ଡକ୍ଟର ହରପ୍ରସନ୍ନ ଦାସ

ବାହାଘର ହେଉ ବା ବ୍ରତଘର ହେଉ ଅବା ଯେ କୌଣସି ପ୍ରକାରର ପାରିବାରିକ ଉତ୍ସବଗୁଡ଼ିକରେ ପୂର୍ବପରି ଆଉ ଆନ୍ତରିକତା ନାହିଁ। ସଂସ୍କାରମୂଳକ ଆତିଥ୍ୟ ତ ଦୂରର କଥା, ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣ ବି ଦେଖିବାକୁ ବିରଳ। ସବୁକିଛି ଧରାବନ୍ଧା ନିୟମ ପରି କାମଟିକୁ ସାରିଦେବାକୁ ହେବ।

ଗତ ସପ୍ତାହରେ ମୋର ଜଣେ ବନ୍ଧୁଙ୍କର ପୁଅ ବାହାଘର ଭୋଜିକୁ ମୁଁ ଯାଇଥିଲି। ଭୁବନେଶ୍ୱରର ଗୋଟେ ବଡ଼ ହୋଟେଲରେ ଭୋଜିର ଆୟୋଜନ ହୋଇଥିଲା। ନିମନ୍ତ୍ରଣ କାର୍ଡ ପଠାଇବା ପରେ ବି ଦୁଇ ତିନିଥର ଫୋନ୍‌ରେ ସେ ମୋତେ ଅନୁରୋଧ କରିଥିଲେ ଯିବା ପାଇଁ। ତାଙ୍କ ପୁଅ ବି ମୋତେ ବହୁତ ସମ୍ମାନ ଦିଏ। ଏଣୁ ମୁଁ ଆଗ୍ରହ ସହକାରେ ସେ ବାହାଘର ଭୋଜିକୁ ଯାଇଥିଲି। ଆମେମାନେ ସମସ୍ତେ ଅନୁଭବ କରୁଛେ ଯେ ବାହାଘର ହେଉ ବା ବ୍ରତଘର ହେଉ ଅବା ଯେ କୌଣସି ପ୍ରକାରର ପାରିବାରିକ ଉତ୍ସବଗୁଡ଼ିକରେ ପୂର୍ବପରି ଆଉ ଆନ୍ତରିକତା ନାହିଁ। ସଂସ୍କାରମୂଳକ ଆତିଥ୍ୟ ତ ଦୂରର କଥା, ଏକ ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣ ବି ଦେଖିବାକୁ ବିରଳ। ସବୁକିଛି ଧରାବନ୍ଧା ନିୟମ ପରି କାମଟିକୁ ସାରିଦେବାକୁ ହେବ। ସେଦିନ ବି ମତେ ଠିକ୍ ସେହିପରି ଲାଗିଲା।

ହୋଟେଲ୍ ବାହାରେ କାର୍ ରଖିବାକୁ ଯାଇ ମୁଁ ଯେଉଁପରି ହଇରାଣ ହେଲି ଆଉଦିନେ ବି କୋଉ ବାହାଘରକୁ କାର୍ ନେଇ ଯିବି ନାହିଁ ବୋଲି ପ୍ରତିଜ୍ଞା କଲି। ଯୁଆଡ଼େ ଦେଖିବ ସିଆଡ଼େ ଖାଲି କାର୍ ଥୁଆ ହୋଇଛି। ଅଧା କି.ମି. ଦୂରରେ ଗାଡ଼ିକୁ ରଖି ଚାଲିଚାଲି ହୋଟେଲ୍ ପାଖକୁ ଆସିଲାବେଳେ ଉପର ପକେଟରେ ହାତମାରି ଦେଖିଲି ଉପହାର ଲଫାପାଟା ଠିକ୍ ଅଛି କି ନାହିଁ କାରଣ ଅତୀତରେ ଥରେ ଗାଡ଼ିରୁ ବାହାରିଲା ବେଳେ ପକେଟରୁ ଖସି ପଡ଼ିଥିଲା ଓ ମୁଁ ବହୁତ ହିନସ୍ତା ହୋଇଥିଲି।

