ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ଆଗତ ହୋଇଛି ତିନି ତଲାକ୍‌ ବିଲ୍‌। କେନ୍ଦ୍ର ଆଇନ୍ ମନ୍ତ୍ରୀ ଏହି ବିଲ୍‌କୁ ଐତିହାସିକ କହିଥିବା ବେଳେ ବିରୋଧୀ ଏହାକୁ ବିରୋଧ କରିଛନ୍ତି।

ଲୋକସଭାରେ ଆଗତ ହୋଇଛି ତିନି ତଲାକ୍‌ ବିଲ୍‌। କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହାକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ତିନି ତଲାକ୍‌ ବିଲ୍ ଆଇନ୍‌ରେ ପରିଣତ ହେବ। ଏପଟେ ଏହି ବିଲ୍‌କୁ ବିରୋଧ କରିଛନ୍ତି ବିରୋଧୀ। ବିଜେଡି ସମେତ ଆର୍‌ଜେଡି, କଂଗ୍ରେସ, ଏଆଇଏଡିଏମ୍‌କେ ଏହାକୁ ବିରୋଧ କରିଛନ୍ତି।

ଲୋକସଭାରେ ଏହି ବିଲ୍‌ ଉପସ୍ଥାପିତ କରିବା ପରେ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ, “ପୂର୍ବରୁ ୩ ତଲାକ୍‌କୁ ସୁପ୍ରିମକୋର୍ଟ ବେଆଇନ୍ କହିଥିଲେ। ସୁପ୍ରିମକୋର୍ଟ ତିନି ତଲାକ୍‌କୁ ଅସିଦ୍ଧ ଘୋଷଣା କରିବା ପରେ ବି ଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଛି। ତିନି ତଲାକ୍ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ନିୟମ ପ୍ରଣୟନ କରାଯାଇ ନଥିଲା।”

ଅନ୍ୟପକ୍ଷରେ ବିଜେଡି ସାଂସଦ ତଥାଗତ ସତପଥୀ ଓ ଭର୍ତ୍ତୃହରି ମହତାବ ନିଜ ବିବୃତିରେ ଏହି ବିଲକୁ ବିରୋଧ କରିଛନ୍ତି। ତଥାଗତ କହିଛନ୍ତି, “ତଲାକ୍ ବା ଛାଡ଼ପତ୍ର ସିଭିଲ୍‌ ମାମଲା ହୋଇଥିବାରୁ ଏହାକୁ ଅପରାଧିକ ମାମଲାରେ ସାମିଲ କରିବା ସମିଚୀନ ନୁହେଁ। ତାଙ୍କ ଦଳ ତିନି ତଲାକ୍‌କୁ ସମର୍ଥନ କରୁ ନଥିଲେ ହେଁ ଏହି ବିଲ୍‌କୁ ବିରୋଧ କରୁଛି।”

ଟ୍ରିପଲ୍‌ ତଲାକ୍‌କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଘୋଷଣା କରିବା ପରେ ମଧ୍ୟ ଅନେକ ମୁସଲିମ୍‌ ମହିଳା ଏହି ବ୍ୟବସ୍ଥାର ଶିକାର ହୋଇଥିବା ସୂଚନା ମିଳିଛି। ଏକ ସୂତ୍ରରୁ ପ୍ରକାଶ ଯେ ତିନି ତଲାକ୍‌ ଅସାମ୍ୱିଧାନିକ ଘୋଷଣା ହେବା ପରେ ୬୭ ଜଣ ମହିଳା ଏହି ପ୍ରଥାର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

ସଂସଦରେ ତିନି ତଲାକ୍ ବିଲ୍‌ ଆଗତ ହେବା ପୂର୍ବରୁ ବିଜେପି ସାଂସଦଙ୍କୁ ବିଲ୍ ସମ୍ପର୍କରେ ବୁଝାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିନି ତଲାକ୍‌ ବିଲ୍‌ ନେଇ ସଂସଦୀୟ ଦଳ ବୈଠକରେ ଆଲୋଚନା କରିଥିଲେ ମୋଦି। ଲୋକସଭାରେ ପାରିତ ହେବା ପରେ ଏହି ବିଲ୍‌ ରଜ୍ୟସଭାକୁ ପଠାଯିବ। ପରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

Comment