କମଳାକାନ୍ତ ପତି
ଦୀର୍ଘ ୨୮ ବର୍ଷ ପୂର୍ବରୁ ଅଯୋଧ୍ୟାରେ ବାବ୍ରୀ ମସଜିଦ୍ ଧ୍ଵଂସ ହୋଇଥିଲା କର ସେବକମାନଙ୍କ ହାତରେ। ତାହାକୁ ନେଇ ଚାଲିଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ସିବିଆଇ ସ୍ଵତନ୍ତ୍ର ଅଦାଲତର ବିଚାରପତି। ଏହି ଘଟଣାର ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ। ରାୟ ପ୍ରକାଶ ପରେ ଅନେକଙ୍କ ମତ ପୁରୁଣା କଥାକୁ ଘାଣ୍ଟି ଲାଭ କ’ଣ?
ଯଥେଷ୍ଟ ପ୍ରମାଣ ନ ଥିବାରୁ ନିର୍ଦ୍ଦୋଷ
୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ସହସ୍ରାଧିକ କରସେବକ ଏକତ୍ରିତ ହୋଇ ବାବ୍ରୀ ମସଜିଦକୁ ମାଟିରେ ମିଶାଇ ଦେଇଥଲେ। ସେତେବେଳେ କେନ୍ଦ୍ରରେ ଶାସନ କ୍ଷମତାରେ ଥାଏ କଂଗ୍ରେସ। ଉତ୍ତର ପ୍ରଦେଶରେ ବିଜେପି ନେତା କଲ୍ୟାଣ ସିଂହଙ୍କ ସରକାର। ଧର୍ମନିରପେକ୍ଷତାର ବାନା ଉଡ଼ାଉଥିବା କେନ୍ଦ୍ର ସରକାର ଧର୍ମାନ୍ଧ କୁହାଯାଉଥିବା କର ସେବକଙ୍କ କବଳରୁ ରକ୍ଷା କରିପାରି ନ ଥିଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏହି ପ୍ରାଚୀନ ଉପାସନା ସ୍ଥଳକୁ। ସ୍ଵାଧୀନ ଭାରତର ଇତିହାସରେ କଳା ଦିବସ ଭାବେ ସ୍ଥାନ ପାଇଗଲା ବାବ୍ରୀ ମସଜିଦ୍ ଧ୍ଵଂସ ଘଟଣା।
ସେହି ଘଟଣାକୁ ନେଇ ସିବିଆଇର ସ୍ଵତନ୍ତ୍ର ଅଦାଲତରେ ଦୀର୍ଘଦିନ ଧରି ଚାଲିଥିବା ମାମଲାର ସେପ୍ଟେମ୍ବର ୩୦(ବୁଧବାର)ରେ ଆସିଛି ଚୂଡ଼ାନ୍ତ ରାୟ। ସ୍ଵତନ୍ତ୍ର ଅଦାଲତର ବିଚାରପତି ଜଷ୍ଟିସ୍ ସୁରେନ୍ଦ୍ର କୁମାର ଯାଦବ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମସ୍ତ ୩୨ ଜଣଙ୍କୁ ଯଥେଷ୍ଟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ରାୟ ଦେଇଛନ୍ତି।
ସେହି ଅଭିଯୁକ୍ତମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲି ମନୋହର ଯୋଶୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାଭାରତୀ ଏବଂ ବରିଷ୍ଠ ବିଜେପି ନେତା ବିନୟ କଟିୟାର। ବାବ୍ରୀ ମସଜିଦ୍ ଭଙ୍ଗ ଘଟଣା ପରେ ଏମାନେ ସମସ୍ତେ ଗିରଫ ହୋଇଥିଲେ ମଧ୍ୟ ଅଦାଲତରେ ନିର୍ଦ୍ଦୋଷ।
ବାବ୍ରୀ ମସଜିଦ୍ ଭଙ୍ଗ ଅନ୍ୟାୟ ନ ଥିଲା ବୋଲି ପ୍ରମାଣିତ!
