ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ଟ୍ରିବ୍ୟୁନାଲ ଗଠନରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ରହିବା ଦରକାର। ସୁପ୍ରିମକୋର୍ଟରେ ଯଦି ଭଲ ଓକିଲ ଦେଇ ସରକାର ମାମଲା ଲଢ଼ନ୍ତି ତାହାଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦେଇଛନ୍ତି ମନ୍ତବ୍ୟ।
“କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ଟ୍ରିବ୍ୟୁନାଲ ଗଠନ ହେଲେ ହିଁ ମହାନଦୀ ଜଳ ବିବାଦର ଅନ୍ତ ଘଟିବ। ହେଲେ ଏଥିପ୍ରତି ରାଜ୍ୟ ସରକାରଙ୍କର ଆନ୍ତରିକତା ରହିବା ଦରକାର”, ମହାନଦୀ ବିବାଦ ପ୍ରସଙ୍ଗରେ ମତ ଦେଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର।
ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ରାଜନୀତି ଗତ ଦୁଇ ଦିନ ହେଲା ସରଗରମ୍ ହୋଇଯାଇଛି। ମହାନଦୀ ଟ୍ରିବ୍ୟନୁାଲ ଗଠନ ଅସମ୍ଭବ ବୋଲି କେନ୍ଦ୍ର ସରକାର ସୁପିମକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ରାଜନୀତି ପାଣିପାଗ ଉଷ୍ମ ରହିଛି। କେନ୍ଦ୍ର ସତ୍ୟପାଠକୁ କାଉଣ୍ଟର କରି ରାଜ୍ୟ ସରକାର ଶୁକ୍ରବାର ଆଉ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଫଳରେ ମହାନଦୀ ବିବାଦର ଭାଗ୍ୟ ଏବେ ସୁପ୍ରିମକୋର୍ଟରେ ଝୁଲିକି ରହିଛି।
ଏହି ପ୍ରସଙ୍ଗରେ ମତ ଦେବାକୁ ଯାଇ ନରସିଂହ ମିଶ୍ର କହିଛନ୍ତି, “ଯଦି ଆଇନକୁ ତର୍ଜମା କରାଯାଏ ତାହାଲେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ। ଓଡ଼ିଶା ସରକାର ଯଦି ସୁପ୍ରିମକୋର୍ଟରେ ଭଲ ଓକିଲ ଦେଇ ମାମଲା ଲଢ଼ନ୍ତି ତାହାଲେ ଓଡ଼ିଶାର ସ୍ବାର୍ଥ ରକ୍ଷା ହୋଇପାରିବ।”
ବିଜେଡି ମୁଖପାତ୍ର ଅମର ପ୍ରସାଦ ଶତପଥୀ ଶ୍ରୀ ମିଶ୍ରଙ୍କ ମତ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବେ। ଟ୍ରିବ୍ୟୁନାଲ ଗଠନ ନକରିବା ପାଇଁ କେନ୍ଦ୍ର ସରକାର ଆଇନର ଉଲ୍ଲଂଘନ କରିଛନ୍ତି।”
ମହାନଦୀ ଜଳକୁ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ ତୀବ୍ରତର ହୋଇଛି। ଏହାର ସମାଧାନ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦ୍ବାରସ୍ତ ହୋଇଥିଲେ। ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିଥିଲା ବୈଠକ। ହେଲେ ସମାଧାନର ରାସ୍ତା ବାହାରି ପାରିନଥିଲା। ଶେଷରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ଏବଂ ପରେ ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରିଥିଲେ। ଓଡ଼ିଶା ସରକାରଙ୍କ ଆବେଦନର ବର୍ଷକ ପରେ ବି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ଆନ୍ତରିକତା ଦେଖାଇ ନଥିଲେ।
ଶେଷରେ ଡିସେମ୍ବର ୪ ତାରିଖରେ ଓଡ଼ିଶା ସରକାରଙ୍କ ମୁଣ୍ଡରେ ଦୋଷ ଲଦି ଟ୍ରିବ୍ୟୁନାଲ ଗଠନ ଅସମ୍ଭବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଏହାକୁ ନେଇ ପୁଣି ଝଡ଼ ବହିଛି।








ମହାନଦୀ ଟ୍ରିବ୍ୟୁନାଲ ଗଠନରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ରହିବା ଦରକାର। ସୁପ୍ରିମକୋର୍ଟରେ ଯଦି ଭଲ ଓକିଲ ଦେଇ ସରକାର ମାମଲା ଲଢ଼ନ୍ତି ତାହାଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରିବ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦେଇଛନ୍ତି ମନ୍ତବ୍ୟ।








