁଁ ବହେ ହସିଲି ଏବଂ ସେ ବି।

ବେଳେବେଳେ ମତେ ତା’ ଉପରେ ବହୁତ ରାଗ ଲାଗେ। କାରଣ ସବୁବେଳେ ତା’ ପାଟିରେ ପାନ କି ପୁଡ଼ିଆ ପଶିଥିବ। ଯେତେ କହିଲେ ବି ସେ ବଦଭ୍ୟାସଟା ଛାଡ଼ିପାରୁନି। ଅନେକଥର ମୁଁ ତାକୁ ଗାଳି ଦେଇଛି। ତଥାପି ବି କିଛି ଲାଭ ହେଇନି ହସିଦେଇ କହେ-‘ମୁଁ ଜାଣିଛି ଏଗୁଡ଼ାକ ଖାଇବା ଠିକ୍ ନୁହେଁ। କିନ୍ତୁ ନଖାଇଲେ ମୁଁ କାମ କରିପାରିବିନି’।

ପ୍ରୀତି ଆମ ଘରପାଖ ଅଞ୍ଚଳରେ ୬ଜଣଙ୍କ ଘରେ ରୋଷେଇ କାମ କରେ। ସେଇ ରୋଜଗାରରୁ ହିଁ ତା’ ଘର ଚଳେ। ସମସ୍ତଙ୍କ ଘରପାଇଁ ଟାଇମ୍ ସ୍ଥିର ହୋଇଯାଇଛି। ସକାଳ ୫ଟାରୁ ଘରୁ ବାହାରି ଦିନ ୨ଟା ଯାଏ ତାକୁ ଫୁରୁସତ୍ ନଥାଏ। ସତେ ଯେପରି ଏକ ମେସିନ୍ ପରି ସିଏ କାମ କରୁଥାଏ। ସମୟ ବଞ୍ଚାଇବା ପାଇଁ ପବନ ବେଗରେ ସାଇକଲ୍ ଚଲାଏ।

ପ୍ରକୃତ କଥାଟି ହେଲା ପ୍ରୀତିର ସ୍ୱାମୀ ବାହାଘର ବେଳେ ଚାକିରି କରୁଥିଲେ। ବାହାଘର ପରେ କିଛି ଅସୁବିଧାବଶତଃ ଚାକିରି ଛାଡ଼ିଦେଲେ। ତା’ପରେ ଆଉ ଚାକିରି କରିବାକୁ ଇଚ୍ଛା କଲେନାହିଁ। ପ୍ରୀତି ଯାହା କୁହେ ସ୍ୱାମୀ ତାଙ୍କର ଟିକେ ରାଗିଲୋକ, କାହା କଥା ସହିପାରିବେ ନାହିଁ। କଥା ବେଶୀ କୁହନ୍ତି। ବ୍ୟବସାୟ କରିବା ବି ତାଙ୍କ ପକ୍ଷରେ ସମ୍ଭବ ନୁହେଁ। ଏଣୁ ପୁଅ ଜନ୍ମ ହେବାପରେ ସେ ଘରେ ରୁହନ୍ତି ଓ ଘରର କିଛିଟା କାମର ଦାୟିତ୍ୱ ନିଅନ୍ତି। ଏଣୁ ଘର ପାଇଁ ରୋଜଗାର କରିବାର ଦାୟିତ୍ୱ ପ୍ରୀତି ହିଁ ନେଲା।

ବିଏସସି ଯାଏ ପାଠ ପଢ଼ିଛି। ପ୍ରଥମେ ଗୋଟେ ସ୍କୁଲରେ କାମ କରୁଥିଲା କିନ୍ତୁ ଅସୁବିଧା ହେବାରୁ ଚାକିରି ଛାଡ଼ିଦେଲା। ଦରମା ବି କମ୍ ମିଳୁଥିଲା। ଜାତିରେ ସେ ବ୍ରାହ୍ମଣ। କିଛିଟା କାମ ବି କରିବାରେ ବାରଣ ରହିଛି। ତେଣୁ ସେ ସ୍ଥିରକଲା ରୋଷେଇ କାମରେ ସହାୟକ ଭାବେ କାମ କରିବ। ଆଜିକାଲି ଅନେକ ପରିବାରରେ ରୋଷେଇ କାମରେ ସାହାଯ୍ୟ କରିବା ପାଇଁ ଲୋକ ଦରକାର। ପ୍ରୀତି ବହୁତ ପରିଷ୍କାର ପରିଚ୍ଛନ୍ନ ଓ ଭଦ୍ର ଆଉ ନମ୍ର ବ୍ୟବହାର। ହସିହସି ଲୋକମାନଙ୍କ ସହିତ ଭଲଭାବେ ମିଶିଯାଏ ଭୁଲ୍ ଥିଲେ ହସିହସି କ୍ଷମା ମାଗିନିଏ।

