ଓଡ଼ିଶାଲାଇଭ୍ ବ୍ୟୁରୋ 

  • ଜିଲ୍ଲାପାଳଙ୍କ ଜରିଆରେ ଆବେଦନପତ୍ର ଦାଖଲ
  • ଆବେଦନକାରୀଙ୍କ ପାଖରେ ଦୁଇ ଏକର ଜମି ଥିବା ଆବଶ୍ୟକ
  • ୭୫ ଭାଗ ଖର୍ଚ୍ଚ କେନ୍ଦ୍ର ବହନ କରିବ
  • ଅର୍ଥ ଅନୁଦାନ ସହ ବୈଷୟିକ ସହାୟତା ମିଳିବ 

ଆଜିର ଦିନରେ ସରକାରୀ ଏବଂ ବିଭିନ୍ନ ଘରୋଇ କ୍ଷେତ୍ରରେ ଆବଶ୍ୟକ ହେଉଥିବା ଡ୍ରାଇଭର ସଂଖ୍ୟା ଦୃଷ୍ଟିରୁ ଦେଶରେ ତାଲିମପ୍ରାପ୍ତ ଲୋକଙ୍କର ଅଭାବ ଦେଖାଦେଇଛି। ଏହି ଅଭାବକୁ ପୂରଣ କରିବା ସହ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ସବୁ ଜିଲ୍ଲାରେ ଡ୍ରାଇଭିଂ ଟ୍ରେନିଂ ପାଇଁ ଆବଶ୍ୟକ ତାଲିମ କେନ୍ଦ୍ର ସ୍ଥାପନ ସକାଶେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ଦେଶର ସବୁ ଜିଲ୍ଲାରେ ପିପିପି ବା ଭାଗିଦାରୀ ଢାଞ୍ଚାରେ ଏହି ଡ୍ରାଇଭିଂ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ପାଇଁ ହେଉଥିବା ଖର୍ଚ୍ଚର ୭୫ ଭାଗ ସରକାର ବହନ କରିବେ। ବାକି ୨୫ ଭାଗ ଖର୍ଚ୍ଚ ସମ୍ପୃକ୍ତ କମ୍ପାନିକୁ ବୁଝିବାକୁ ହେବ। ଆର୍ଥିକ ସହାୟତା ସହ ଏହି ବ୍ୟବସ୍ଥାର ସଫଳତା ପାଇଁ କେନ୍ଦ୍ର ସରକାର ମଧ୍ୟ ସଂପୃକ୍ତ ତାଲିମ କେନ୍ଦ୍ରକୁ ବୈଷୟିକ ସହାୟତା ଯୋଗାଇ ଦେବେ।

ପ୍ରତ୍ୟେକ ଜିଲ୍ଲାରେ ଏହି କେନ୍ଦ୍ର ଖୋଲିବା ପାଇଁ କୌଣସି କମ୍ପାନି ବା ସଂସ୍ଥା ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଆବେଦନକାରୀଙ୍କ ନିକଟରେ ଅନ୍ତତଃ ୨ ଏକର ବିଶିଷ୍ଟ ଜମି ଥିବା ଜରୁରୀ। ଏହି ଜମିରେ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଲାଗି ବିଭିନ୍ନ ବ୍ୟବସ୍ଥା ସୃଷ୍ଟି କରାଯିବ।

କେନ୍ଦ୍ର ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ବିଶେଷ ଉଦ୍ୟମ ଆରମ୍ଭ ହୋଇଛି। ଜଣେ ଆବେଦନକାରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ଯେଉଁ ଆବେଦନ କରିବେ ତା’କୁ ସଂପୃକ୍ତ ଜିଲ୍ଲାପାଳ କେନ୍ଦ୍ର ନିକଟକୁ ପଠାଇବା ପାଇଁ କୁହାଯାଇଛି। ଯୋଗ୍ୟତା ଭିତ୍ତିରେ ପ୍ରତ୍ୟେକ ଜିଲ୍ଲାରେ ଏହି ଡ୍ରାଇଭିଂ ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here