ବାବ୍ରୀ ମସଜିଦ୍ ଧ୍ଵଂସ ହେବାର ୧୦ ଦିନ ପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଲିବରହାନଙ୍କୁ ଦିଆଯାଇଥିଲା ତଦନ୍ତ ଦାୟିତ୍ଵ। ଜଣିକିଆ ସଦସ୍ୟ ବିଶିଷ୍ଟ ଏହି କମିଶନ ଦୀର୍ଘ ୧୭ ବର୍ଷ ପରେ ତାଙ୍କର ତଦନ୍ତ ରିପୋର୍ଟ ୨୦୦୯ ମସିହାରେ ଜମା କରିଥିଲେ। ଲିବରହାନ୍ କମିଶନ ତାଙ୍କ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ମସଜିଦ୍ ଧ୍ଵଂସ କରାଯିବା ପୂର୍ବ ପରିକଳ୍ପିତ ଥିଲା। ଘଟଣାସ୍ଥଳରେ ଉପସ୍ଥିତ ନେତାମାନେ ମସଜିଦ୍ ଧ୍ଵଂସ ପରିଚାଳନାର ଦାୟିତ୍ଵ ନେଇଥିଲେ।
ପରେ ସିବିଆଇ ଏହି ଘଟଣାର ତଦନ୍ତ କରି ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା, ସେଥିରେ ଆଡଭାନୀ, ଯୋଶୀ, ଉମା ଭାରତୀ ଆଦି ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଅଣାଯାଇଥିଲା। କାରଣ ସେହିଦିନ ଉକ୍ତ ନେତାମାନେ କର ସେବକମାନଙ୍କୁ ଉତ୍ସାହିତ କରିବା ସକାଶେ ‘ଏକ ଧକ୍କା ଔର ଦୋ, ବାବ୍ରୀ ମସଜିଦ୍ ତୋଡ୍ ଦୋ’ ସ୍ଲୋଗାନ୍ ଦେଇଥିଲେ। ଏସବୁ ପ୍ରମାଣ ଥିବା ସତ୍ତ୍ଵେ ସ୍ଵତନ୍ତ୍ର ଅଦାଲତର ବିଚାରପତି ତାଙ୍କ ଚୂଡ଼ାନ୍ତ ରାୟରେ କହିଛନ୍ତି ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ।
ବିଚାରପତିଙ୍କ ଏହି ରାୟ ଶୁଣି ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥାଇ ମସଜିଦ୍ ଭଙ୍ଗରେ ସକ୍ରିୟ ଅଂଶଗ୍ରହଣ କରିଥିବା ହଜାରିଲାଲ ନାମକ ଜଣେ କରସେବକ ନିଜର ହସ ରୋକିପାରି ନାହାନ୍ତି। ସେ କହିଛନ୍ତି, ସେଦିନ ଯାହା ଘଟିଲା ତାହା ଦେଖିଛି ସାରା ଦେଶ। ସୁତରାଂ ପ୍ରମାଣ ନ ଥିବାଟା ବିଷୟ ନୁହେଁ, ଆମେ ଯେ କିଛି ଅନ୍ୟାୟ କରି ନ ଥିଲୁ, ତାହା ହିଁ ଆଜିର ରାୟରୁ ପ୍ରମାଣିତ ହୋଇଯାଇଛି।
ବିଶେଷ ଅଦାଲତର ରାୟ ଅପ୍ରତ୍ୟାଶିତ ନ ଥିଲା
୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ବାବ୍ରୀ ମସଜିଦ୍ ଜମି ବିବାଦର ପୂର୍ଣ୍ଣଛେଦ ପକାଇଥିଲେ। ତତ୍କାଳୀନ ପ୍ରଧାନ ବିଚାରପତିଙ୍କ ନେତୃତ୍ଵରେ ଗଠିତ ସାମ୍ବିଧାନିକ ପୀଠ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଅଯୋଧ୍ୟାର ବିବାଦୀୟ ଜମିକୁ ରାମଲାଲାଙ୍କ ଅଧିଷ୍ଠାତା ହିନ୍ଦୁ ସଙ୍ଗଠନ ରାମ ଜନ୍ମଭୂମି ନ୍ୟାସକୁ ପ୍ରଦାନ କରିଦେଲେ। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସନ୍ତୁଷ୍ଟ କରିବା ସକାଶେ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ସେମାନଙ୍କୁ ପାଞ୍ଚ ଏକର ଜମି ପ୍ରଦାନ କରାଯାଇଛି।
ବିବାଦୀୟ ସ୍ଥଳରେ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ମିଳିଥିବା ଜମିରେ ମସଜିଦ୍ ନିର୍ମାଣ ହେବ। ଅଯୋଧ୍ୟାର ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ବାବ୍ରି ମସଜିଦ୍ ଭଙ୍ଗ ମାମଲାର ଚୂଡ଼ାନ୍ତ ରାୟ ହିନ୍ଦୁ ସଙ୍ଗଠନ ସପକ୍ଷରେ ଯିବ ବୋଲି ପୂର୍ଣ୍ଣ ଆଶା କରାଯାଉଥିଲା।
କାରଣ ଚୂଡ଼ାନ୍ତ ରାୟରେ ଯଦି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯାଇଥାଆନ୍ତା, ତେବେ ମନ୍ଦିର ମସଜିଦ୍ ବିବାଦ ପୁଣିଥରେ ମୁଣ୍ଡ ଟେକିଥାଆନ୍ତା। ସୁତରାଂ ସ୍ଵତନ୍ତ୍ର ବିଚାରପତି ଜଷ୍ଟିସ୍ ଯାଦବ ସମ୍ଭବତଃ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ‘ପର୍ଯ୍ୟାପ୍ତ ନୁହେଁ’ର ଆଖ୍ୟା ଦେଇ ବିବାଦକୁ ଆଗକୁ ବଢ଼ିବାର ରାସ୍ତା ବନ୍ଦ କରିଦେଲେ ବୋଲି ତଥ୍ୟାଭିଜ୍ଞ ମହଲରେ ବିଶ୍ଵାସ।
ରାୟରେ ଖୁସି, ତଥାପି ପ୍ରଶ୍ନ…
ସ୍ଵତନ୍ତ୍ର ଅଦାଲତରେ ବିଚାରପତିଙ୍କ ରାୟ ଅଯୋଧ୍ୟାର କରସେବକ ପୁରମ୍ରେ ଖୁସିର ଲହରି ଖେଳାଇ ଦେଇଛି। ରାମ ଜନ୍ମଭୂମି ବିବାଦର ଚୂଡ଼ାନ୍ତ ରାୟ ପ୍ରକାଶ ଦିନ ଯେଉଁଭଳି ଭାବେ ଉତ୍ସବ ପାଳିଥିଲେ କରସେବକ, ଠିକ୍ ସେମିତି ସ୍ଵାଗତ କରିଛନ୍ତି ସ୍ଵତନ୍ତ୍ର ବିଚାରପତିଙ୍କ ରାୟକୁ। ସେମାନଙ୍କର କହିବା କଥା ହେଉଛି ଏହି ରାୟ ଅନ୍ୟାୟ ଦୋଷାରୋପରୁ ମୁକ୍ତି ଦେଲା। କିନ୍ତୁ ରାୟ ଉପରେ ଧର୍ମ ନିର୍ବିଶେଷରେ ଯେଉଁ ପ୍ରତିକ୍ରିୟା ମିଳିଛି, ସେଥିରେ କୁହାଯାଇଛି ଯେ ରାମ ମନ୍ଦିରର ଶିଳାନ୍ୟାସ ତ ହୋଇଗଲାଣି। ଆଉ ପୁରୁଣା କଥାକୁ ଘାଣ୍ଟି ଲାଭ କ’ଣ?
