ଓଡ଼ିଶାଲାଇଭ୍‍ ବ୍ୟୁରୋ

ମହୋଦଧିରେ ପାପ ଧୋଇଛନ୍ତି ବରଗଡ଼ ଧନୁଯାତ୍ରାର କଂସ। ସାଥୀ କଳାକାରଙ୍କ ସହ ପୁରୀ ମସୁଦ୍ରରେ ବୁଡ଼ ପକାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିର୍ବାଦ ନେଇଛନ୍ତି।

ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ। ବରଗଡ଼ର ମୁକ୍ତାକାଶ ମଞ୍ଚରେ ୧୧ ଦିନ ଧରି ଚାଲିଥିଲା ଏହି ଉତ୍ସବ। କୃଷ୍ଣଙ୍କ ହାତରେ ନିହତ ହେବା ପରେ କଂସ ଭୂମିକାରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ପୁରୀ ମହୋଦଧିରେ ସ୍ନାନ କରି ପ୍ରାୟଶ୍ଚିତ କରିଛନ୍ତି। ତାଙ୍କ ସହ ପାରିଷଦ ବର୍ଗ ମଧ୍ୟ ସମୁଦ୍ରରେ ବୁଡ଼ ପକାଇ ପାପ ଧୋଇଛନ୍ତି।

କଂସ ଭୂମିକାରେ ଅଭିନୟ ବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି କରିଥିବା ଅନ୍ୟାୟରୁ ମୁକ୍ତି ପାଇବା ପାଇଁ  ସମୁଦ୍ରରେ ସ୍ନାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ  କରିଛନ୍ତି ଅଭିନେତା ଭୁବନେଶ୍ୱର ପ୍ରଧାନ। ପରମ୍ପରା ଅନୁସାରେ ଏହି ପ୍ରଥା ଚଳି ଆସୁଛି। ପରମ୍ପରାକୁ ବଜାୟ ରଖିବାକୁ ଯାଇ ଭୁବନେଶ୍ୱର ଓ ସାଥୀ କଳାକାରମାନେ ସମୁଦ୍ରରେ ବୁଡ଼ ପକାଇ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ଶୁଭଦ୍ରାଙ୍କ ଶରଣାପନ୍ନ ହୋଇ ସେମାନେ ଆଶିଷ ଭିକ୍ଷା କରିଛନ୍ତି। କୃତକର୍ମର ପ୍ରାୟଶ୍ଚିତ ପାଇଁ ଶ୍ରୀଜିଉଙ୍କ ଶରଣାପନ୍ନ ହୋଇଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ସହ କିଛି ସମୟ ଧର୍ମ ଚର୍ଚ୍ଚା କରିଥିଲେ।

ଗତ ନଭେମ୍ବର ୨୮ ତାରିଖରେ ବରଗଡ଼ ଡିପିଇପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା କଂସ ଭୂମିକା ପାଇଁ ଅଡ଼ିସନ। ୨୩ କଳାକାରଙ୍କୁ ପଛରେ ପକାଇ ଭୁବନେଶ୍ୱର ପ୍ରଧାନ କଂସ ଚରିତ୍ର ପାଇଁ ମନୋନୀତ ହୋଇଥିଲେ।

ବରଗଡ଼ ଧନୁଯାତ୍ରା ଉପରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଆୟୋଜିତ ଏହି ମିଡିଆ ଅଭିଯାନର ମୁଖ୍ୟ ପ୍ରାୟୋଜକ ହେଉଛନ୍ତି ‘ନାଲ୍‌କୋ‘, ସହ ପ୍ରାୟୋଜକ ‘ଓଡ଼ିଶା ଖଣି ନିଗମ‘ (ଓଏମ୍‌ସି)।

Comment