ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ା ଜିଲ୍ଲାରେ ଶୋକରଛାୟା
  • ବିରନୀଳକଣ୍ଠପୁର ଗାଁରେ ହେଲା ଶେଷକୃତ୍ୟ
  • ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି
  • ମର ଶରୀରକୁ ସାଲେପୁରଠାରୁ ନିଆଗଲା ଶୋଭାଯାତ୍ରାରେ

କେନ୍ଦ୍ରାପଡ଼ା, (ଆଳୟ ସାମନ୍ତରାୟ): କାନ୍ଦ ବୋବାଳିରେ ଫାଟି ପଡୁଛି ବିରନୀଳକଣ୍ଠପୁର ଗାଁ । କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଛନ୍ତି ପରିବାରବର୍ଗ,  ଶୁଭେଚ୍ଛୁ ଓ ଯାତ୍ରାପ୍ରେମୀ। ଅନନ୍ତଭାଇ ଅମର ରହେ ଧ୍ୱନିରେ ପୂରା ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଛି। ଅନନ୍ତ ଓଝାଙ୍କ ପରଲୋକରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ନହଙ୍ଗ ପଞ୍ଚାୟତ ବିରନୀଳକଣ୍ଠପୁର ଗାଁ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଯାତ୍ର ଜଗତର ସୁନାମଧନ୍ୟ ନାଟ୍ୟକାର ଅନନ୍ତ ଓଝାଙ୍କର ରବିବାର ସନ୍ଧ୍ୟାରେ ୫୩ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ମୁଖ ଗହ୍ୱର କର୍କଟ ରୋଗରେ ପୀଡ଼ିତ ହୋଇ ସେ ବେଙ୍ଗାଳୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ମଙ୍ଗଳବାର ଅନନ୍ତଙ୍କ ମୃତଦେହ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଛନ୍ତି। ସାଲେପୁର ପାଖରୁ ଅନନ୍ତଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଜ ଗାଁ ପର୍ଯ୍ୟନ୍ତ ନିଆଯାଇଥିଲା। କେନ୍ଦ୍ରାପଡ଼ା ସେବା ସମିତି ପକ୍ଷରୁ ଅନନ୍ତଙ୍କୁ ଚାନ୍ଦୋଳ ଛକଠାରେ ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଗାଁ ଶ୍ମଶାନରେ ଅନନ୍ତଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଯାଇଛି କେନ୍ଦ୍ରାପଡ଼ା ମାଟିର ସୁଯୋଗ୍ୟ ସନ୍ତାନ ତଥା ନାଟ୍ୟକାର ଅନନ୍ତ ଓଝାଙ୍କ ପାର୍ଥୀବ ଶରୀର।

ଅନନ୍ତଙ୍କ ସମ୍ପର୍କରେ କିଛି  

ଯାତ୍ରା ଜଗତର ଜଣେ ଚର୍ଚ୍ଚିତ ନାଟ୍ୟକାର ଭାବେ ପରିଚୟ ପାଇଥିଲେ ଅନନ୍ତ ଓଝା। ତାଙ୍କ ରଚିତ ନାଟକ ଯିଏ ଦେଖିଛି ସେ ଆଜି ବି ତାକୁ ଝୁରୁଛି। ସେ ଆରପାରିକୁ ଚାଲି ଯାଇଛନ୍ତି ସତ, କିନ୍ତୁ ଅନେକ ସ୍ମୃତି ଛାଡି ଚାଲିଯାଇଛନ୍ତି। ଦୁଇଶହ ନାଟକର ଲେଖକ ଥିଲେ ସେ । ତାଙ୍କର ସୁପରହିଟ୍‌ ନାଟକ ମଧ୍ୟରେ ରହିଛି ମୋ ପେଁକାଳି ବଜେଇ ଦେ, ବିଦେଶିନୀ, ଫୁଲବଉଳ ବେଣୀ, ଚନ୍ଦ୍ର ମଉଳି ତୁ ମରିଜା, ଖଜୁରି ଗଛର କି ଗୁଣ ଗାଇବି, କଳାହତ ଭଳି ଅନେକ ନାଟକ। ୨୦୧ ରେ ତାଙ୍କର ଶେଷ ନାଟକ ଥିଲା କଳିଯୁଗ ତୋତେ ନମସ୍କାର। ଗତ ନଭେମ୍ବର ୧୭ ତାରିଖରେ ଏହା ମଞ୍ଚସ୍ଥ ହୋଇ ସାରିଛି। ଆଜି ଏହା ନିଶ୍ଚିନ୍ତ ଭାବେ କଳା ଜଗତରେ ସ୍ମୃତି ହୋଇ ରହିବ ବୋଲି ଅନେକ ବ୍ୟକ୍ତି ମତ ଦେଇଛନ୍ତି ।

ବିଭିନ୍ନ ମହଲରେ ଶୋକ

ନାଟ୍ୟକାର ଅନ୍ତ ଓଝାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଅନନ୍ତଙ୍କ ଦେହାନ୍ତ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅନେକ ମତ ଦେଉଛନ୍ତି।

“ଅନନ୍ତ ଓଝାଙ୍କ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି। କେବଳ ଯାତ୍ରା କି ସିନେ ଜଗତ ନୁହେଁ, କେନ୍ଦ୍ରାପଡ଼ା ମାଟି କଳା ଜଗତର ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା। ଅନେକ କଳାକାରଙ୍କ ପାଇଁ ସେ ଅମର ହୋଇ ରହିବେ”, କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

“ଅନନ୍ତ ଓଝା ଥିଲେ ଜଲିଉଡର ମାଇଲ୍‌ଷ୍ଟୋନ୍। ତାଙ୍କ ପାଇଁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିଛି। ସେ ମୋତେ ଯାତ୍ରା ଜଗତରେ ଏକ ନୂଆ ପରିଚୟ ଦେଇଛନ୍ତି। ସେ ଥିଲେ ମୋ’ ବାପା”, ଶୋଭାଯାତ୍ରାରେ ସାମିଲ୍‌ ହେବା ଅବସରରେ କୋହଭରା କଣ୍ଠରେ ଏହା କହିଛନ୍ତି ଜଲିଉଡର ଚର୍ଚ୍ଚିତ ଖଳନାୟକ ଦୈତାରୀ ପଣ୍ଡା।

ନିର୍ଦ୍ଦେଶକ ବିନୋଦ ରାଉତ କହିଛନ୍ତି, “ଆଜି ପର୍ଯ୍ୟନ୍ତ ଓଡିଶାର ଏକ ନମ୍ବର ନାଟ୍ୟକାର ଭାବେ ପରିଚିତ ଥିଲେ ସେ। ତାଙ୍କର ଶେଷ ନାଟକ ଥିଲା କଳିଯୁଗ ତୋତେ ନମସ୍କାର। ଏହି ନାଟକ ମଞ୍ଚସ୍ଥ ହେବା ଅନନ୍ତ ଓଝା ୨୦୧୭ ଡିସେମ୍ବରର ଶେଷ ସୂର୍ଯ୍ୟାସ୍ତରେ ଶେଷ ନିସ୍ୱାଶ ତ୍ୟାଗ କରିଛନ୍ତି। ଭାବୁଥିଲି କଳିଯୁଗକୁ ନମସ୍କାର କରି କିଛି ନୂଆ ଲେଖା ଆରମ୍ଭ କରିବେ। କିନ୍ତୁ ସେ ଆଜି ଚାଲି ଯାଇଛନ୍ତି। ଯେଉଁ କଳାକାର ତାଙ୍କ ପଥକୁ ଅନୁସରଣ କରିଛନ୍ତି ସେ ଆଜି ବଞ୍ଚିବା ଶିଖି ଯାଇଛି।”

ସେହିପରି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ ଅଧ୍ୟକ୍ଷ ତେଜେଶ୍ୱର ପରିଡା, ବିଜେପି ନେତା ବିଜୟ ମହାପାତ୍ର, ବିଷ୍ଣୁ ଦାସ, ମାନସ ମହାନ୍ତି, ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, କଂଗ୍ରେସ ନେତା ଜୟନ୍ତ ମହାନ୍ତି, ଉମାକାନ୍ତ ନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Comment