ଡକ୍ଟର ହରପ୍ରସନ୍ନ ଦାସ
ନିଜକୁ ଥରେ ପଚାରି ଦେଖିବା କେହି କ’ଣ ଅନ୍ୟ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟାକୁ କେବେବି ଚାହିଁବ। ଟିକେ ନିଜ ସହିତ କଥା ହେଲେ ଆମେ ନିଜେ ଅନୁଭବ କରିପାରିବା ଯେ ଆମର ଅନ୍ୟମାନଙ୍କ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟା କେତେ ଯନ୍ତ୍ରଣାଦାୟକ ଘଟଣା।
ଆପଣ ସେଦିନ ମୋ ସହିତ ପାରିବାରିକ ସମସ୍ୟା ସମ୍ପର୍କରେ ଆଲୋଚନା କରି ଗଲାବେଳେ ପୂରା ଖୁସି ନଥିବାର ମୁଁ ଜାଣିପାରିଲି। ଭୁଲ୍ ବୁଝାମଣା ଏକ ବଡ଼ ବ୍ୟାଧି। ଏହାର ସମାଧାନ ଅତି ଜଟିଳ। ଅନେକ ସମୟରେ ସମାଧାନ ନହୋଇ ବିନାଶ ହୋଇଥାଏ। ଆପଣଙ୍କୁ ଠିକ୍ ଭାବେ ବୁଝାଇବା ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି। କିନ୍ତୁ ଆପଣ ସମ୍ପୂର୍ଣ୍ଣ ଭାବେ ହାଲ୍କା ହେଲେ ନାହିଁ। ଏଣୁ ଚିଠିଟିଏ ଆପଣଙ୍କ ପାଇଁ ଲେଖୁଛି। ଆଶା କରୁଛି ଆପଣ ବୁଝିପାରିବେ।
ଆମ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍ ବୁଝାମଣାଟା ଏକ ନିତିଦିନିଆ ଘଟଣା। ହାଟ, ବଜାର, ଧର୍ମସ୍ଥାନ, ଖେଳ ପଡିଆ, ସେବା ସମିତି, ବାହାଘର ବ୍ରତଘର ଅବା କ୍ଲବ୍ ସବୁଠି ଭୁଲ୍ ବୁଝାମଣା। ଯେଉଁଠି ମଣିଷ ମଣିଷ ଭିତରେ ଆଳାପ ଆଲୋଚନା ଅଛି, ସେଇଠି ହିଁ ଭୁଲ୍ ବୁଝାମଣା ଦେଖାଦେଇଥାଏ। ତେବେ କ’ଣ ଆମେ ଧରିନେବା ଯେ ଭୁଲ୍ ବୁଝିବାଟା ଆମ ଜୀବନର ଏକ ଅଂଶବିଶେଷ। ଭୁଲ୍ ବୁଝାମଣା ବିନା ଜୀବନର ସ୍ୱାଦ ଚାଖିହେବ ନାହିଁ ଯେପରିକି ତରକାରୀରେ ଲୁଣ ପଡ଼ିବାଟା ନିହାତି ଦରକାର।
ନିଜକୁ ଥରେ ପଚାରି ଦେଖିବା କେହି କ’ଣ ଅନ୍ୟ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟାକୁ କେବେବି ଚାହିଁବ। ଟିକେ ନିଜ ସହିତ କଥା ହେଲେ ଆମେ ନିଜେ ଅନୁଭବ କରିପାରିବା ଯେ ଆମର ଅନ୍ୟମାନଙ୍କ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟା କେତେ ଯନ୍ତ୍ରଣାଦାୟକ ଘଟଣା। କେହିବି ଏହାକୁ ଆନନ୍ଦରେ ଗ୍ରହଣ କରିନାହାନ୍ତି ଅବା କରିବାକୁ ଚାହିଁବେନି।
