ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଥାରେ ଚନ୍ଦନ। ଦୁଇ ହାତ ଯୋଡ଼ି ଏବଂ ଆଖି ବନ୍ଦ କରି ଚାଲିଛି ପୂଜାର୍ଚ୍ଚନା। ଦୁଇ ମାସ ହେଲା ଏମିତି ନଜରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଦେଖିବାକୁ ମିଳୁଛି ଗୁଜୁରାଟରେ। ରାହୁଲ ଯେଉଁ ଅଞ୍ଚଳକୁ ଯାଉଛନ୍ତି ସେଠାକାର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ୨ ମାସରେ ରାହୁଲ ୧୫ରୁ ଅଧିକ ମନ୍ଦିର ଯାଇଥିବା ବେଳେ ମୋଦି ୪ଟି ମନ୍ଦିରକୁ ଯାଇ ଗୁଜୁରାଟ ରାଜନୀତିକୁ ସରଗରମ୍ କରିଛନ୍ତି।

ଦୁଇ ମାସ ହେଲା ଗୁଜୁରାଟ ରାଜନୀତି ଗରମ୍ ରହିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ପ୍ରଚାରରେ ଗୁଜୁରାଟ ଉଠୁଛି ପଡ଼ୁଛି। ଆଉ ଏହାରି ଭିତରେ ରାହୁଲ ଏବଂ ମୋଦିଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାହୁଲ ଓ ମୋଦି ମନ୍ଦିର ମୁହାଁ ହୋଇଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ରାହୁଲ୍ ଗତ ୨ ମାସ ହେଲା ଗୁଜୁରାଟରେ ସକ୍ରିୟ ଅଛନ୍ତି। ଘନଘନ ଗୁଜୁରାଟ ଗସ୍ତ କରି ପ୍ରଚାର ଅଭିଯାନକୁ ସରଗରମ୍ କରିଛନ୍ତି। ତେବେ ରାହୁଲ ଏହି ୨ ମାସର ଗୁଜୁରାଟ ଗସ୍ତ ଭିତରେ ୧୫ରୁ ଅଧିକ ମନ୍ଦିର ଯାଇଥିବା କୁହାଯାଉଛି। ଆଉ ମୋଦି ୨ ମାସରେ ୪ଟି ମନ୍ଦିର ଯାଇଥିବା ଆଲୋଚନା ହେଉଛି।

ପ୍ରଥମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଏଥିପାଇଁ ରାହୁଲ ପୁଣି ଗୁଜୁରାଟ ଗସ୍ତ କରିଛନ୍ତି। ରବିବାର ରାହୁଲ୍‌ ଡକୋରର ଶ୍ରୀ ରଣଛୋଣ୍ଡଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରୁ ଆସି ରାହୁଲ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି।

ସୋନିଆଙ୍କ ସହ ଫୋନରେ କଥା ହେଲେ ମନ୍ଦିର ପୂଜାରୀ

ଶୁକ୍ରବାର ମଧ୍ୟ ରାହୁଲ୍ ଅହମ୍ମଦାବାଦର ମୋଗେଲଧାମ଼-ବାବରା ମନ୍ଦିର ଯାଇଥିଲେ। ଏହି ମନ୍ଦିରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାହୁଲ ପୂଜା କରୁଥିବା ଅବସରରେ ମନ୍ଦିରର ପୂଜାରୀ ସର୍ଦ୍ଦାର ସିଂ ପରମାର ରାହୁଲଙ୍କୁ ତାଙ୍କ ମା’ ସୋନିଆ ଗାନ୍ଧିଙ୍କ ସମ୍ପର୍କରେ ପଚାରିଥିଲେ। ପୂଜାରି ଜଣକ ସୋନିଆ ଖୁବଶୀଘ୍ର ସୁସ୍ଥ ହୋଇଯିବେ କହିବା ସହ ରାହୁଲଙ୍କୁ ପ୍ରସାଦ ଦେଇଥିଲେ।

