ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟଙ୍କା ନଥିବାରୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ସାରା ଦୁନିଆରେ ଚର୍ଚ୍ଚାରେ ରହିଥିଲେ କଳାହାଣ୍ଡି ଜିଲ୍ଲାର ଦାନ ମାଝି। ହେଲେ ଏବେ ବଦଳି ଯାଇଛି ସମୟ। ଦାନ ମାଝିର ଲାଇଫ୍ ଷ୍ଟାଇଲ୍‌ରେ ପରିବର୍ତ୍ତନ ଆସିଛି। ୩୭ ଲକ୍ଷ ଟଙ୍କାର ମାଲିକ ହୋଇଥିବା ଦାନ ଏବେ ବାଇକ୍‌ କିଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

  • ସ୍ତ୍ରୀ ଅମାଙ୍ଗ ଦେଈର ଶବକୁ କାନ୍ଧରେ ବୋହି ଚର୍ଚ୍ଚାରେ ରହିଥିଲେ ଦାନ ମାଝି
  • ସାରା ବିଶ୍ୱର ଗଣମାଧ୍ୟମ କରିଥିଲା ଫୋକସ୍
  • ବାହାରିନ୍ ପ୍ରଧାନମନ୍ତ୍ରୀ ଦେଇଥିଲେ ୯ ଲକ୍ଷ ଟଙ୍କା
  • ବିଭିନ୍ନ ସାମାଜିକ ଅନୁଷ୍ଠାନ ବି ବଢ଼ାଇଥିଲେ ସହାୟତାର ହାତ
  • କିସ୍‌ରେ ପାଠ ପଢ଼ୁଛନ୍ତି ଦାନ ମାଝିର ୩ ଝିଅ
  • ଅଲମତି ଦେଈଙ୍କୁ ତୃତୀୟ ବିବାହ କରିଛି ଦାନ
  • ଇନ୍ଦିରା ଆବାସ ଯୋଜନାରେ ଘର ବି ଛାତ ପଡ଼ିଛି
  • ଏବେ ନଗଦ ଟଙ୍କା ଦେଇ ବାଇକ୍‌ କିଣିଛନ୍ତି ଦାନ

ଦାନ ମାଝି। ଏହି ନାଁ ଶୁଣିବା ମାତ୍ରେ ଆଖି ସାମ୍ନାକୁ ଚାଲିଆସେ ଜଣେ ଅବହେଳିତ ମଣିଷର ଚିତ୍ର। ଯେଉଁ ଦାନ ମାଝି ଦିନେ ଟଙ୍କା ଅଭାବରୁ ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ଚର୍ଚ୍ଚାରେ ରହିଥିଲା ସେହି ଦାନର ଲାଇଫ୍‌ ଷ୍ଟାଇଲ୍‌ ଏବେ ବଦଳି ଯାଇଛି। ସ୍ତ୍ରୀ ଅମାଙ୍ଗ ଦେଇ ଆର ପାରିକୁ ଚାଲିଯିବା ପରେ ଦାନ ୩୭ ଲକ୍ଷ ଟଙ୍କାର ମାଲିକ ହେବା ସହ ଏବେ ମୋଟର ସାଇକେଲ୍ କିଣିଛି। ଦାନ ମାଝି ବାଇକ୍‌ କିଣିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଦାନ ମାଝି ନଗଦ ୬୬ ହଜାର ଟଙ୍କା ଦେଇ ବାଇକ କିଣିଛନ୍ତି। ସୁବିଧାରେ ଯାତାୟାତ କରିବା ପାଇଁ ବାଇକ୍ ନିହାତି ଦରକାର ବୋଲି ଦାନ କହିଛି। ଦାନ ମାଝି ବାଇକ ଚଢ଼ିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦାନ ପୁଣି ଚର୍ଚ୍ଚାର ପରିସରକୁ ଆସିଛି।