କିନ୍ତୁ କେତେଜଣ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରି ମସଜିଦ୍କୁ ମାଟିରେ ମିଶାଇ ଦିଆଗଲା। ପୋଲିସ୍ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଲା। ସାରା ସହରରେ ସହସ୍ରାଧିକ ବ୍ୟକ୍ତିଙ୍କ ତାଣ୍ଡବ ଚାଲିଲା। ଗୋଷ୍ଠୀ ସଂଘର୍ଷରେ ହଜାରେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ଏହା ସତ୍ତ୍ଵେ କାହାକୁ ଦୋଷୀ ପାଇଲେ ନାହିଁ ଅଦାଲତ।
ଆଉ କେତେକଙ୍କର ପ୍ରଶ୍ନ ବାବ୍ରୀ ମସଜିଦ୍ ଭଙ୍ଗ ଯଦି ପୂର୍ବ ଯୋଜନା ନ ଥିଲା, ଅକସ୍ମାତ୍ ଘଟିଥିଲା ବୋଲି ଅଦାଲତ କହିଛନ୍ତି। ତେବେ ଏହାର ପନ୍ଦରଦିନ ପୂର୍ବରୁ ଅଯୋଧ୍ୟା ଭଳି ଏକ କ୍ଷୁଦ୍ର ସହରରେ ଲକ୍ଷାଧିକ ଲୋକ ଉପସ୍ଥିତ ଥିଲେ କାହିଁକି? ସେମାନଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରୁଥିଲା କିଏ? ମଠ, ମନ୍ଦିରରେ ସେମାନଙ୍କୁ ରଖାଇଥିଲେ କେଉଁମାନେ? ସିଧାସଳଖ ନ ହେଲେ ମଧ୍ୟ ସ୍ଵତନ୍ତ୍ର ବିଚାରପତିଙ୍କ ରାୟର ନିରପେକ୍ଷତା ଆଡ଼କୁ ଏବେ ଆଙ୍ଗୁଠି ଉଠୁଛି। ରାଜନୈତିକ ଇଙ୍ଗିତ ଓ ଇଚ୍ଛାର ଇସାରା କରାଯାଉଛି।
ବର୍ଷେ ଗଡ଼ିଗଲା ରାୟ ଆସିବାକୁ
ବାବ୍ରୀ ମସଜିଦ୍ ଧ୍ଵଂସ ମାମଲାର ଚୂଡ଼ାନ୍ତ ରାୟ ପାଇଁ ୨୦୧୯ ଏପ୍ରିଲକୁ ସମୟସୀମା ଧାର୍ଯ୍ୟ କରିଥିଲେ ସୁପ୍ରିମକୋର୍ଟ। କିନ୍ତୁ ୨୦୨୦ ଏପ୍ରିଲରେ ମଧ୍ୟ ଆସିପାରିଲା ନାହିଁ ରାୟ। ପୁଣି ଅଗଷ୍ଟ ୩୧କୁ ଘୁଞ୍ଚିଥିଲା। ଅବଶେଷରେ ଚୂଡ଼ାନ୍ତ ରାୟ ଆସିଲା ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ। ସେପ୍ଟେମର ୩୦ରେ । ଏହି ରାୟକୁ ଅସ୍ତ୍ର କରି ବିହାରରୁ ନିର୍ବାଚନୀ ଫାଇଦା ଉଠାଇ ପାରିବ କି ବିଜେପି?
୨୮ ବର୍ଷ ଧରି ଚାଲିଥିବା ମାମଲାର ରାୟ ଆସିବା ବେଳକୁ ସରଯୁ ନଦୀରେ ବହିଯାଇଛି ଅନେକ ଜଳ। ଶେଷରେ ଏକବର୍ଷ ଚାକିରି ବୃଦ୍ଧି ହୋଇଥିବା ବିଚାରପତି ଜଷ୍ଟିସ୍ ଯାଦବଙ୍କ ହାତରେ ଲେଖାଗଲା ଚୂଡ଼ାନ୍ତ ରାୟ। ଏବେ ସମସ୍ତଙ୍କ ଅପେକ୍ଷା, ରାୟ ପ୍ରକାଶ କରି ଅବସର ନେଇଥିବା ଜଷ୍ଟିସ୍ ଯାଦବଙ୍କୁ କେଉଁ ପୁରସ୍କାରରେ ପୁରସ୍କୃତ କରାଯିବ। ରାମ ଜନ୍ମଭୂମି ବିବାଦର ପରିସମାପ୍ତି ଘଟାଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଣକ ତ ଅବସର ପରେ ରାଜ୍ୟସଭା ସଦସ୍ୟ ଭାବେ ପୁରସ୍କୃତ ହୋଇସାରିଛନ୍ତି।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ।)