ଆମେ କ’ଣ ଛାତିରେ ହାତ ରଖି କହିପାରିବା ଯେ ଆମେ ଜୀବନରେ କେଉଁଠି କାହାକୁ ଭୁଲ୍ ବୁଝିନୁ। ଏହା ନିହାତି ଅସମ୍ଭବ କଥା। ଯଦି ଆମେ ଭୁଲ୍ ବୁଝିଛୁ ତେବେ ତା’ର କାରଣ କ’ଣ। ସେଥିପାଇଁ ଦାୟୀ କିଏ ଆମେ ନିଜେ ନା ଅନ୍ୟମାନେ। ଭାବପ୍ରବଣ ନ ହୋଇ ଅବା କୌଣସି ପକ୍ଷପାତିତା ନରଖି ଯଦି ଆମେ ଏକ ବିବେକୀ ମଣିଷ ହିସାବରେ ସମୀକ୍ଷା କରିବା ତେବେ ନିଶ୍ଚିତ ଭାବେ ଜାଣି ପାରିବା ଯେ ଭୁଲ୍ ବୁଝାମଣା ପାଇଁ ଆମେ ହିଁ ଅଧିକ ମାତ୍ରାରେ ଦାୟୀ। ଆମେ ସବୁବେଳେ ଆଶା କରୁ ଯେ ଅନ୍ୟମାନେ ଆମକୁ ଠିକ୍ ଭାବେ ବୁଝନ୍ତୁ। ଯଦି ସେମାନେ ଠିକ୍ ନ ବୁଝିଲେ ତେବେ ଆମେ କହିବାକୁ ପଛାଉନାହୁଁ ଯେ ମୁଁ ମୋ ସ୍ଥାନରେ ଠିକ୍ ଅଛି, ସେମାନେ କିନ୍ତୁ ମୋତେ ଭୁଲ୍ ବୁଝୁଛନ୍ତି। ଟିକେ ଥଣ୍ଡା ମୁଣ୍ଡରେ ସବୁ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି ଆମେ ସମୀକ୍ଷା କଲେ ଜାଣିପାରିବା ଯେ ଭୁଲ୍ ବୁଝାମଣାଟି ପାଇଁ ଆମେ ନିଜେ ହିଁ ଦାୟୀ । ନିଜର ଭୁଲ୍ ସ୍ୱୀକାର କରିବା ପାଇଁ ଏକ ବିଶାଳ ହୃଦୟ ଥିବା ଦରକାର।
ଭୁଲ୍ ବୁଝାମଣାର ଅନ୍ୟ ଏକ ବଡ଼ କାରଣ ହେଲା, ମନଧ୍ୟାନ ଦେଇ ଶୁଣିବା ପାଇଁ ଆମର କାହାର ଧୈର୍ଯ୍ୟ ନାହିଁ। କିନ୍ତୁ ଆମେ ଚାହିଁବା ଯେ ଆମ କଥା ଅନ୍ୟମାନେ ସଠିକ୍ ଭାବେ ଶୁଣନ୍ତୁ ଓ ବୁଝନ୍ତୁ। ଆଉ ଗୋଟେ କାରଣ ହେଲା ଆମ ଭିତରେ ରହିଥିବା ଅନେକ ପାର୍ଥକ୍ୟ, ଯଥା- ବୟସରେ ସାନ ବଡ଼, ଧନୀ ଗରିବ, ପଦ ପଦବୀରେ ଉଚ୍ଚା ନିଚ୍ଚା, ଅଭିଜ୍ଞତାରେ କମ୍ ବେଶୀ, ପୁରୁଷ ଓ ମହିଳା ଇତ୍ୟାଦି। ଏହିପରି ମାନସିକ ପାର୍ଥକ୍ୟ ହିଁ ଆମର ଶୁଣିବାର ଆଗ୍ରହ ଓ ଧୈର୍ଯ୍ୟକୁ ପ୍ରଭାବିତ କରିଥାଏ। ଏହା ସବୁ ମାନସିକ ସ୍ତରରେ ଅନେକ ବାଧା ସୃଷ୍ଟି କରିଥାଏ, ଅନ୍ୟକୁ ଭଲରୂପେ ଶୁଣିବା ଓ ବୁଝିବାରେ ଶୁଣିଲେ ସିନା ବୁଝିବା, ବୁଝିଲେ ସିନା ଜାଣିବା।
ଅନେକ ସମୟରେ ଆମେ ନିଜକୁ ଅତି ଜ୍ଞାନୀ, ଅତି ଚତୁର ଭାବି ଅନ୍ୟକୁ ହେୟଜ୍ଞାନ ମନେ କରିଥାଉ, ତାହାହିଁ ଶୁଣିବା ବୁଝିବାରେ ବାଧା ସୃଷ୍ଟି କରିଥାଏ। ନିଜର ଭୁଲ୍କୁ ଅଣଦେଖା କରି ଅନ୍ୟର ଭୁଲ୍କୁ କାଢ଼ିବା ଦ୍ୱାରା ଆମେ ଭୁଲ୍ ବୁଝାମଣାକୁ ଆହୁରି ବଢ଼ାଇ ଦେଇଥାଉ ଶେଷରେ ସମ୍ପର୍କରେ ତିକ୍ତତା ହିଁ ଆସିଯାଏ।
ଅଧିକାଂଶ କ୍ଷେତ୍ରରେ ଆମେ ଭାବୁ ଯେ ଆମର ଯାହା କହିବା କଥା କହିଦେଲେ ଆମର ଦାୟିତ୍ୱ ସରିଗଲା। ସିଏ ଠିକ୍ ଭାବେ ବୁଝିଲେ କି ନ ବୁଝିଲେ ସେଥିରେ ଆମର ମୁଣ୍ଡ ପୂରାଇବାର ନାହିଁ। ଯଦି ସେ ଠିକ୍ ଭାବେ ବୁଝିଲେ ତେବେ ସେ ଭଲଲୋକ ଯଦି ନ ବୁଝିଲେ ତେବେ ସେ ଭଲଲୋକ ନୁହଁନ୍ତି। କହିବାରେ ମୋର କିଛି ଅବହେଳା ନାହିଁ, କିନ୍ତୁ ବୁଝିବାରେ ତାଙ୍କର ଦୋଷ ରହିଛି, ଅନେକ କ୍ଷେତ୍ରରେ ଆମେ ଏହା ଭାବିଥାଉ କିନ୍ତୁ ତାହା ସଠିକ୍ ନୁହେଁ, ବରଂ ତାହା ଏକ ମାନସିକ ବ୍ୟାଧି।