ସେ ହୋଟେଲ୍‌ରେ ତିନିଟା ବାହାଘର ଭୋଜି ଏକ ସଙ୍ଗରେ ଚାଲିଥାଏ। ତିନିଟା ଜାଗାରେ ସୁନ୍ଦର ଗେଟ୍‌ମାନ ସଜ୍ଜା ଯାଇଥିଲା। ସେଥିରେ ପୁଅଝିଅଙ୍କର ନାଆଁ ଲେଖା ହୋଇଥିଲା। ବେଳେବେଳେ ନିମନ୍ତ୍ରଣ କାର୍ଡଟା ଘରେ ଛାଡ଼ି ଆସିଥିବାରୁ ପୁଅଝିଅଙ୍କ ନାଆଁଟା ମନେ ପଡ଼େ ନାହିଁ। ଶେଷରେ ଲଜ୍ଜାହୀନ ଭାବରେ ପଚାରିବାକୁ ପଡ଼େ- ଏଇଟା ସେ ଅମୁକ ବାବୁଙ୍କ ପୁଅ ବାହାଘର ତ? ଠିକ୍ ଜାଗାଟା ଜାଣିଗଲା ପରେ ମନ ଭିତରୁ ଦୀର୍ଘଶ୍ୱାସ ଆସିଯାଏ- ଓହୋ! ରକ୍ଷା ପାଇଗଲି। ଏଠି କିନ୍ତୁ ମୋର ସେସବୁ ଅସୁବିଧା ହୋଇନଥିଲା। ପୁଅର ନାଁ ଟା ମୋର ବେଶ୍ ମନେଥିଲା।

ମୁଁ ଭାବିଥିଲି ଗତ ତୋରଣ ପାଖରେ ମୋର ବନ୍ଧୁ ବା ପୁଅର ବାପା ଛିଡ଼ାହୋଇ ସବୁ ଅତିଥିଙ୍କୁ ସ୍ୱାଗତ କରୁଥିବେ, ଯାହାକି ସବୁ ବାହାଘର ଭୋଜିମାନଙ୍କରେ ଦେଖିବାକୁ ମିଳିଥାଏ। ଏଠି ମୁଁ ତାଙ୍କୁ ନଦେଖି ଆଶ୍ଚର୍ଯ୍ୟ ହୋଇଗଲି। କିନ୍ତୁ ଲୋକଙ୍କର ସୁଅ ଛୁଟୁଥାଏ ହଁ, ସେଠି ଦୁଇ ତିନିଜଣ ସିକୁରିଟି ଗାର୍ଡ ଛିଡ଼ା ହୋଇଥିଲେ, ସ୍ୱାଗତ ପାଇଁ ନୁହେଁ, ସୁରକ୍ଷା ପାଇଁ। ପରେ ଜାଣିଲି ସେମାନେ ହୋଟେଲର କର୍ମଚାରୀ। ସେହି ଜନସ୍ରୋତରେ ମିଶି ମୁଁ ହଲ୍ ଭିତରକୁ ଗଲି।

