ଡକ୍ଟର ହରପ୍ରସନ୍ନ ଦାସ

ସବୁ ମଣିଷଙ୍କୁ କ’ଣ ସମାନ ମାପକାଠିରେ ମପାଯାଇପାରିବ। କେଉଁ ବ୍ୟକ୍ତି ଜୀବନରେ ସଫଳ ନା ବିଫଳ, ଏକ ଭଲ ନା ଖରାପ ମଣିଷ, ବୁଦ୍ଧିମାନ୍ ଅବା ମୂର୍ଖ ବ୍ୟକ୍ତି, ଏସବୁ କଥା କ’ଣ ସମାନ ମାପଦଣ୍ଡରେ ବିଚାର କରିହେବ!
ଚେହେରାରୁ ଯାହା ଜଣାପଡ଼ୁଥିଲା, ବୟସ ତାଙ୍କର ୫୦ ପାଖାପାଖି ହେବ। ଗମ୍ଭୀର ମୁହଁ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ଚେହେରା। କମ୍ ଉଚ୍ଚତା। ମୁଣ୍ଡର ବାଳ ଛୋଟ। ନିଶ ନାହିଁ। ଏକ ବଳିଷ୍ଠ ବ୍ୟକ୍ତିତ୍ୱ ପରି ଲାଗୁଥିଲା। ମୁହଁରେ ହସ ନଥିବାରୁ ମିଶାଣିଆ ଲୋକ ନୁହଁନ୍ତି ବୋଲି ଜଣାପଡ଼ୁଥିଲା। ମନ ଭିତରେ କିଛି ଗୁରୁତର ଭାବନା ଥିବାପରି ଲାଗୁଥିଲା। ଏସବୁ ବିଶ୍ଲେଷଣ କେବଳ ମୋ ମନର କଥା। ମୁଁ ସମ୍ପୂର୍ଣ୍ଣ ଭାବେ ଠିକ୍ ଅନୁମାନ କରିପାରୁନଥାଏ।
ସେ ରାଞ୍ଚିରେ ଏକ ବ୍ୟବସାୟିକ ଅନୁଷ୍ଠାନରେ ଉଚ୍ଚପଦସ୍ଥ କର୍ମଚାରୀ ଭାବେ କାମ କରନ୍ତି। ମୁଁ ସେହି ଅନୁଷ୍ଠାନର କର୍ମଚାରୀମାନଙ୍କୁ ଅଫିସ୍ରେ ସଂଧ୍ୟାରେ କିଛିଟା ପ୍ରେରଣାଦାୟକ କଥା କହୁଥିଲି ଓ ଜୀବନର କିଛିଟା ଅନୁଭୂତି ବାଣ୍ଟୁଥିଲି, ଯାହାକି ସେମାନଙ୍କର ଉନ୍ନତିରେ ସାହାଯ୍ୟ କରିବ। ସମସ୍ତେ ମନଧ୍ୟାନ ଦେଇ ଶୁଣୁଥିଲେ, ହସୁଥିଲେ ଓ ତାଳି ମାରୁଥିଲେ। ଏକ ଆନନ୍ଦମୟ ପରିବେଶରେ ମୁଁ ଉନ୍ନତ ଜୀବନର ମୂଳମନ୍ତ୍ରଗୁଡ଼ିକ ପରିବେଷଣ କରୁଥିଲି। ସେମାନେ ବେଶ୍ ଉପଭୋଗ କରୁଥିଲେ।
