ଡକ୍ଟର ହରପ୍ରସନ୍ନ ଦାସ

ଚୁଲିରେ ଜଳୁଥିବା ନିଆଁରେ ଆମର ଖାଦ୍ୟ ତିଆରି ହୁଏ। ସେଇ ନିଆଁ ଜାଳିଦିଏ ଘରଦ୍ୱାର ଓ ବଣ ଜଙ୍ଗଲ। ଗୋଟିଏ ଛୋଟ ଦିଆସିଲି କାଠି ସୃଷ୍ଟି କରିଥାଏ ସେଇ ନିଆଁ, ଯାହାକି ପୋଡ଼ି ଛାରଖାର କରିଦିଏ ସାରା ସଂସାର। ନିଆଁରା ପ୍ରସଙ୍ଗରେ ସେ ବେଶ୍ ଚମତ୍କାର ଭାବରେ ବୁଝାଇଦେଲେ, ଦୁଇ ପ୍ରକାରର ନିଆଁ ବିଷୟରେ।

ଯିଏ ଦିଅନ୍ତି ସେ ଦେବତା। ଆକାଶରେ ସୂର୍ଯ୍ୟ ଆମକୁ ଆଲୋକ ଦେଉଛନ୍ତି। ତେଣୁ ସେ ସୂର୍ଯ୍ୟ ଦେବତା। ଆଉ ଯିଏ ନିଏ ସେ ନେତା। ସେ ହିସାବରେ ଆମେ ହେଲୁ ନେତା। କାରଣ ଆମେ ଭୋଟ୍ ନେଉ। ଏତିକି କହି ମୁଖ୍ୟ ଅତିଥି ନିଜେ ହସିଦେଲେ। ସାମ୍ନାରେ ବସିଥିବା ଦର୍ଶକମାନେ ବହୁ ଜୋର୍‌ରେ ହସିଉଠିଲେ।

ମୁଁ ମଞ୍ଚ ଉପରେ ବସିଥାଏ। ଏକ ବିଜ୍ଞାନ କଲେଜର ରୌପ୍ୟ ଜୟନ୍ତୀ ଉତ୍ସବରେ ନେତା ମହାଶୟ ଥିଲେ ମୁଖ୍ୟ ଅତିଥି ଏବଂ ମୁଁ ଥିଲି ସମ୍ମାନନୀୟ ଅତିଥି। ସମସ୍ତଙ୍କର ହସ ଦେଖି ମୁଁ ବି ହସିଦେଲି। କେତେ ସହଜରେ ସେ ବୁଝାଇଦେଲେ ଦେବତା ଓ ନେତାଙ୍କ ସମ୍ପର୍କରେ। ବିଶାଳ ହୃଦୟଟିଏ ନହେଲେ କୌଣସି ନେତା କହିବ ନାହିଁ ଯେ ଆମେ ନେଉଛୁ ବୋଲି ନେତା। ମନର ସ୍ୱଚ୍ଛତା ତଥା ଆତ୍ମବିଶ୍ୱାସ ଦରକାର, ଏହିପରି ଭରପୂର ସଭାରେ ମଞ୍ଚ ଉପରେ ଖୋଲାମନ ଓ ହସରେ ଏପରି କଥା କହିବା ପାଇଁ।

ସାମ୍ନାରେ ବସିଥାନ୍ତି ଅଧିକ ପରିମାଣରେ ଛାତ୍ର ଓ ଛାତ୍ରୀ, କିଛି ପରିମାଣରେ ଅଧ୍ୟାପକ ଓ ଅଧ୍ୟାପିକା, କଲେଜ କର୍ମଚାରୀ, କିଛି ସାଧାରଣ ଜନତା ତଥା ସାମ୍ବାଦିକମାନେ। ମୁଖ୍ୟ ଅତିଥିଜଣକ କେବଳ ରାଜନୀତିରେ ନେତା ନୁହଁନ୍ତି, ସେ ଏକ ଦୈନିକ ସମ୍ବାଦପତ୍ରର ସମ୍ପାଦକ ତଥା ଓଡ଼ିଶାର ଏକ ସୁପରିଚିତ ବିଜ୍ଞ ବ୍ୟକ୍ତି। ହସରେ ମଜାରେ ବହୁତ ଓଜନିଆ କଥାମାନ କହିଥାନ୍ତି। ବୁଝିଲା ଲୋକ ବୁଝନ୍ତି, ନ ବୁଝିଲା ଲୋକ ଭଲ କଥାଟିଏ ହେଇଥିବ ଭାବି ହସିଦିଅନ୍ତି।