୨୦୧୬ ଅଗଷ୍ଟ ୨୪ ତାରିଖ। ଏହି ଦିନ କଳାହାଣ୍ଡି ଜିଲ୍ଲାର ଏକ ଅଭାବନୀୟ ଚିତ୍ର ସମଗ୍ର ଅନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା। ଥୁଆମୂଳ-ରାମପୁର ବ୍ଲକର ମେଲଘର ଗ୍ରାମର ଦାନ ମାଝି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ସ୍ତ୍ରୀ ଅମାଙ୍ଗ ଦେଈର ଶବ କାନ୍ଧରେ ବୋହି ୧୦ କି ମି ଚାଲିବାର ଚିତ୍ର ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା। ଏହି ଚିତ୍ରକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ବିଭିନ୍ନ ମହଲରୁ ସମ୍ବେଦନାର ସୁଅ ଛୁଟିଥିଲା।

ବର୍ଷକ ପରେ ସବୁକିଛି ବଦଳି ଯାଇଛି। ଦାନ ମାଝି ଭାଗ୍ୟରେ ପରିବର୍ତ୍ତନ ଆସିଛି। ବର୍ଷକ ତଳେ ଦାନର ଯେଉଁ ଅବସ୍ଥା ଥିଲା ତାହା ଆଉ ଏବେ ସମ୍ଭବତଃ ନାହିଁ। ଗାଡ଼ି ଭଡ଼ା କରି ନିଜ ସ୍ତ୍ରୀର ଶବକୁ ଘରକୁ ଆଣିବା ପାଇଁ ଯେଉଁ ଦାନ ମାଝି ପାଖରେ ଟଙ୍କାଟିଏ ନ ଥିଲା, ସେ ୩୭ ଲକ୍ଷ ଟଙ୍କାର ମାଲିକ ହୋଇଛି।

ଧନୀ ପାଲଟିଲା କଳାହାଣ୍ଡିର ଗରିବ ଦାନ

ଅମାଙ୍ଗ ଦେଈ ଆର ପାରିକୁ ଚାଲିଯିବା ପରେ ୩ ଝିଅଙ୍କୁ କେମିତି ମଣିଷ କରିବ ତାକୁ ନେଇ ଦାନ ବର୍ଷକ ତଳେ ଚିନ୍ତାରେ ପଡିଥିଲା। ଅର୍ଥ ଅଭାବ ଯୋଗୁ ଦାନ ନିଜ ଚାଳ ଛପର ଘର ବି ମରାମତି କରିପାରୁ ନଥିଲା। ଗଣମାଧ୍ୟମରେ ଦାନର ଏହି ଶୋଚନୀୟ ଅବସ୍ଥାର ଚିତ୍ର ପ୍ରକାଶ ପାଇବା ପରେ ୩ ଝିଅଙ୍କୁ ପାଠ ପଢ଼ାର ସୁଯୋଗ ମିଳିଥିଲା।

ଦାନ ମାଝିର ଝିଅ ଚାନ୍ଦିନୀ, ପ୍ରମିଳା ଏବଂ ସୋନେଇଙ୍କୁ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କ ଅନୁଷ୍ଠାନରେ ଶିକ୍ଷାଦାନର ସୁଯୋଗ ଦେଇଥିଲେ। ମୁଣ୍ଡ ଗୁଞ୍ଜିବା ପାଇଁ ରାଜ୍ୟ ସରକାର ଇନ୍ଦିରା ଆବାସ ଯୋଜନାରେ ଦାନକୁ ଘର ଦେଇଛନ୍ତି। ଖାଲି ସେତିକି ନୁହେଁ, ବାହାରିନ୍‍ ପ୍ରଧାନମନ୍ତ୍ରୀ ଖଲିଫା ବିନ୍‍ ସଲମନ୍‍ ଅଲ୍‍ ଖଲିଫା ୯ ଲକ୍ଷ ଟଙ୍କାର ଚେକ୍‍ ଦେଇଥିଲେ। ସେହିପରି ସୁଲଭ ଇଣ୍ଟରନ୍ୟାସନାଲ ସଂସ୍ଥା ତରଫରୁ ଦାନ ନାଁରେ ୫ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍‍ ବ୍ୟାଙ୍କରେ ଜମା କରାଯାଇଥିଲା। ଏହାସହ ଅନ୍ୟ ସଂସ୍ଥା ମଧ୍ୟ ଦାନକୁ ଆର୍ଥିକ ସହାୟତା କରିଥିଲେ।

