ଓଡ଼ିଶାଲାଇଭ୍ ବ୍ୟୁରୋ
- ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପିତ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
- ନାଲ୍କୋ ପକ୍ଷରୁ ବହୁ ପ୍ରତିଭାବାନ୍ ବ୍ୟକ୍ତି ସମ୍ମାନିତ
- ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍କୋ ଆଚିଭ୍ମେଣ୍ଟ ଆୱାର୍ଡ
- ସ୍ୱନାମଧନ୍ୟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ସ୍ୱତନ୍ତ୍ର ସମ୍ମାନ
ନାଲ୍କୋ ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ୩ଟି ନୂଆ ପ୍ରକଳ୍ପ ସମଗ୍ର ଦେଶକୁ ଉତ୍ସର୍ଗୀକୃତ କରିଛି ନାଲ୍କୋ। ପଞ୍ଚପଟମାଳିର ସାଉଥ୍ ବ୍ଲକ ମାଇନ୍ସ, ଦାମନଯୋଡ଼ିର ଆଲୁମିନା ରିଫାଇନାରୀରେ ୧୮.୫ ମେଗାୱାଟ ଫାୱାର ୟୁନିଟ୍, ନାନୋ ବେସ୍ଡ ଡିଫ୍ଲୋରାଇଡେସନ୍ ପ୍ଲାଣ୍ଟ ଲୋକାର୍ପିତ ହୋଇଛି। ଏହି ପ୍ରକଳ୍ପକୁ କେନ୍ଦ୍ର ଖଣି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପେଟ୍ରୋଲ ଓ ନାଚୁରାଲ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି।
ନାଲ୍କୋର ଏହି ଉଦ୍ୟମକୁ ଦୁଇ କେନ୍ଦ୍ରମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଶଂସା କରିବା ସହ କମ୍ପାନିର ସଫଳତା କାମନା କରିଥିଲେ।
କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତାଙ୍କ ବାର୍ତ୍ତାରେ କହିଛନ୍ତି, “ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନାଲ୍କୋକୁ ପ୍ରତିଷ୍ଠିତ କରିବାରେ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ଏବଂ ତାଙ୍କ ଟିମ୍ କଠନି ପରିଶ୍ରମ କରିଛନ୍ତି। ଭାରତର ଶିଳ୍ପ ଜଗତରେ ନାଲ୍କୋ ଯେଉଁ ସ୍ଥାନରେ ରହିଛି ତାହା ପ୍ରଶଂସନୀୟ।”
“୨୦୧୬-୧୭ ଆର୍ଥିକ ବର୍ଷରେ ନାଲ୍କୋ ଖଣି ଏବଂ ରିଫାଇନାରୀ କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ସ୍ୱଳ୍ପ ମୂଲ୍ୟର ଆଲୁମିନା ଉତ୍ପାଦନ କ୍ଷେତ୍ରରେ ନାଲ୍କୋ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। କର୍ମଚାରୀମାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି”, କହିଛନ୍ତି ନାଲ୍କୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ।
ଉଦ୍ଯାପନୀ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଲ୍କୋ ପକ୍ଷରୁ ବହୁ ପ୍ରତିଭାବାନ୍ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍କୋ ଆଚିଭ୍ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ସ୍ୱନାମଧନ୍ୟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।
ସଂସ୍କୃତ ସାହିତ୍ୟକୁ ଉଲ୍ଳେଖନୀୟ ଅବଦାନ ପାଇଁ ପ୍ରଫେସର ଅତୁଲ କୁମାର ନନ୍ଦ ଏବଂ ପ୍ରଫେସର ସୁକାନ୍ତ କୁମାର ସେନାପତିଙ୍କୁ ନାଲ୍କୋ କାଳିଦାସ ଆୱାର୍ଡ ପ୍ରଦାନ କରାଯାଇଛି।
ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୫ ଜଣଙ୍କୁ ନାଲ୍କୋ ଖାରବେଳ ଆୱାର୍ଡ ପ୍ରଦାନ କରାଯାଇଛି। ସେମାନେ ହେଲେ ନିରୋଦ କୁମାର ଦେହୁରୀ, ସୋନାଲି ମହାପାତ୍ର, ମନିଷା ମନସ୍ୱିନୀ, ସୁଜ୍ଞାନୀ ମହାପାତ୍ର।
ସେହିପରି ୨୦୧୮ ବର୍ଷ ପାଇଁ ନାଲ୍କୋ ଲିଟେରାରି ଆୱାର୍ଡ ପ୍ରଦାନ କରାଯାଇଛି। ଦାଶରଥୀ ଦାସ ଏବଂ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଏହି ସମ୍ମାନ ଦିଆଯାଇଛି। ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଦ୍ରୀ ପ୍ରସାଦ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
ଏହାସହ ନାଲ୍କୋ ପକ୍ଷରୁ ବିଭିନ୍ନ ସ୍କୁଲରେ ସ୍ୱଚ୍ଛତା ଅଭିଯାନକୁ ପ୍ରୋତ୍ସାହନ ଦିଆଯାଉଛି। ସ୍ୱଚ୍ଛତା କ୍ଷେତ୍ରରେ ସଫଳତା ହାସଲ କରିଥିବା ଅନୁଗୁଳ, ଦାମନଯୋଡ଼ି ଏବଂ ବିଶାଖାପାଟଣାର ୧୦ଟି ସ୍କୁଲକୁ ‘ଗୁଲ୍ ଗୁଲ୍-କୁନ୍ ମୁନ୍’ ଆୱାର୍ଡ ପ୍ରଦାନ କରାଯାଇଛି।
ଏହାସହ ଶିଶୁ, ମହିଳା, ଯୁବକ ଏବଂ ଦିବ୍ୟାଙ୍ଗମାନଙ୍କ କୌଶଳ ବିକାଶ ପାଇଁ ଜାତୀୟ କୌଶଳ ବିକାଶ ନିଗମ ସହ ରାଜିନାମା ସ୍ୱାକ୍ଷରିତ ହୋଇଛି। ଉଦ୍ଯାପନୀ ସନ୍ଧ୍ୟାରେ ଅନୁରାଧା ପୌଡୁୱାଲଙ୍କ ଟ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଉହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଖଣି ଯୁଗ୍ମ ସଚିବ ସୁବାସ ଚନ୍ଦ୍ରା, ଭି ବାଲାସୁବ୍ରମଣ୍ୟମ(ଡିରେକ୍ଟର, ପ୍ରଡକ୍ସନ୍), କେ ସି ସାମଲ (ଡିରେକ୍ଟର, ଫାଇନାନ୍ସ), ବସନ୍ତ ଠାକୁର(ଡିରେକ୍ଟର ଏଚ୍ଆର୍)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