ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଉଦଘାଟନୀ ଉତ୍ସବରେ ଯୋଗଦେବେ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର
  • ସମ୍ମାନିତ ହେବ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଏବଂ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ
  • ଶୁକ୍ରବାର ହେବାକୁ ଥିବା ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ

ନବରତ୍ନ କମ୍ପାନି ନାଲକୋ ଗୁରୁବାର ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ନାଲ୍‌କୋ ଅଡିଟୋରିୟମରେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିର ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶୁକ୍ରବାର ଏହି ଉତ୍ସବ ଉଦ୍‌ଯାପିତ ହେବ।

ଏହି ଅବସରରେ ତିନୋଟି ପ୍ରକଳ୍ପ ଲୋକାର୍ପିତ ହେବ। ପଞ୍ଚପଟମାଳିର ସାଉଥ୍‌ ବ୍ଲକ ବକ୍ସାଇଟ୍ ମାଇନ୍‌ସ, ଦାମନଯୋଡ଼ି ଆଲୁମିନା ରିଫାଇନାରୀରେ ୧୮.୫ ମେଗାୱାଟ ବିଶିଷ୍ଟ ଟର୍ବୋ ଜେନେରେଟର, ନାନୋ ଟେକ୍ନୋଲୋଜି ବେସ୍‌ଡ ଡିଫ୍ଲୋରିଡେସନ୍‌ ପ୍ଲାଣ୍ଟ ଲୋକାର୍ପିତ ହେବ ବୋଲି ଡକ୍ଟର ଚାନ୍ଦ କହିଛନ୍ତି। ଏହି ପ୍ଲାଣ୍ଟ ପ୍ରତିଷ୍ଠା ଦିବସର ଉଦ୍‌ଯାପନୀ ଉତ୍ସବରେ ଲୋକାର୍ପଣ କରାଯିବ।

ଓଡ଼ିଶାର ଖ୍ୟାତନାମା ସଂଗୀତଜ୍ଞ ପ୍ରଫୁଲ କରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯିବ ଏବଂ ଦେଶର ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ନ୍ୟାସନାଲ ଡେଭଲପମେଣ୍ଟ  ସ୍କିଲ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ହେବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ୨୦୧୭ ବର୍ଷରେ ନାଲ୍‌କୋ ହାସଲ କରିଥିବା ସଫଳତା ସମ୍ପର୍କରେ ଡକ୍ଟର ଚାନ୍ଦ ସୂଚନା ଦେଇଥିଲେ।

ଡକ୍ଟର ଚାନ୍ଦ କହିଛନ୍ତି ଯେ, “ଖଣିରେ ବିଭିନ୍ନ ସମସ୍ୟା ରହିଛି। ହେଲେ ନାଲ୍‌କୋ ଖଣିରୁ ୨୦୧୬-୧୭ ଅଧିକ ସୁଫଳ ପାଇଛି। ଶତ ପ୍ରତିଶତ ସମ୍ବଳର ବିନିଯୋଗ କରି ନାଲ୍‌କୋ ୬.୮୨୫ ମିଲିଅନ୍‌ ଟନ୍‌ ଉତ୍ପାଦନ କରିପାରିଛି। ୨୦୧୭-୧୮ରେ ମଧ୍ୟ ଏହି ଧାରା ବଜାୟ ରଖିବୁ ବୋଲି ଆଶା ରଖିଛୁ। ଆଲୁମିନିୟମ୍ ରିଫାଇନାରୀ କ୍ଷେତ୍ରରୁ ନାଲ୍‌କୋ ଅଧିକ ରାଜସ୍ୱ ପାଇଥାଏ। ଏ କ୍ଷେତ୍ରରେ ମଧ୍ୟ ନାଲ୍‌କୋ ଶତପ୍ରତିଶତ ସଫଳତା ପାଇଛି।”

LEAVE A REPLY

Please enter your comment!
Please enter your name here