ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦର ଶୁଣାଣି ଆରମ୍ଭ ହବାର ଥିଲା। କିନ୍ତୁ ଏହାକୁ ଆସନ୍ତା ଫେବୃଆରୀ ୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରାମ ଜନ୍ମଭୂମି ବିବାଦକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏଣିକି ଦୈନନ୍ଦିନ ଶୁଣାଣି କରିବେ। ବିବାଦଟି ଦୀର୍ଘ ୧୬୪ ବର୍ଷ ପୁରୁଣା। ଏହି ମାମଲା ସହିତ ଜଡିତ ବିଭିନ୍ନ ଭାଷାରୁ ଅନୁବାଦ ହୋଇଥିବା ୯୦୦ ପୃଷ୍ଠାର ଦଲିଲ ଓ କାଗଜପତ୍ରକୁ ବିଚାରପତିମାନେ ଦେଖିବେ।
ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ଶୁଣାଣି କରିବ। ଆସନ୍ତା କାଲି ବାବ୍ରି ମସଜିଦକୁ ଭାଙ୍ଗି ତଳକୁ ଗଡେଇ ଦିଆଯିବାର ୨୫ ବର୍ଷ ପୂରଣ ହେଉଛି।
ସୁପ୍ରିମକୋର୍ଟର ଅନ୍ୟ ଦୁଇଜଣ ବିଚାରପତି ଯେଉଁମାନେ ଏହି ମାମଲାର ଶୁଣାଣି କରିବେ ସେମାନେ ହେଲେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଅବଦୁଲ ନସିର।
ଅନୁବାଦ ଝାମେଲା
ସୁନ୍ନି ୱାକଫ ବୋର୍ଡ ପାଇଁ କପିଲ ଶିବଲ ଓ ରାମଲାଲାଙ୍କ ପାଇଁ ହରିଶ ସାଲଭେ ଏହି ମାମଲା ଲଢ଼ିବେ। ବାବ୍ରି ମସଜିଦ ମାମଲାରେ କୋର୍ଟ ପ୍ରଥମେ ଦେଖିବେ ସବୁ ଦଲିଲ ଅନୁବାଦ ହୋଇଛି କି ନା। ଯଦି ଅନୁବାଦ ପୂରା ହୋଇ ନଥାଏ ଏଥିରେ ପେଣ୍ଟ ବାହାରି ପାରେ। କିନ୍ତୁ କୋର୍ଟ ଆଗରୁ କହିସାରିଛନ୍ତି ଯେ ଏଣିକି ଆଉ ଶୁଣାଣି ଅଟକି ବ ନାହିଁ।
ଆଜି ପ୍ରଥମ ଦିନର ଶୁଣାଣି ବେଳେ ମୂଳ ଟାଇଟଲ ସୂଟ୍ ଦାଖଲ କରିଥିବା ବ୍ୟକ୍ତିଙ୍କ ପକ୍ଷରୁ ଓକିଲ କାଗଜପତ୍ର ପେଶ କରିବେ। ପରେ ଅନ୍ୟ ଆଫିଡେଭିଟକୁ ବିଚାରକୁ ନିଆଯିବ।
ଗତ ଅଗଷ୍ଟ ୧୧ ତାରିଖରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ସାତ ବର୍ଷ ତଳେ ସୁପ୍ରିମକୋର୍ଟକୁ ବାବ୍ରି ମସଜିଦ ମାମଲା ଆସିଥିଲା। ସେତେବେଳେ କୋର୍ଟ କହିଲେ ଯେ ୭ଟି ଭାଷାରେ ଥିବା ଦସ୍ତାବିଜର ଅନୁବାଦ ପ୍ରଥମେ କରିବାକୁ ହେବ। ତା’ ସହିତ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଶୁଣାଣି ଡିସେମ୍ବର ୫ରୁ ଘୁଞ୍ଚିବ ନାହିଁ।
