ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଥିବା ମଲ୍‌ରେ ନିଆଁ ଲାଗିଲେ ହେବ ଭୟଙ୍କର ପରିସ୍ଥିତି। ନିଆଁ ପ୍ରଭାବରୁ ମଲ୍‌ କର୍ମଚାରୀ ଲୋକଙ୍କୁ ସୁରକ୍ଷା ଦେବା ଅସମ୍ଭବ। କାରଣ ୮ଟି ମଲ୍‌ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା। ଅଗ୍ନିଶମ ବିଭାଗ ତରଫରୁ ଯାଞ୍ଚ ପରେ ଏହି ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି।

ଅଗ୍ନିଶମ ବିଭାଗ ତରଫରୁ ଆଜି ଭୁବନେଶ୍ୱରର ୧୦ଟି ମଲ୍‌ରେ ଚଢ଼ାଉ କରାଯାଇଥିଲା। ନିଆଁ ଲାଗିଲେ କେମିତି ଆୟତ୍ତ କରାଯିବ ତାର ଯାଞ୍ଚ କରିଛନ୍ତି ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଅଧିକାରୀ।

ଚଢ଼ାଉ କରାଯାଇଥିବା ୧୦ଟି ମଲ୍‌ରୁ ମାତ୍ର ୨ଟିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଛି। ଆଉ ୮ଟିରେ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ୮ଟି ମଲ୍‌ର ଫାୟାର ସେଫ୍ଟି ଲାଇସେନ୍ସ ନାହିଁ।

ଅଗ୍ନିଶମ ଡିଜି ବି କେ ଶର୍ମା କହିଛନ୍ତି, “ମଲ୍‌ଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କେମିତି ଅଛି ତାହା ଜାଣିବା ପାଇଁ ଅଗ୍ନିଶମ ବିଭାଗ ଚଢ଼ାଉ କରିଥିଲା। ୧୦ଟି ଟିମ୍‌ ୧୦ଟି ମଲ୍‌ରେ ଚଢ଼ାଉ କରିଥିଲା। ତେବେ ୧୦ଟି ମଲ୍‌ରୁ ୮ଟିରେ ଫାୟାର ସେଫ୍ଟି ଲାଇସେନ୍ସ ନଥିଲା। ଲାଇସେନ୍ସ ପାଇଁ ସେମାନେ ମଧ୍ୟ ଆବେଦନ କରି ନାହାନ୍ତି।”

୮ଟି ମଲ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା। ମଲ୍‌ ଭିତରକୁ ଯିବା ଆସିବା ରାସ୍ତାରେ ଛୋଟଛୋଟ ଷ୍ଟଲ ଖୋଲାଯାଇଛି। ବିଦ୍ୟୁତ୍‌ଉପକରଣ ଠିକ୍‌ଭାବେ କାମ କରୁ ନଥିବା ଦେଖିବାକୁ ମିଳିଥିଲା।

Comment