ହଲ୍ ଭିତରେ ଥିବା ଜନସମୁଦ୍ରକୁ ଦେଖି ମୋ ଆଖି ଖୋସି ହୋଇଗଲା। ଲୋକମାନେ ଖୁନ୍ଦାଖୁନ୍ଦି ହୋଇ ଛିଡ଼ାହୋଇଛନ୍ତି। ବହୁ କଷ୍ଟରେ ଠେଲିହୋଇ ଆଗକୁ ଗଲି। ଯେତିକି ପର୍ଯ୍ୟନ୍ତ ଆଖି ପାଇଲା ଚାରିଆଡ଼େ ବନ୍ଧୁଙ୍କୁ ଖୋଜିଲି। କିନ୍ତୁ ତାଙ୍କୁ ଦେଖିପାଇଲି ନାହିଁ। ମଣ୍ଡପ ପାଖକୁ ଯାଇ ଦେଖିଲି ସେଠାର ଅବସ୍ଥା ଅତି ଶୋଚନୀୟ। ମୁଁ କହିଲେ ଆପଣମାନେ ବି ବିଶ୍ୱାସ କରିବେନି। ମଣ୍ଡପ ଉପରକୁ ଯାଇ ପୁଅବୋହୂଙ୍କୁ ଉପହାର ଦେବାପାଇଁ ଏକ ଲମ୍ବା ଲାଇନ୍। ଉପହାର ଲଫାପା ଧରି ସମସ୍ତେ ଛିଡ଼ା ହୋଇଛନ୍ତି। ଲାଇନ୍‌ଟା ଶୀଘ୍ର ଆଗକୁ ଯାଉନି। କାରଣ ପୁଅବୋହୂଙ୍କ ପାଖକୁ ଯିଏ ଯାଉଛି ସିଏ ଫଟୋ ଉଠାଉଛି।

ଜୀବନରେ ପ୍ରଥମଥର ପାଇଁ ଏଭଳି ଅବସ୍ଥା ଦେଖି ମନରେ ଉତ୍କଣ୍ଠା ଆସିଲା ପଚାରିବା ପାଇଁ। ପଚାରି ବୁଝିଲି ଯେ ନିମନ୍ତ୍ରିତ ଲୋକମାନେ ଠିକ୍ ସମୟରେ ଆସିଛନ୍ତି, କିନ୍ତୁ ପୁଅବୋହୂ ସଜବାଜ ହୋଇ ଏବେ ଆସିଲେ। ସେଇଥିପାଇଁ ଏତେ ଲମ୍ବାଧାଡ଼ି! ଅନେକ ଲୋକ ବି ଅପେକ୍ଷା ନକରିପାରି ବାହାର ଲନ୍‌କୁ ଚାଲି ଯାଇଛନ୍ତି। ଖାଇବା କାମଟା ସାରିଦେବା ପାଇଁ କି ବିଚିତ୍ର ପରିସ୍ଥିତି!

ମଣ୍ଡପ ଉପରେ ପୁଅବୋହୂଙ୍କୁ ରଙ୍ଗୀନ୍ ପ୍ୟାକେଟ୍‌ଟା ଦେଇ ହଲ୍ ଭିତରୁ ମୁଁ ବାହାରି ଆସି ପାଖ ଲନ୍‌କୁ ଗଲି। ସେଠାରେ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଥିଲା। ସେଠାରେ ବି ଦେଖିଲି ଜନଗହଳି। ଦେହରେ ଦେହ ବାଜୁଛି। ଟେବୁଲ୍ ଓ ଚେୟାର୍ ପଡ଼ିଛି। ବସିକରି ଖାଇବା ପାଇଁ ଷ୍ଟାର୍ଟରଠାରୁ ଆରମ୍ଭ କରି ମୁଖ୍ୟ ଖାଦ୍ୟ ଯାଏ ସବୁଠାରେ ଭିଡ଼। ହାତରେ ପ୍ଲେଟ୍ ଧରି ଲୋକମାନେ ବୁଲି ବୁଲି ଖାଉଛନ୍ତି। ଦଳ ଦଳ ହୋଇ ଛିଡ଼ା ହୋଇଛନ୍ତି, ଗପୁଛନ୍ତି ଓ ଖାଉଛନ୍ତି। ସେଠାରେ ମୁଁ ଖୋଜିଲି ମୋ ବନ୍ଧୁଙ୍କୁ। କୁଆଡ଼େ ଗଲେ ପୁଅର ବାପା! ଏତେ ବଡ଼ ଭୋଜି ଆୟୋଜନ କରିଥିବା ବ୍ୟକ୍ତି କେଉଁଠି ହଜିଗଲେ।