ସେ ବ୍ୟକ୍ତିଜଣକ ସାମ୍ନା ଧାଡ଼ିର ମଝିରେ ବସିଥିଲେ। ପ୍ରଥମେ ମୋ ଆଖି ତାଙ୍କ ଉପରେ ପଡ଼ିଥିଲା। ସମସ୍ତଙ୍କଠାରୁ ତାଙ୍କ ବ୍ୟକ୍ତିତ୍ୱ ଟିକେ ଅଲଗା ବୋଧହୁଏ। ସେ ପୃଥକ ବୋଲି ଜଣାଇବାକୁ ଚାହୁଁଥିଲେ। ନକରାତ୍ମକ ଭାବନାର ଲୋକଟିଏ ବୋଲି ମୋର ଅନୁଭବ ହୋଇଥିଲା। ସେ ବ୍ୟକ୍ତିଙ୍କୁ ଯିଏ ଦେଖିବ ଭାବିବ ଲୋକଟି ବୋଧହୁଏ ଗର୍ବୀ ବା ଅହଙ୍କାରୀ। ସେ ଅନୁଷ୍ଠାନକୁ ମୁଁ ପ୍ରଥମ ଥର ପାଇଁ ଯାଇଥିଲି। ସମସ୍ତେ ମୋ ପାଇଁ ଅପରିଚିତ ଥିଲେ। ଯାହାହେଉ ଆମର ଆଲୋଚନା ଏକ ଆନନ୍ଦମୟ ବାତାବରଣରେ ସରିଲା।
ଅନୁଷ୍ଠାନର ମାଲିକଙ୍କ ଅଫିସ୍ରେ ମୁଁ ବସିଥାଏ। ମାଲିକ ସଞ୍ଜୀବ କୁମାର ସେହି ବ୍ୟକ୍ତିଜଣଙ୍କୁ ସାଙ୍ଗରେ ଧରି ଆସି ମୋ ସହିତ ପରିଚୟ କରାଇଦେଲେ- ‘ୟାଙ୍କ ନାଁ ବରୁଣ କୁମାର। ସେ ଆମ ଅନୁଷ୍ଠାନର ଦୁଇ ନମ୍ବର ବ୍ୟକ୍ତି ଓ ବିକ୍ରି ବିଭାଗର ମୁଖ୍ୟ। ତାଙ୍କୁ ଆମେ କର୍ମଚାରୀ ବୋଲି କେବେ ଭାବିନୁ। ସେ ଆମର ପାର୍ଟନର୍। ସେ ଅତି କର୍ମଠ, ନିଷ୍ଠାପର, ଦାୟିତ୍ୱବାନ୍, ନିର୍ଭରଯୋଗ୍ୟ ତଥା ସଚ୍ଚୋଟ। ଆମେ ତାଙ୍କୁ ସମ୍ମାନ ଦେଉ। ତାଙ୍କ ପାଇଁ ଆମ ଅନୁଷ୍ଠାନ ଗର୍ବିତ’।
ବରୁଣ କୁମାର ଜଣେ ଇଞ୍ଜିନିଅର୍ ପାଠପଢ଼ା ସରିଲା ପରେ ବ୍ୟବସାୟ ଆରମ୍ଭ କଲେ। ଏଠାରେ ଏକ ନାମଜାଦା କମ୍ପାନୀର ଡିଲର୍ ଥିଲେ। ପରିଶ୍ରମ ବଳରେ ନିଜ ବ୍ୟବସାୟକୁ ବଢ଼ାଇ ଚାଲିଲେ ଅତି କମ୍ ଦିନରେ ସଫଳତା ପାଇ ଯୋଗ୍ୟତା ପ୍ରମାଣ କରିପାରିଲେ। ସମସ୍ତଙ୍କର ପ୍ରଶଂସା ପାଇଲେ। ତାଙ୍କ ପରିବାରର ସମସ୍ତେ ଉଚ୍ଚଶିକ୍ଷିତ ଏବଂ ଭଲ ଚାକିରି କରିଛନ୍ତି। କିଏ କେଉଁ ପଦବୀରେ ଅଛନ୍ତି ତାହାବି କହିଗଲେ ସଞ୍ଜୀବ କୁମାର। ଖାନ୍ଦାନୀ ରାଜପୁତ୍ ପରିବାରର ସେ ଉଚ୍ଚ ଆଶା, ଉଚ୍ଚ ସ୍ୱପ୍ନ ଏବଂ ଉଚ୍ଚ ମନୋବୃତ୍ତି। କିନ୍ତୁ କୌଣସି କାରଣବଶତଃ ତାଙ୍କର ବ୍ୟବସାୟରେ କ୍ଷତିହେଲା। ସେ ବ୍ୟବସାୟ ବନ୍ଦ କରିଦେଲେ। ଆମ ସହିତ ସମ୍ପର୍କ ଥିବାରୁ ଏବେ ଆମ ଅନୁଷ୍ଠାନରେ ଯୋଗ ଦେଇଛନ୍ତି। ତାଙ୍କୁ ପାଇ ଆମେ ଭାଗ୍ୟବାନ୍ ।