ଅମାଙ୍ଗକୁ ଭୁଲି ଦାନ ରାୟଗଡାର ୩୪ ବର୍ଷିୟା ଅଲମତି ଦେଈଙ୍କୁ ବିବାହ କରିଛି। ଦାନର ଏହା ହେଉଛି ତୃତୀୟ ବିବାହ। ଦାନ ଆଜି ଧନୀ ଆଦିବାସୀ ପାଲଟି ଯାଇଛି। ବିଳାସ ବ୍ୟସନରେ ଦିନ କାଟୁଛି ୨୦୧୪ର ଚର୍ଚ୍ଚିତ ଦାନ ମାଝି।

ଥିଲା ଘଟଣା

ଦାନ ମାଝିର ପତ୍ନୀ ଅମାଙ୍ଗ ଦେଈର ସ୍ୱାସ୍ଥ୍ୟ ବାରମ୍ବାର ଖରାପ ରହୁଥିଲା। ଆର୍ଥିକ ସ୍ଥିତି ଭଲ ନଥିବାରୁ ଦାନ ଡାକ୍ତରଙ୍କୁ ଦେଖାଇ ଔଷଧ କିଣିପାରୁ ନ ଥିଲା। ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ଅମାଙ୍ଗଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ଦାନ।

କିଛିଦିନ ଚିକିତ୍ସିତ ହେବା ପରେ ଅମାଙ୍ଗ ୨୦୧୬ ଅଗଷ୍ଟ ୨୪ ତାରିଖ ରାତିରେ ଆଖିବୁଜି ଦେଇଥିଲା। ପାଖରେ ଥିବା ୧୨ ବର୍ଷର ଝିଅ ଚାନ୍ଦିନୀ ମା’ ମା’ଡାକି ଚିକ୍ରାର କରିଥିଲେ ହେଁ ଅମାଙ୍ଗ ଉଠି ନଥିଲା। ଶେଷରେ ଦାନ ଡାକ୍ତରଙ୍କୁ ଖୋଜିଥିଲା ଏବଂ ଶବ ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ କହିଥିଲା। ହେଲେ ଅନ୍ଧାର ରାତିରେ ଦାନର ଗୁହାରି କେହି ଶୁଣି ନ ଥିଲେ। ଫଳରେ ଭବାନୀପାଟଣାରୁ ନିଜ ଘର ୬୦ କି ମି ଦୂର ମେଲଘରକୁ ସ୍ତ୍ରୀର ଶବକୁ କାନ୍ଧରେ ବୋହି ନେବା ପାଇଁ ଦାନ ଦୁଃସାହସ କରିଥିଲା।

ଅଣ୍ଟାରେ ଲୁଙ୍ଗି, ଦେହରେ ଖଣ୍ଡେ ସାର୍ଟ ଏବଂ ଗାମୁଛା ପକାଇ ଅମାଙ୍ଗର ଶବକୁ କାନ୍ଧରେ ରଖି ଆଗକୁ ବଢ଼ିଥିଲା ଦାନ। ଝିଅ ଚାନ୍ଦିନୀ ମଧ୍ୟ ଆଖିରେ ଆଖିଏ ଲୁହ ଧରି ବାପାଙ୍କୁ ସାଥ୍‍ ଦେଇଥିଲା। ୧୦ କିମି ବାଟ ଆସିବା ପରେ ଜନୈକ ଗଣମାଧ୍ୟମ ପ୍ରତିନିଧି ଏହି ଦୃଶ୍ୟ ଦେଖି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଫଳରେ ପ୍ରଶାସନ ତରଫରୁ ଶବ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ଏହି ଅଭାବନୀୟ ଦୃଶ୍ୟ ଗଣମାଧ୍ୟମରେ ପ୍ରକାଶିତ ପରେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ନିଦ ଭାଙ୍ଗିଥିଲା। ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଓଡିଶାର ଛବି ଏହି ଘଟଣା ପାଇଁ ମଳିନ ପଡ଼ିଥିଲା। ଆଉ ଦାନ ପ୍ରତି ସମ୍ବେଦନାର ସୁଅ ଛୁଟିବା ଆରମ୍ଭ କରିଥିଲା।

Comment