ଅତି ସହଜ ଓ ସରଳ ଭାଷାରେ ଦମ୍ଭର ସହିତ ବୁଝାଇ ଚାଲିଥାନ୍ତି ଛାତ୍ରମାନଙ୍କୁ ସେମାନଙ୍କ ଭବିଷ୍ୟତ ସମ୍ପର୍କରେ। ହଠାତ୍ ମୁଖ୍ୟ ଅତିଥି ନିଆଁ ସମ୍ପର୍କରେ କହିବାକୁ ଆରମ୍ଭ କଲେ। ଆମ ଜୀବନରେ ନିଆଁର ପ୍ରାଧାନ୍ୟ। ଚୁଲିରେ ଜଳୁଥିବା ନିଆଁରେ ଆମର ଖାଦ୍ୟ ତିଆରି ହୁଏ। ସେଇ ନିଆଁ ଜାଳିଦିଏ ଘରଦ୍ୱାର ଓ ବଣ ଜଙ୍ଗଲ। ଗୋଟିଏ ଛୋଟ ଦିଆସିଲି କାଠି ସୃଷ୍ଟି କରିଥାଏ ସେଇ ନିଆଁ, ଯାହାକି ପୋଡ଼ି ଛାରଖାର କରିଦିଏ ସାରା ସଂସାର। ନିଆଁରା ପ୍ରସଙ୍ଗରେ ସେ ବେଶ୍ ଚମତ୍କାର ଭାବରେ ବୁଝାଇଦେଲେ, ଦୁଇ ପ୍ରକାରର ନିଆଁ ବିଷୟରେ। ଗୋଟିଏ ହେଲା ଦେହର ନିଆଁ, ଆଉ ଗୋଟିଏ ହେଲା ମନର ନିଆଁ।