ସଞ୍ଜୀବ କୁମାର ଏତେ କହିସାରିଲା ପରେ ବରୁଣ କୁମାର ସେମିତି ଗମ୍ଭୀର ଭାବରେ ବସିଥାନ୍ତି। ମୁହଁରେ ଆନନ୍ଦ କି କୃତଜ୍ଞତାର ଭାବ ନଥିଲା। ନିଜର ଏତେ ପ୍ରଶଂସା ଶୁଣିଲା ପରେ ମୁଁ ଭାବିଥିଲି ସେ ଆନନ୍ଦିତ ହୋଇ ସଞ୍ଜୀବ କୁମାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବେ ଅବା ଭଦ୍ରାମି ଦୃଷ୍ଟିରୁ ଧନ୍ୟବାଦଟିଏ ଦେବେ। କିନ୍ତୁ ସେହିପରି କିଛି ଘଟିଲା ନାହିଁ। ତାଙ୍କର ଚେହେରାରେ କିଛି ବି ପ୍ରଭାବ ନଥିଲା। ସତେ ଯେପରି ଏସବୁ ତାଙ୍କର ପ୍ରାପ୍ୟ ଥିଲା। ସଞ୍ଜୀବ କୁମାର ସେପରି କିଛି ବାହାଦୂରୀ କାମ କରିନାହାନ୍ତି। ଅସମ୍ଭବ ପ୍ରକୃତିର ଲୋକଟିଏ।
ଏସବୁ ଶୁଣିଲା ପରେ ସେ ଏକ ଅଦ୍ଭୁତ ଚରିତ୍ରର ଲୋକ ବୋଲି ମନେ ହେଉଥିଲା। ମନରେ ଅନେକ ପ୍ରକାରର ପ୍ରଶ୍ନ ଆସୁଥିଲା, ଯାହାର କି ଉତ୍ତର କେହି ଦେଇପାରିବେନି। ପ୍ରଥମ ପ୍ରଶ୍ନ ହେଲା- ଏଭଳି ଏକ ଉଚ୍ଚଶିକ୍ଷିତ ଲୋକ, ଖାନ୍ଦାନୀ ପରିବାରର, ବ୍ୟବସାୟରେ ଏତେ ସଫଳତା ପାଇଲା ପରେ ବି କାହିଁକି ସବୁକିଛି ବିନାଶ ହୋଇଗଲା। ଏକ ସଫଳ ବ୍ୟବସାୟର ମାଲିକ ଆଜି ଏକ କର୍ମଚାରୀ। ଏକଥା ଯିଏ ଶୁଣିବ ସିଏ ଆଶ୍ଚର୍ଯ୍ୟ ହେବ। ବ୍ୟବସାୟ କରିବା ପାଇଁ ଯାହାସବୁ ଭଲଗୁଣ ଦରକାର, ତାହା ତାଙ୍କ ପାଖରେ ରହିଛି। ସେଥିପାଇଁ ସିଏ ସଞ୍ଜୀବ କୁମାରଙ୍କ ସଂସ୍ଥାରେ ସମ୍ମାନର ସହିତ ସ୍ଥାନ ପାଇଛନ୍ତି। ତାଙ୍କର ଦାୟିତ୍ୱ ଠିକ୍ ତୁଲାଉଛନ୍ତି ଓ କାର୍ଯ୍ୟରେ ସଫଳତା ମଧ୍ୟ ପାଉଛନ୍ତି। ତେବେ କାହିଁକି ନିଜ ବ୍ୟବସାୟରେ ସଫଳତା ପାଇ ମଧ୍ୟ ସବୁକିଛି ହରାଇ ବସିଲେ?
