ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ସ୍ଥିତି ମଜଭୁତ କରିବାରେ ଲାଗିଛି ବିଜେପି।

ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି। ଏଥିପାଇଁ ପ୍ରମୁଖ ରାଜନୀତିକ ଦଳମାନେ ନିର୍ବାଚନ ପ୍ରସ୍ତୁତି ଚଳାଇଥିବା ବେଳେ ଏଥର ବିଜେପି ପଶ୍ଚିମବଙ୍ଗ ଅକ୍ତିଆର କରିବାକୁ ସେଠାରେ ଦଳର ସ୍ଥିତି ମଜଭୁତ କରିବାରେ ଲାଗିଛି।

ପଶ୍ଚିମବଙ୍ଗ ସବୁବେଳେ ବାମଦଳର ଦୁର୍ଗ ଭାବେ ରହିଆସିଥିଲା। କିନ୍ତୁ ‘ମା, ମାଟି ମାନୁଷ’ର ସ୍ଲୋଗାନ ଦେଇ ବାମଦଳର ବର୍ଷ ବର୍ଷର ଦୁର୍ଗକୁ ଭାଙ୍ଗିଥିଲେ ମମତା ବାନାର୍ଜୀ। ୨୦୧୧ରୁ ମମତା ପଶ୍ଚିମବଙ୍ଗରେ ରାଜୁତି କରୁଛନ୍ତି। ହେଲେ ଦିଦିଙ୍କ ଗଡ଼କୁ ଭାଙ୍ଗି ବେଙ୍ଗଲରେ ଭାଜପା ସରକାର ଗଢ଼ିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମିଶନ ବେଙ୍ଗଲ ପାଇଁ ଅନେକ ଗୋଟିଚାଳନା କରି ରାଜନୀତି ମହଲରେ ଚର୍ଚ୍ଚାରେ ରହିଛି ବିଜେପି।

କେମିତି ସ୍ଥିତି ମଜଭୁଜ କଲା ବିଜେପି?

୨୦୧୪ ଲୋକସଭା ନିର୍ବାଚନରେ ବେଙ୍ଗଲରୁ ମାତ୍ର ଦୁଇଟି ଆସନ ଜିତି ସନ୍ତୁଷ୍ଟ ହୋଇଥିଲା ବିଜେପି। ତଥାପି ପଶ୍ଚିମବଙ୍ଗକୁ ବିଜେପି ହତାଦାର କରି ନଥିବା ଦର୍ଶାଇ ଗୋଟିଏ କେନ୍ଦ୍ରମନ୍ତ୍ରୀ ପଦ ବେଙ୍ଗଲକୁ ଦେଇଥିଲା ଦଳ। ଏହିଠାରୁ ହିଁ ପଶ୍ଚିମବଙ୍ଗ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଆରମ୍ଭ କରିଥିଲା ବିଜେପି।

ସଂଖ୍ୟା ଗଣିତରେ ବିଜେପି ପଶ୍ଚିମବଙ୍ଗରେ ପଛରେ ଥିଲେ ମଧ୍ୟ ସେଠାରେ ନିଜ ଦୁର୍ଗ ସ୍ଥାପନା ପାଇଁ ବିଜେପି ଗୁରୁତ୍ଵ ଦେଇଛି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରି ଦଳ ପାଇଁ ସେଠାରେ ବିଶାଳ ବିଶାଳ ରାଲିମାନ କରିଛନ୍ତି। ଏହାଦ୍ଵାରା ବେଙ୍ଗଲର ଜନ ସାଧାରଣଙ୍କୁ ନିଜ ଆଡ଼କୁ ଢଳାଇବାରେ ସଫଳ ହୋଇଛି ବିଜେପି। ଫଳ ସ୍ଵରୂପ ୨୦୧୯ ଲୋକସଭା ନିର୍ବାଚନରେ ମୋଟ୍ ୪୨ଟି ଆସନରୁ ୧୮ଟିରେ ବିଶାଳ ବିଜୟ ପାଇଥିଲା ବିଜେପି।ପଦ୍ମ ଧରୁଛନ୍ତି ଟିଏମସି ନେତା