ଉଲ୍ଲେଖନୀୟ ବିଷୟ ହେଲା ବାବ୍ରି ମସଜିଦ ମାମଲା ସହିତ ଜଡ଼ିତ ୯୦୦୦ ପୃଷ୍ଠାର ଦଲିଲ ପାଲି, ଉର୍ଦ୍ଦୁ, ପାର୍ସି, ସଂସ୍କୃତ, ଆରବୀ ଓ ଅନ୍ୟାନ୍ୟ ଭାଷାରେ ରହିଛି। ଏଥିସହିତ ସାକ୍ଷୀ ମାନଙ୍କର ୯୦ ହଜାର ପୃଷ୍ଠାର ବୟାନ ରେକର୍ଡ କରାଯାଇଛି। ସୁନ୍ନି ୱାକଫ୍ ବୋର୍ଡ ପକ୍ଷରୁ ବିଭିନ୍ନ ଭାଷାରେ ଥିବା ଦଲିଲର ଅନୁବାଦ ଦାବି କରାଯାଇଥିଲା।
୬ ବର୍ଷ ଧରି ଗଡୁଛି ମାମଲା
ଅଯୋଧ୍ୟା ମାମଲାରେ ଟାଇଟଲ ସୁଟ୍କୁ ନେଇ ବିଭିନ୍ନ ସଂସ୍ଥା ନିଜକୁ ପକ୍ଷଭୁକ୍ତ କରିଛନ୍ତି। କିଛି ବ୍ୟକ୍ତିଙ୍କ ପକ୍ଷରୁ ସ୍ୱତନ୍ତ୍ର ଲିଭ ପିଟିସନ ମଧ୍ୟ ଓକିଲ ଦାଖଲ କରିଥିଲେ। ଏସବୁ ପିଟିସନ ଦୀର୍ଘ ୬ ବର୍ଷ ଧରି ସୁପ୍ରିମକୋର୍ଟରେ ଗଡୁଛି। ଗତ ବର୍ଷ ଫେବୃଆରୀ ୨୬ ତାରିଖରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ସୁବ୍ରମଣ୍ୟମ୍ ତାଙ୍କ ଆବେଦନରେ କହିଥିଲେ ଯେ ମୁସଲିମ ଦେଶମାନଙ୍କରେ ମସଜିଦକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ରହିଛି ଓ ଅନ୍ୟ ଯେ କୌଣସି ସ୍ଥାନରେ ମସଜିଦ ନିର୍ମାଣ କରାଯାଇପାରେ। ଏହି ମାମଲାକୁ ମୁଖ୍ୟତଃ ଦୁଇଟି ପକ୍ଷ ଲଢ଼ୁଛନ୍ତି: ହିନ୍ଦୁ ମହାସଭା ଓ ସୁନ୍ନି କେନ୍ଦ୍ରୀୟ ୱାକଫ୍ ବୋର୍ଡ୍।
ପୂରା ମାମଲା କ’ଣ?
୧୯୯୨ ଡିସେମ୍ବର ୬ ତାରିଖରେ ନରସିଂହ ରାଓ ସରକାର କେନ୍ଦ୍ରରେ ଥିବା ବେଳେ ଅଯୋଧ୍ୟରେ ଥିବା ବାବ୍ରି ମସଜିଦକୁ ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ଅପରାଧିକ ଓ ଦେବାନି ମକଦ୍ଦମା ରୁଜୁ କରାଯାଇଥିଲା।
ଆଲାହାବାଦ ହାଇକୋର୍ଟ ୨୦୧୦ ସେପ୍ଟେମ୍ବର ୩୦ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି କହିଥିଲେ ଯେ ବିବାଦୀୟ ଜମିକୁ ୩ ଭାଗରେ ବିଭକ୍ତ କରାଯାଉ। ଏଥିରୁ ଭାଗେ ଯେଉଁଠି ରାମଲାଲା ପୂଜା ପାଉଛନ୍ତି ତାହାକୁ ଦିଆଯିବ, ସୀତା ରୋଷେଇ ଓ ରାମ ଚବୁତରାକୁ ନିର୍ମୋହି ଆଖଡାକୁ ଦିଆଯିବ ଓ ବାକି ତକ ଜମି ସୁନ୍ନି ୱାକଫ୍ ବୋର୍ଡକୁ ଦେବା ପାଇଁ ହାଇକୋର୍ଟ କହିଥିଲେ। କିନ୍ତୁ ଏଥିରେ କୌଣସି ପକ୍ଷ ରାଜି ହେଲେ ନାହିଁ ଯାହା ଫଳରେ କି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା।