ତା’ ପରଦିନ ବ୍ୟକ୍ତିଗତ ଭାବରେ କଥା ହେଲାବେଳେ ସିଏ ନିଜ ବିଷୟରେ କିଛି କହିଲେ- ‘ଆମେ ରାଜପୁତ୍ ବଂଶର। ଆମର ଜିଦ୍ଖୋର ମନୋଭାବ ରହିଛି। କାହାପାଖରେ ମୁଣ୍ଡ ନୁଆଁଇବୁ ନାହିଁ। ଆମକୁ କଷ୍ଟ ହେଲାଭଳିଆ କଥା କହିଲେ ମୁଁ ଛାଡ଼େନି। ଅନ୍ୟାୟ ସହିପାରେନି। ଏଣୁ ବହୁତ ଲୋକଙ୍କ ସହିତ କଳହ ହୋଇଛି, ସମ୍ପର୍କ କଟିଛି। ମୁଁ କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇ ନାହିଁ। ମୋର ଯଥେଷ୍ଟ ସ୍ୱାଭିମାନ ରହିଛି। କାହାର କଡ଼ା କଥାପଦେ ସହିପାରେନି। ମୁଁ ଜାଣିଛି ଏହାଦ୍ୱାରା ମୋ ଜୀବନରେ ଅନେକ କ୍ଷତି ହୋଇଛି। କିନ୍ତୁ ସେଥିରେ ମୁଁ ମୋ ନିଜକୁ ପରିବର୍ତ୍ତନ କରିପାରିବି ନାହିଁ। ସୁବାଷ ଚନ୍ଦ୍ର ବୋଷ୍ ମୋର ଆଦର୍ଶ। ଇଞ୍ଜିନିଅରିଂ ପରେ ମୋତେ ସରକାରୀ ଚାକିରି ମିଳିଥିଲା। କିନ୍ତୁ ଏହି ନୀତି ଯୋଗୁଁ ମୁଁ କଲିନି। ମୁଁ କାହାର କିଛି କ୍ଷତି କରିନି, ତେଣୁ ଅନୁତପ୍ତ ନୁହେଁ’। ଆଉକିଛି ବେଶୀ କଥା ହେବାର ସମୟ ନଥିଲା। ତାଙ୍କଠାରୁ ବିଦାୟ ନେଇ ଫେରିବା ବାଟରେ ତାଙ୍କରି ବିଷୟରେ ଭାବୁଥିଲି।
ଏପରି ଏକ ମଣିଷକୁ କେଉଁ ମାପକାଠିରେ ମପାଯାଇପାରିବ। ସେ ଜୀବନରେ ସଫଳ ନା ବିଫଳ, ଏକ ଭଲ ନା ଖରାପ ମଣିଷ, ବୁଦ୍ଧିମାନ୍ ଅବା ମୂର୍ଖ ବ୍ୟକ୍ତି। ଏସବୁ କଥା କିଏ ବିଚାର କରିବ। ମୋତେ ଲାଗିଲା ଯେମିତିକି ଆଉ ବେଶୀ ଭାବିଲେ ମୋ ମୁଣ୍ଡଟା ବିଗିଡ଼ିଯିବ। ଭାବିଲି ବରଂ ଭଲହେବ ଏସବୁ ବିଚାର ପାଠକମାନେ କରିବେ।
(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍ ଅଧୀନରେ ପ୍ରକାଶିତ।)














