ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ରବିବାର ରାତିରେ ଦେଉଛନ୍ତି ଡିନର ପାର୍ଟି। ଏହି ପାର୍ଟିରେ ରାହୁଲ୍ ସଙ୍ଗଠନ ମଜବୁତ ଉପରେ ଫୋକସ୍ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

କଂଗ୍ରେସରେ ଆରମ୍ଭ ହୋଇଛି ରାହୁଲ୍ ଯୁଗ। ଶନିବାର ରାହୁଲ ଗାନ୍ଧି ଧରିଛନ୍ତି କଂଗ୍ରେସ ମଙ୍ଗ। ସଭାପତି ହେବା ପରେ ରାହୁଲ୍‌ ରବିବାର ଦଳର ନେତାଙ୍କ ପାଇଁ ଡିନର ପାର୍ଟିର ଆୟୋଜନ କରିଛନ୍ତି। ଏହି ପାର୍ଟିରେ ଯୋଗଦେବା ପାଇଁ କଂଗ୍ରେସର କିଛି ବରିଷ୍ଠ ନେତାମାନଙ୍କୁ ଆମନ୍ତ୍ରିତ କରାଯାଇଛି।

କଂଗ୍ରେସ ସାଂସଦ, ବିଧାୟକ ଏବଂ ରାଜ୍ୟ କମିଟି ନେତାମାନେ ଏହି ଡିନର ପାର୍ଟିରେ ସାମିଲ୍ ହେବେ। ନୂଆଦିଲ୍ଲୀର ହୋଟେଲ ଅଶୋକାରେ ଏହି ପାର୍ଟି ରଖାଯାଇଛି। ଏହି ପାର୍ଟିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ମନମୋହନ ସିଂ ମଧ୍ୟ ଯୋଗଦେବେ।

ରାହୁଲ କଂଗ୍ରେସର ୪୯ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଏମ୍‌ ରାମଚନ୍ଦ୍ରନ୍ ସାର୍ଟିଫିକେଟ ଦେବା ପରେ ରାହୁଲ ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସୋନିଆ ଗାନ୍ଧି  ଏହା ପୂର୍ବରୁ ୧୯ ବର୍ଷ ଧରି କଂଗ୍ରେସ ଅଧ୍ୟକ୍ଷା ରହିଥିଲେ।

ଏହି ଡିନର ପାର୍ଟିରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଦଳକୁ କିପରି ଆଗକୁ ବଢ଼ାଯିବ ସେ ନେଇ ଫୋକସ୍ କରାଯିବ। ଏହାସହ ଆଗକୁ ଆସୁଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ କିପରି ଭଲ ପ୍ରଦର୍ଶନ କରିବ ସେନେଇ ରାହୁଲ ସାଂସଦ, ବିଧାୟକଙ୍କ ସହ ଆଲୋଚନା କରିବେ।

ରାହୁଲ ଖୁବଶୀଘ୍ର ତାଙ୍କ ନୂଆ ଟିମ୍‌ ଗଠନ କରିବାକୁ ଯାଉଛନ୍ତି। ଏହି ଟିମ୍‌ରେ କିଏ ରହିବେ ତାକୁ ନେଇ ଉତ୍କଣ୍ଠା ବଢ଼ିଛି। ନୂଆ ଟିମ୍‌ ଗଠନ ଉପରେ ବି ରାହୁଲ ଫୋକସ୍‌ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment