ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିବାଦକୁ ନେଇ  ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ହିଂସା। ବନ୍ଦ ରହିଛି ସ୍କୁଲ୍‌, କଲେଜ। ଆଙ୍ଗ୍ଲୋ ମରାଠା ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଖାଦେଇଛି ଏଭଳି ଉତ୍ତେଜନା। ବୁଧବାର ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛନ୍ତି ପ୍ରକାଶ ଆମ୍ବେଦକର ।

ଜାତିବାଦକୁ ନେଇ ମହାରାଷ୍ଟ୍ରରେ ହିଂସା। ଆଙ୍ଗ୍ଲୋ ମରାଠା ଯୁଦ୍ଧକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଦେଖାଦେଇଛି ଉତ୍ତେଜନା। ଦୁଇ ସମ୍ପ୍ରଦାୟର ଲୋକେ ହୋଇଛନ୍ତି ମୁହାଁମୁହିଁ। ଏହି ଗଣ୍ଡଗୋଳରେ ଜଣକର ପ୍ରାଣହାନୀ ଘଟିଛି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୋଲିସ ୧୪୪ ଧାରା ଜାରି କରିଛି।

ଜିଲ୍ଲା ପ୍ରଶାସନ ପୁନେର କେରାଗାଓଁ ଅଞ୍ଚଳରେ ଏକ ଶୋଭାଯାତ୍ରା ବାହାର କରିଥିଲା। ଏହାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ହିଂସା ଦେଖାଦେଇଛି।

ପୁନେର ଏକ ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଖାପାଖି ୩ ଲକ୍ଷ ଦଳିତ ସମ୍ପ୍ରଦାୟର ଲୋକ ସମାଗମ ହୋଇଥିଲେ। କିଛି ଲୋକ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମରେ ହିଂସା ଘଟାଇଥିଲେ। ଫଳରେ ଦଳିତ ସମ୍ପ୍ରଦାୟ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କର କ୍ଷତି ପୂରଣ ଦେବାକୁ ଦାବି ହୋଇଛି। ଏହି ହିଂସା ଧିରେ ଧିରେ ଜଟିଳ ରୂପ ଧାରଣ କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ରର ସ୍କୁଲ, କଲେଜ ପ୍ରମୁଖ ବନ୍ଦ ରହିଛି। ଘଟଣାସ୍ଥଳର ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି।

ଏନ୍‌ସିପି ନେତା ଶରଦ ପାୱାର୍ ଦକ୍ଷିଣପନ୍ଥୀ ସଂଗଠନକୁ ଦାୟୀ କରିବା ସହ ଅରୋପୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ସେହିପରି ମହାରାଷ୍ଟ୍ର  ବିଧାନସଭାର ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ ଘଟଣାଟିକୁ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ  ବୋଲି କହିଛନ୍ତି।

ଜାନୁଆରୀ ୧, ୧୮୧୮ରେ ପୁନେସ୍ଥିତ କୋରଗାଁଓର ଭୀମା ନଦୀ ପାଖରେ ଭୀମା-କୋରଗାଁଓ ଲଢେଇ ହୋଇଥିଲା। ଏହି ଲଢେଇ ମହାର ଓ ପେଶୱା ସୈନିକଙ୍କ ମଧ୍ୟରେ ହୋଇଥିଲା। ଇଂରେଜଙ୍କ ପକ୍ଷରୁ ୫୦୦ ସୈନିକ ଥିଲେ। ସେଥିମଧ୍ୟରୁ ମହାରଙ୍କ ସୈନିକଙ୍କ ସଂଖ୍ୟା ୪୫୦ ଥିଲା । ଅନ୍ୟପଟରେ ପେଶୱା ଦ୍ୱିତୀୟଙ୍କ ପକ୍ଷରୁ ୨୮୦୦୦ ସୈନିକ ଥିଲେ। ମାତ୍ର ୫୦୦ମହାର ସୈନିକ ଶକ୍ତିଶାଳୀ ପେଶୱା ସୈନିକଙ୍କୁ ପରାସ୍ତ କରିଥିଲେ। ମହାର ସୈନିକଙ୍କ ବୀରତା ତଥା ସାହାସ ସମ୍ମାନର୍ଥେ ଭୀମ-କୋରଗାଁଓ ସ୍ମାରକ ନିର୍ମାଣ କରାଯାଇଥିଲା। ଫଳସ୍ୱରୂପ ପ୍ରତିବର୍ଷ ଦଳିତଙ୍କ ପକ୍ଷରୁ ଏହି ଦିନଟିକୁ ଖୁବ୍ ଧୁମଧାମ୍‌ରେ ପାଳନ କରାଯାଉଛି।

ଘଟଣାର ଅନୁଧ୍ୟାନ କରିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ନ୍ୟା଼ୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଛନ୍ତି ଫଡନାଭିସ୍‌। ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ହିଂସାର ପ୍ରଭାବ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କିଛି ଯାତ୍ରୀବାହୀ ବସ୍‌କୁ ମଧ୍ୟ ଭଙ୍ଗାରୁଜା କରାଯାଇଛି। ଫଳରେ ବସ୍‌ ସେବାରେ ବାଧା ଉପୁଜିଛି। ହିଂସା ଅନ୍ୟ ଅଞ୍ଚଳକୁ ବ୍ୟାପୁଥିବାରୁ ଡକ୍ଟର ଭୀମରାଓ ଆମେଦକରଙ୍କ ନାତି ପ୍ରକାଶ ଆମ୍ବେଦକର ବୁଧବାର ମହାରାଷ୍ଟ୍ର ବନ୍ଦ ଡାକରା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here