ବହୁତ ଖୋଜିଲା ପରେ ତାଙ୍କୁ ମୁଁ ପାଇଲି। ଫୋନ୍‌ରେ କଥା ହେଉଥିଲେ। ମତେ ଦେଖି ଖୁସିହେଲେ। ହାତ ମିଳାଇଲେ। ତାଙ୍କ ଅନୁରୋଧ ରଖି ମୁଁ ଯାଇଥିବାରୁ ସେ କୃତଜ୍ଞତା ଜ୍ଞାପନ କଲେ। କାହିଁକି କେଜାଣି ମତେ ଟିକେ ଖାପଛଡ଼ା ଲାଗିଲା। ଏତେ ଲୋକଙ୍କୁ ନିମନ୍ତ୍ରଣ କରିଥିବା ଲୋକଟି ଟିକେ ଏକୁଟିଆ ଥିଲାପରି ଲାଗିଲା। ବୋଧହୁଏ ମୋର ସେମିତି ଭାବିବାଟା ଭୁଲ୍ ହୋଇଥାଇପାରେ। ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କହି ମୁଁ ଆଗକୁ ମାଡ଼ି ଚାଲିଲି।

ଏତେ ବଡ଼ ଗହଳିରେ ମୋତେ ଚିହ୍ନା ମୁହଁଟିଏ ବି ଦେଖାଯାଉନଥିଲା। ଖାଇବା ପାଇଁ ଇଚ୍ଛା ହେଲାନାହିଁ। ଏତେ କୋଳାହଳ ଭିତରେ ମୋତେ ନିଜକୁ ଏକୁଟିଆବୋଧ ହେଲା। ଖାଇବି ନାହିଁ ବୋଲି ସ୍ଥିର କଲି। ଭାବିଲି ଯେଉଁ କାମପାଇଁ ଆସିଥିଲି ସେ କାମଗୁଡ଼ିକ ତ ସରିଗଲା। ପୁଅ, ବୋହୂଙ୍କୁ ଦେଖିଲି। ଉପହାର ଦେଲି। ମୋତେ ନିମନ୍ତ୍ରଣ କରିଥିବା ବନ୍ଧୁଙ୍କ ସହ ମଧ୍ୟ ଦେଖାହେଲା। ବାକି ରହିଲା ଖାଇବାଟା। ମୁଁ ଖାଇବା ପାଇଁ ତ ଆସିନଥିଲି ବରଂ ଭଲ ହେବ ଘରେ ଯାଇ ଶାନ୍ତିରେ ରୁଟି ଦିପଟ ଖାଇ ଶୋଇବି। ସେହିଠାରୁ ଫେରିଲି।

ଗେଟ୍ ପାଖରେ ପୁଣିଥରେ ବନ୍ଧୁଙ୍କ ସହିତ ଦେଖା ହେଲା ହାତକୁ ଧରି ପକାଇ ପଚାରିଲେ- ‘ଭଲରେ ଖାଇଲେ ତ? ‘ହସିଦେଇ ମୁଁ କହିଲି- ‘ବେଶ୍ ଭଲରେ ଖାଇଲି’। ତାଙ୍କଠାରୁ ବିଦାୟ ନେଇ ମୁଁ ହୋଟେଲ୍ ବାହାରକୁ ଆସିଲି ଗାଡ଼ି ପାଖକୁ ଯିବା ପୂର୍ବରୁ ଖୋଲା ସ୍ଥାନରେ ଛିଡ଼ା ହୋଇଗଲି ମୁକ୍ତ ପବନ ଟିକେ ଉପଭୋଗ କରିବା ପାଇଁ। ଓହୋ! କି ଆରାମ ଲାଗୁଛି ଏଠି। ମୁକ୍ତି ପାଇଗଲା ମଣିଷ ସେ ଜନଗହଳିରୁ। ମୋବାଇଲରେ ପତ୍ନୀଙ୍କ ନମ୍ବର ଡାଏଲ୍ କଲି କହିବାକୁ ଯେ- ‘ଖାଇବା ମୋ ପାଇଁ ରଖିଥାଅ। ଦଶ ମିନିଟ୍‌ରେ ଘରେ ପହଞ୍ଚିବି’।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Comment