ଏହି ଅବସରରେ ରାହୁଲ ପୂଜାରୀଙ୍କୁ କହିଥିଲେ ଆପଣ ସୋନିଆଜୀଙ୍କ ସହ କଥା ହେବାକୁ ଚାହୁଁଛନ୍ତି କି? ପୂଜାରୀ ଜଣକ କିଛି କହିବା ପୂର୍ବରୁ ରାହୁଲ ତାଙ୍କ ମୋବାଇଲ୍ ଫୋନରୁ ସିଧା ସୋନିଆଙ୍କୁ ଫୋନ୍ କରିଥିଲେ। ଆଉ ପୂଜରୀ ଅଳ୍ପ ସମୟ ପାଇଁ କଥା ହୋଇଥିଲେ।

ସୋମନାଥ ମନ୍ଦିରରୁ ରାହୁଲ ଆରମ୍ଭ କରିଥିଲେ କ୍ୟାମ୍ପେନ୍

ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧି ନବସୃଜନ ଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ଯାତ୍ରା ଦ୍ବାରକାରୁ ଆରମ୍ଭ ହୋଇଥିଲା। ରାହୁଲ ଦ୍ବରକାର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏହାକୁ ବିବାଦ ଦେଖାଦେଇଥିଲା। କଂଗ୍ରେସ-ବିଜେପି ମଧ୍ୟରେ କଥା କଟାକଟି ହୋଇଥିଲା।

୧୫ରୁ ଅଧିକ ମନ୍ଦିର ଯାଇଛନ୍ତି ରାହୁଲ୍

ରାହୁଲ ଗାନ୍ଧି ଗୁଜୁରାଟ ଗସ୍ତ ବେଳେ ୧୫ରୁ ଅଧିକ ମନ୍ଦିର ଯାଇଛନ୍ତି। ଶ୍ରୀ ରଣଛୋଣ୍ଡଜୀ ମନ୍ଦିର, ଦ୍ବାରକାଧୀଶ, ଖୋଡଲାଧାମ, ନଡିୟାଡର ସାନ୍ତାରାମ ମନ୍ଦିର, ପାବାଗଡରେ ମହାକାଳୀ, ନବସାରୀରେ ଉନ୍ନାଇ ମା’ଙ୍କ ମନ୍ଦିର, ଅକ୍ଷରଧାମ ମନ୍ଦିର, କବୀର ମନ୍ଦିର, ଚୋଟିଲା ଦେବୀ ମନ୍ଦିର, ଦାସୀ ଜୀବନ ମନ୍ଦିର, ରାଜକୋଟର ଜଲାରାମ ମନ୍ଦିର, ବଲସାଡର କୃଷ୍ଣ ମନ୍ଦିର, ମେଘମାୟା ଏବଂ ବାଦୀନାଥ ମନ୍ଦିରକୁ ରାହୁଲ ଯାଇଥିବା କୁହାଯାଉଛି।

ମୋଦି ଯାଇଛନ୍ତି ୪ଟି ମନ୍ଦିର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଗୁଜୁରାଟ ଏକାଧିକବାର ଗସ୍ତ କରି ଫୋକସରେ ରହିଛନ୍ତି। ସେ ଏହି ଅବସରରେ ୪ଟି ମନ୍ଦିର ଯାଇଥିବା କୁହାଯାଉଛି। ନଭେମ୍ବର ୨୭ରେ ମୋଦି କଚ୍ଛର ଆଶପୂର୍ଣ୍ଣା ମନ୍ଦିର, ନଭେମ୍ବର ୨ରେ ଗାନ୍ଧିନଗରର ଅକ୍ଷରଧାମ ମନ୍ଦିର, ଅକ୍ଟୋବର ୭ରେ ବଡନଗରର ହଟ୍ଟକେଶ୍ବର ମନ୍ଦିର ଏବଂ ଦ୍ବାରକାର ଦ୍ବାରକାଧୀଶ ମନ୍ଦିର ଯାଇ ପୂଜା କରିଛନ୍ତି।

Comment