ପ୍ରକୃତ କଥା ହେଲା, ମୋର କହିବାର ମୂଲ୍ୟ ନାହିଁ, ଯଦି ସେ ମୋ କଥାକୁ ଠିକ୍ ଭାବେ ବୁଝି ନ ପାରିଲେ। ତେଣୁ ମୁଁ କହିବା ପାଇଁ କହିଦେଇ ଦାୟିତ୍ୱ ଛିଡ଼ାଇ ଦେଲେ ହେବ ନାହିଁ । ଏଣୁ କିଭଳି ଭାବେ କହିଲେ ସେ ମୋ କଥାକୁ ସଠିକ୍ ଭାବେ ବୁଝିପାରିବେ ତାହାହିଁ ମୋର ଦାୟିତ୍ୱ। ସେ ଦିଗ ପ୍ରତି ଯଦି ମୁଁ ଧ୍ୟାନ ଦେବି, ତେବେ ନିଶ୍ଚିତ ଭାବରେ ଅନ୍ୟ ଲୋକଙ୍କ ବୁଝିଲା ଭଳି ମୁଁ କଥା କହିବା ପାଇଁ ଯତ୍ନବାନ୍ ହେବି। ସଂକ୍ଷେପରେ କହିବାକୁ ଗଲେ, କହୁଥିବା ଓ ଶୁଣୁଥିବା ଲୋକ ଦୁଇଜଣ କଥାବସ୍ତୁ ପ୍ରତି ସଠିକ୍ ଧ୍ୟାନ ଦେଲେ କେବେବି ଭୁଲ୍ ବୁଝାମଣା ହେବନାହିଁ। ଯଦିବା ହୁଏ ସଙ୍ଗେ ସଙ୍ଗେ ତା’ର ସଂଶୋଧନ କରିହେବ।
ଭୁଲ୍ ବୁଝାମଣା ପାଇଁ ଅନେକ ପରିବାର ଭାଙ୍ଗିଯାଇଛି। ଅନୁଷ୍ଠାନର ବିନାଶ ହୋଇଛି, ଅତି ନିବିଡ଼ ସମ୍ପର୍କ ସବୁଦିନ ପାଇଁ ଛିଡ଼ି ଯାଇଛି। ଆମେ ସବୁ ଜାଣୁ, କିନ୍ତୁ ଜାଣି ବି ଅନେକ ସମୟରେ ଅଜଣା ପରି କାମ କରିଥାଉ। ଭୁଲ୍ ବୁଝାମଣାରେ ନିଜର ଦାୟିତ୍ୱ ପାଇଁ ନିଜେ ସଚେତନ ରହି ନ ଥାଉ କହିବା ଆଉ ଶୁଣିବା ସବୁଥିରେ ନିଜର ଦାୟିତ୍ୱ ପ୍ରତି ସବୁବେଳେ ସଚେତନ ରହିଲେ, ଭୁଲ୍ ବୁଝାମଣାର ପରିମାଣ ନିଶ୍ଚିତ ଭାବେ କମିଯିବ।
କେବଳ ମୋର ନୁହେଁ, ଅନେକ ଲୋକଙ୍କ ଜୀବନରୁ ଯାହା ଶିଖିଛି ତାହା ଏଥିରେ ଲେଖିଲି। ମୋର ଦୃଢ଼ ବିଶ୍ୱାସ ଆପଣ ଏ ବିଷୟରେ ଟିକେ ଥଣ୍ଡା ମୁଣ୍ଡରେ ଭାବିଲେ ସବୁ ଭୁଲ୍ ବୁଝାମଣାର ସମାଧାନର ବାଟ ପାଇପାରିବେ। ଅନ୍ଧାର ଭିତରେ ଆଲୁଅ ଦେଖାଯିବ।
(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍ ଅଧୀନରେ ପ୍ରକାଶିତ।)








ନିଜକୁ ଥରେ ପଚାରି ଦେଖିବା କେହି କ’ଣ ଅନ୍ୟ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟାକୁ କେବେବି ଚାହିଁବ। ଟିକେ ନିଜ ସହିତ କଥା ହେଲେ ଆମେ ନିଜେ ଅନୁଭବ କରିପାରିବା ଯେ ଆମର ଅନ୍ୟମାନଙ୍କ ସହିତ ସମ୍ପର୍କରେ ଭୁଲ୍ ବୁଝାମଣାଟା କେତେ ଯନ୍ତ୍ରଣାଦାୟକ ଘଟଣା।





