ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଏଣିକି କର୍ତ୍ତବ୍ୟରତ ଟ୍ରାଫିକ ପୋଲିସଙ୍କ ଦେହରେ ଲଗିବ ବଡି କ୍ୟାମେରା।
ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ବଦଳିବ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା। ଏଣିକି ଟ୍ରାଫିକ ପୋଲିସଙ୍କ ଦେହରେ ଲାଗିବ ବଡ଼ି କ୍ୟାମେରା। କଟକ ଏବଂ ଭୁବନେଶ୍ବରରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏଥିପାଇଁ ଆସିଛି ୨୪୦ଟି କ୍ୟାମେରା।
ଦୁଇ ସହରର ପ୍ରମୁଖ ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ ଏହି କ୍ୟାମେରା ଦେହରେ ଲଗାଇବେ। ଡ୍ୟୁଟି ସମୟରେ ଟ୍ରାଫିକ ପୋଲିସଙ୍କ ବ୍ୟବହାର ସାଧାରଣ ଲୋକଙ୍କ ପ୍ରତି କିପରି ରହୁଛି ଏବଂ ସାଧାରଣ ଲୋକେ ଟ୍ରାଫିକ ପୋଲିସକୁ କିପରି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଏହି କ୍ୟାମେରାରେ ରେକର୍ଡ କରାଯିବ। ଭୁବନେଶ୍ବରରେ ଆଜି ଏହାର ଲୋକାର୍ପଣ କରାଯାଇଛି।
ଏହାସହ କଟକ ଏବଂ ଭୁବନେଶ୍ୱରରେ ଥିବା ଟ୍ରାଫିକ ଗାଡ଼ିରେ ମଧ୍ୟ ୧୬ଟି ବେସ୍ ବୋର୍ଡ଼ କ୍ୟାମେରା ଲଗାଯିବ। ପାଟ୍ରୋଲିଂ ବେଳେ ଗାଡ଼ିରେ ଲାଗିଥିବା ଏହି କ୍ୟାମେରା ବିଭିନ୍ନ ଘଟଣାକୁ କଏଦ କରିବ।
ପୋଲିସ କମିଶନର ୱାଇ ବି ଖୁରାନିଆ କହିଛନ୍ତି, “ବଡି କ୍ୟାମେରାରେ ଉଭୟ ଭିଡିଓ ଏବଂ ଅଡିଓ ରେକର୍ଡ ହୋଇ ପାରିବ। ରେକର୍ଡିଂ ୪ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ।
ଅନେକ ସମୟରେ ଟ୍ରାଫିକ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବାଦ ବିବାଦ ଦେଖାଦିଏ। ତେବେ ଏଥିରେ କାହାର ଭୁଲ୍ ଏବଂ ଠିକ୍ ତାହା ସ୍ପଷ୍ଟ ହୋଇପାରେ ନାହିଁ। କେତେବେଳେ ସାଧାରଣ ଲୋକ ଟ୍ରାଫିକ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ତ ପୁଣି କେତେବେଳେ ଟ୍ରାଫିକ ପୋଲିସ ଲୋକଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏଣୁ ଏସବୁ ସମସ୍ୟାର ସମାଧାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି କ୍ୟାମେରା ବ୍ୟବସ୍ଥା କରାଯାଇଛି।








ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିଆଯାଇଛି ପଦକ୍ଷେପ। ଏଣିକି କର୍ତ୍ତବ୍ୟରତ ଟ୍ରାଫିକ ପୋଲିସଙ୍କ ଦେହରେ ଲଗିବ ବଡି କ୍ୟାମେରା।