ପାଖ ବସ୍ତିରେ ପ୍ରୀତି ଘରଭଡ଼ା ନେଇ ରହୁଛି। ଘରେ ତା’ର ଗ୍ୟାସ୍ ଚୁଲ୍ଲା, ଓ୍ୱାସିଙ୍ଗ୍ ମେସିନ୍, କଲର୍ ଟିଭି, ରେଫ୍ରିଜରେଟର୍, ଏୟାର କୁଲର ଇତ୍ୟାଦି ସବୁ ଆବଶ୍ୟକ ଜିନିଷମାନ ରହିଛି। ସ୍ୱାମୀ ଘରେ ରହି ଘରର ଦାୟିତ୍ୱ ନେଇଥିଲେ ବି ଅନେକ କାମରେ ଅବହେଳା ହୁଏ। ପ୍ରୀତିର ତା’ ସହିତ ଯୁକ୍ତିତର୍କ ହୋଇ କଳହ ପର୍ଯ୍ୟନ୍ତ ମଧ୍ୟ ଯାଏ। କିନ୍ତୁ ପୁଣିସବୁ ସମାଧାନ କରିଦିଏ ପ୍ରୀତି। ସେକଥା ବି ଆମଘରେ ବେଳେବେଳେ କହିଥାଏ।

ହସିଦେଇ କହେ- ‘ସେଇ ଲୋକକୁ ତ ନେଇ ଚଳିବାକୁ ପଡ଼ିବ କ’ଣ କରିବି? କାମ କରି କରି ଯେତେବେଳେ ହାଲିଆ ହୋଇଯାଏ, ଘରକାମରେ କିଛିଟା ଅବହେଳା ଦେଖିଲେ ମୁଣ୍ଡକୁ ରାଗ ଉଠିଯାଏ। କିନ୍ତୁ ପରେ ଭାବେ ରାଗି ଲାଭ କ’ଣ? ଘରେ ଆହୁରି ଅଶାନ୍ତି ବଢ଼ିବ ପୁଣି ମନକୁ ବୁଝାଇଦେଇ କାମରେ ବାହାରି ପଡ଼େ’।

ପ୍ରୀତିର ମନସଫା। ଅନ୍ୟକୁ ସାହାଯ୍ୟ କରିବାରେ ବହୁତ ଆଗ୍ରହ। ଗରିବ ଲୋକମାନଙ୍କୁ କାମ ଯୋଗାଇଦେବା ଓ ବିଭିନ୍ନ ପରିବାର ପାଇଁ କାମବାଲୀ ଖୋଜିଦେବା ଇତ୍ୟାଦି ସବୁକାମରେ ସେ ଆଗଭର। କାହାକୁ କେବେ ସେ ମନା କରିପାରେ ନାହିଁ। ଅନେକ ଥର ଏହିପରି ସାହାଯ୍ୟ କରି ସେ ହଇରାଣ ହୋଇଛି। ମନଦୁଃଖ ହେଲେ ବେଳେବେଳେ ଆମଘରେ ସେସବୁ କଥା କୁହେ।