ଆଜିକାଲି ଯୁବକ ଯୁବତୀମାନେ ଦେହର ନିଆଁ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଦେହର ନିଆଁ କ’ଣ ବୋଲି ସେ ଉଦାହରଣ ଦେଇ ବେଶ୍ ଭଲଭାବେ ବୁଝାଇଦେଲେ। ସମସ୍ତଙ୍କ ଧ୍ୟାନ ଭଲ ପୋଷାକରେ, ଜିନ୍ ପ୍ୟାଣ୍ଟରେ, ଟି ସାର୍ଟରେ ଅବା ବିଭିନ୍ନ ଡିଜାଇନ୍‌ର ପୋଷାକପତ୍ରରେ। ଦେହକୁ ସଜାଇବା, ଚକ୍‌ମକ୍ ହୋଇ ଜଳିବା ଏବଂ ଅନ୍ୟକୁ ଜଳାଇବା। ରକ୍ତ ଗରମ, କଥା ବି ଗରମ, ବେଶ ପୋଷାକ ବି ଗରମ। ଆଧୁନିକତାର ଖୋଳରେ ନିଜକୁ ସ୍ମାର୍ଟ ବୋଲି ଭାବିଲେ କିଛି ଫଳ ହୁଏନାହିଁ। ବିଦେଶୀ ମଦ ପିଇଦେଲେ ଦେହ ପୁଣି ଗରମ ହୋଇଯାଏ। ନିଶା ଛାଡ଼ିବା ଯାଏ ଦେହରେ ନିଆଁ ଲାଗିଯାଏ। ସେଇ ନିଆଁରେ ମୁଣ୍ଡଟା ବି ଗରମ ହୋଇଯାଏ। ସବୁବେଳେ ଏ ଯୁବପିଢ଼ିର ଧ୍ୟାନ ରହିଲା ଦେହର ନିଆଁରେ। କିନ୍ତୁ ଦେହର ନିଆଁ ଆମକୁ ବିନାଶ ଆଡ଼କୁ ନେବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ମୁଖ୍ୟ ଅତିଥି ନିଆଁ ପ୍ରସଙ୍ଗରେ କହିଲାବେଳେ ଦର୍ଶକମଣ୍ଡଳୀ ଚୁପ୍‌ଚାପ୍ ହୋଇ ଶୁଣୁଥାନ୍ତି। ତାପରେ ସେ ଚର୍ଚ୍ଚାକଲେ ମନର ନିଆଁ ସମ୍ପର୍କରେ। ମନର ନିଆଁଟା କିନ୍ତୁ ଅନ୍ୟପ୍ରକାରର। ମନରେ ଯେତେବେଳେ ନିଆଁ ଲାଗିବ ମଣିଷ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ଚେଷ୍ଟା କରିବ। ଜୀବନର ଲକ୍ଷ୍ୟ ସ୍ଥିର କରିବ। ତା’ର ସମୟ, ପ୍ରତିଭା ଓ ଶକ୍ତିର ପ୍ରକୃତ ବିନିଯୋଗ କରି ଏକ ସୁନ୍ଦର ଭବିଷ୍ୟତ ଗଢ଼ିବ। ନିଜ ଉପରେ ଭରସା ରଖିବ। ଆତ୍ମବିଶ୍ୱାସ ବଢ଼ିବ। କାହା ଉପରେ ନିର୍ଭର କରି ବଞ୍ଚିବ ନାହିଁ। ଅବାଟରୁ ଆସି ବାଟରେ ଯିବ। ଲକ୍ଷ୍ୟରେ ପହଞ୍ଚିବା ପାଇଁ ମନ ତା’ର ଛଟପଟ ହେବ। ନିଜ ଜୀବନକୁ ନିଜେ ଗଢ଼ି ତୋଳିବ। ଏ ମନର ନିଆଁ ଥରେ ଲାଗିଲେ ଆଉ ଲିଭିବନି। ନିଜ ଭିତରର ଶକ୍ତି ବାହାରେ ପ୍ରକାଶ ପାଇବ। ଏ ମନର ନିଆଁ ଜୀବନର ବିକାଶ କରିବ।

ମୁଖ୍ୟ ଅତିଥି ଯାହା କହୁଥିଲେ ତାହା ସେ ନିଜ ଜୀବନରେ କାମରେ ଦେଖାଇଛନ୍ତି। ମେଧାବୀ ଛାତ୍ର ସେ ବିଦେଶରେ ପାଠପଢ଼ି ଆସି ଆମ ଦେଶର ଏକ ପ୍ରଖ୍ୟାତ ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଚାକିରୀ କରୁଥିଲେ। କିନ୍ତୁ ମନର ନିଆଁ ଯୋଗୁଁ ସେ ଚାକିରୀ ଛାଡ଼ି ଜଣେ ଶିଳ୍ପଦ୍ୟୋଗୀ ହେଲେ। ସମ୍ବାଦପତ୍ରଟିଏ ପ୍ରକାଶ କଲେ। ଶହ ଶହ ଲୋକଙ୍କ ପାଇଁ ଚାକିରୀ ସୃଷ୍ଟି କଲେ। ବିଶେଷ କରି ଯୁବକମାନଙ୍କ ପାଇଁ ଦିନରାତି ପରିଶ୍ରମ କରି ଜନସାଧାରଣଙ୍କ ଜୀବନର ଉନ୍ନତି ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କଲେ। ସମାଜ ସେବା ପାଇଁ ସେ ରାଜନିତୀରେ ଯୋଗ ଦେଲେ। ଅର୍ଥ ରୋଜଗାର ତାଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥିଲା। ଶେଷରେ ନିର୍ବାଚନରେ ଜିତି ପାର୍ଲାମେଣ୍ଟର ସଭ୍ୟ ହେଲେ ସେଠାରେ ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ କଲେ।