ତୃଣମୂଳ କଂଗ୍ରେସ ଶାସିତ ମମତା ବାନାର୍ଜୀଙ୍କ ସରକାରକୁ ଭାଙ୍ଗି ସେଠାରେ ବିଜେପି ସରକାର ଗଢ଼ିବା ପାଇଁ ବିଜେପି ମିଶନ ବେଙ୍ଗଲ ଆରମ୍ଭ କରିଛି। ତେଣୁ ମମତାଙ୍କ ତୃଣମୂଳ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ନିଜ ଆଡ଼କୁ ଟାଣିବାରେ ଲାଗିଛି ବିଜେପି। ଏହିକ୍ରମରେ ଯଦି ଦେଖାଯାଏ ତେବେ ୨୦୧୯ ଲୋକସଭା ନିର୍ବାଚନ ପରଠାରୁ ଏପର୍ଯ୍ୟନ୍ତ ମୋଟ୍ ୨୭ ଜଣ ଟିଏମସି ବିଧାୟକ ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି।ବିଜେପି ଶିବିରରେ ବଙ୍ଗୀୟ ସେଲିବ୍ରିଟି

ମିଶନ ପଶ୍ଚିମବଙ୍ଗକୁ ସଫଳ କରିବା ପାଇଁ ସେଲିବ୍ରିଟି କାର୍ଡ ଖେଳିଛି ବିଜେପି। ୨୦୧୪ରେ ପ୍ରଥମେ ସୁନାମଧନ୍ୟ ଗାୟକ ବାବୁଲ ସୁପ୍ରିୟୋଙ୍କୁ ଲୋକସଭା ପ୍ରାର୍ଥୀ କରି ଜିତାଇବା ପରେ କେନ୍ଦ୍ରମନ୍ତ୍ରୀ ପଦ ଦେଇଥିଲା ବିଜେପି। ଏହାପରେ ଲଗାତାର ଭାବେ ବିଜେପି ବେଙ୍ଗଲୀ ସେଲିବ୍ରିଟିମାନଙ୍କୁ ଦଳରେ ସାମିଲ କରିବାରେ ଲାଗିଛି। ମାର୍ଚ୍ଚ ୭ ତାରିଖରେ ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ ପଦ୍ମ ଧରି ବିଜେପିରେ ସାମିଲ ହୋଇଛନ୍ତି।ମିଥୁନଙ୍କ ପୂର୍ବରୁ ଅନେକ ବଙ୍ଗୀୟ ସେଲିବ୍ରିଟି ବିଜେପି ଶିବିରରେ ସାମିଲ ହୋଇ ବେଙ୍ଗଲରେ ବିଜେପିଗଡ଼କୁ ମଜଭୁତ କରିବାରେ ଲାଗିଛନ୍ତି।। ମାର୍ଚ୍ଚ ୭ ତାରିଖରେ ମିଥୁନଙ୍କ ସହ ବଙ୍ଗଳା ଅଭିନେତ୍ରୀ ଦେବଶ୍ରୀ ଭଟ୍ଟାଚାର୍ଯ୍ୟ ଟିଏମସିକୁ ବିଦାୟ କହି ବିଜେପିରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ରାହୁଲ ଚକ୍ରବର୍ତ୍ତୀ ମଧ୍ୟ ପଦ୍ମ ଦଳରେ ସାମିଲ ହୋଇଛନ୍ତି।

ସେହିପରି ଗତ ଫେବ୍ରୁଆରିରେ ବଙ୍ଗଳା ଅଭିନେତ୍ରୀ ଶ୍ରାବନ୍ତୀ ଚାଟାର୍ଜୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଅଭିନେତ୍ରୀ ପାୟଲ ସରକାର ମଧ୍ୟ ବିଜେପିରେ ଯୋଗ ଦେଇଥିଲେ।

Comment