ମୁଁ ହସିଦେଇ କହେ- ‘ହଁ ଦି ପଇସା ଲାଭ ପାଉଥିବୁ ବୋଲି ତ ସାହାଯ୍ୟ କରୁଛୁ’। ସେ ଆହୁରି ଜୋରରେ ହସିଦେଇ କହେ- ‘ଆପଣ ମତେ ଠିକ୍ ଚିହ୍ନିଛନ୍ତି। ମୁଁ ସେ ଭଳିଆ ଲୋକ ହୋଇଥିଲେ ଘର ଘର ବୁଲି ଏ ଭଳିଆ କଷ୍ଟ କରୁନଥାନ୍ତି। ନିଜ ଘରେ ବସି ଟଙ୍କା ରୋଜଗାର କରୁଥାନ୍ତି’। ତା’ ପାଖରେ ଯେତିକିଟା ଭଲଗୁଣ ଅଛି, ସେଗୁଡ଼ିକ ପାଠଶାଠ ପଢ଼ି ବଡ଼ ପଦବୀରେ ରହିଥିବା ଲୋକମାନଙ୍କ ପାଖରେ ମଧ୍ୟ ନଥାଏ। ସକରାତ୍ମକ ମନୋଭାବ, ହସହସ ମୁହଁ, ନମ୍ର ଓ ଭଦ୍ର କଥା, ଅନ୍ୟକୁ ସାହାଯ୍ୟ କରିବାର ଆଗ୍ରହ, ଭୁଲ୍ ଥିଲେ କ୍ଷମା ମାଗିବା। ପରିବାରରେ ସମସ୍ତଙ୍କ ସହିତ ମିଶିଯିବାର ଗୁଣ ଏବଂ ତାର ନିଷ୍ଠାପର କର୍ମଦ୍ୱାରା ହିଁ ସେ ସମସ୍ତଙ୍କୁ ନିଜର କରିପାରିଛି।

ପ୍ରୀତିର ଯେ ଶତକଡ଼ା ଶହେଭାଗ ଭଲଗୁଣ ଥିଲା ସେକଥା ନୁହେଁ। ସବୁ ମଣିଷଙ୍କ ପରି ତା’ର ମଧ୍ୟ କିଛିଟା ଦୋଷ ଦୁର୍ବଳତା ରହିଥିଲା। ଆଗରୁ ନ କହି କାମକୁ ନ ଆସିବା, ଅବା ତରବରରେ କାମରେ କିଛିଟା ଢିଲା କରିବା, ଏସବୁ ତ ଅତି ସାଧାରଣ କଥା। ମୋଟାମୋଟି ଭାବରେ ଭଲ ମଣିଷଟିଏ ବୋଲି ପ୍ରୀତିକୁ ସମସ୍ତେ ଭଲ ପାଆନ୍ତି।

ମୁଁ ଦିନେ ଥଟ୍ଟାରେ କହିଲି- ‘ପ୍ରୀତି ତୁମେ ରାଜନୀତିରେ ଯୋଗଦିଅ। ତୁମେ ନିଶ୍ଚିତ ଜିତିଯିବ। ଏତେ ଲୋକଙ୍କର ଚିନ୍ତା ତମ ମୁଣ୍ଡରେ’। ଟିକେ ନରମିଯାଇ ପ୍ରୀତି କହିଲା- ‘ମୋର ଦୁଃଖ ସମୟରେ କେତେଜଣ ଲୋକ ମତେ ସାହାଯ୍ୟ କରିଥିଲେ ବୋଲି ମୁଁ ଟିକେ ସମ୍ମାନର ସହିତ ସୁଖ ଓ ଆନନ୍ଦରେ ବଞ୍ଚତ୍ପାରିଛି। ଏଣୁ ମୁଁ ଏବେ ଅନ୍ୟମାନଙ୍କର ଦୁଃଖରେ ଭାଗୀ ହୋଇ ସେ ଋଣ କେବଳ ଶୁଝୁଛି’। ସେତିକି ଶୁଣିଲାପରେ ମୋ ଆଖିରେ ଲୁହ ଆସିଯାଇଥିଲା। କେବଳ ନିଜକୁ ନିଜେ ପଚାରିଥିଲି ବୋଧହୁଏ ଜୀବନ ସଂଗ୍ରାମର ଅନ୍ୟନାମ ପ୍ରୀତି।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ ସେ ମାନବ ଅଧ୍ୟୟନ କେନ୍ଦ୍ରର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ଏହି ଲେଖାଟି ଦକ୍ଷତାର ବିକାଶ ସିରିଜ୍‍ ଅଧୀନରେ ପ୍ରକାଶିତ)

Comment