ମନର ନିଆଁ କିଭଳି ମଣିଷକୁ ସଫଳତାର ପାହାଚରେ ଆଗକୁ ନେଇଯାଇପାରେ ତାହାର ଶ୍ରେଷ୍ଠ ଉଦାହରଣ ସେ ନିଜେ ଥିଲେ। ସବୁବେଳେ ମୁହଁରେ ହସରଖି ଲୋକମାନଙ୍କ ସହିତ ମନଖୋଲା କଥାହେବା, ତାଙ୍କର ଏକ ବିଶେଷ ଗୁଣ। ସାଧାରଣତଃ ନେତାମାନେ ବଡ଼ ବଡ଼ କଥାମାନ ଶୁଣାନ୍ତି। ଯାହା କୁହନ୍ତି ତାହା କାମରେ ଦେଖାଇନଥାନ୍ତି। ଭାଷଣ ପାଇଁ ଭାଷଣ ଦେଇଥାଆନ୍ତି। କିନ୍ତୁ ସେ ସେପରି ନଥିଲେ। ନିଜ ଜୀବନରେ ଯାହା କରି ଦେଖାଇଛନ୍ତି ତାହାହିଁ କୁହନ୍ତି। ଏଣୁ ଅନ୍ୟମାନେ ସେଥିରେ ଉତ୍ସାହିତ ହୁଅନ୍ତି। ଉପଦେଶ ନୁହେଁ, ଉଦାହରଣହିଁ ଶ୍ରେଷ୍ଠ ବୋଲି ସେ ପ୍ରମାଣିତ କରିଛନ୍ତି।

ବୋଧହୁଏ ମୁଖ୍ୟ ଅତିଥିଙ୍କର ମନରେ ନିଆଁ ଲାଗିଯାଇଥିଲା। ପ୍ରଗଳ୍‍ଭ ଭାବେ କହି ଚାଲିଥିଲେ। ଯୁବପିଢ଼ିଙ୍କୁ ସମ୍ବୋଧନ କରି କହିଲେ ତୁମେମାନେ ଗୋଟେ ଗୋଟେ ଦିଆସିଲି କାଠି ପରି ହୁଅ। ନିଜ ମନରେ ନିଆଁ ଜଳାଅ। ନିଜ ଜୀବନର ଉନ୍ନତି କରିବା ସହିତ ଏ ସମାଜର ସମୃଦ୍ଧି କର କିନ୍ତୁ କେବେବି ଦେହର ନିଆଁରେ ଜୀବନକୁ ନଷ୍ଟ କର ନାହିଁ। ତାଙ୍କ କଥାରେ ସମସ୍ତଙ୍କ ମନରେ ବୋଧହୁଏ ନିଆଁ ଲାଗି ଯାଇଥିଲା। ଏତେ ଜୋର୍‌ରେ ତାଳି ହେଲା ଯେ ସେ କ’ଣ କହୁଥିଲେ ମୁଁ ତାହା ଶୁଣି ପାରୁନଥିଲି।

(ଡକ୍ଟର ହରପ୍ରସନ୍ନ ଦାସ ମିଡିଆ, ଗଣ-ଯୋଗାଯୋଗ ଏବଂ ନେତୃତ୍ୱ ବିକାଶ ତାଲିମ୍‌ କ୍ଷେତ୍ରରେ ଜଣେ ପରିଚିତ ବ୍ୟକ୍ତିତ୍ୱ। ସେ ‘ମାନବ ଅଧ୍ୟୟନ କେନ୍ଦ୍ର’ର ମୁଖ୍ୟ କୋଚ୍‌ ଭାବେ ଏ କ୍ଷେତ୍ରରେ ନିୟମିତ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଲେଖାଟି ‘ଦକ୍ଷତାର ବିକାଶ’ ସିରିଜ୍‍ ଅଧୀନରେ ପ୍ରକାଶିତ।)

Comment